କରୋନା ଭ୍ୟାକ୍ସିନ୍ ଆସିଲେ ବି ୨୦୨୪ ଯାଏଁ ସମସ୍ତଙ୍କୁ ମିଳିବନି
1 min readନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଭ୍ୟାକ୍ସିନ୍ ଉତ୍ପାଦକ କମ୍ପାନୀ ସିରମ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସିଇଓ ଅଦାର ପୁନାୱାଲା ବଡ଼ ମନ୍ତବ୍ୟ ଦେଇଛନ୍ତି । ୨୦୨୪ ଯାଏଁ ସମସ୍ତଙ୍କୁ ଭ୍ୟାକ୍ସିନ୍ ମିଳିପାରିବ ନାହିଁ । ଦୁନିଆରେ ଥିବା ଲୋକ ସଂଖ୍ୟା ଅନୁସାରେ ସେହି ପରିମାଣରେ ଭ୍ୟାକ୍ସିନ୍ ଉତ୍ପାଦନ ହୋଇପାରିବ ନାହିଁ । ପୁନାୱାଲା ଭାରତର ସମସ୍ତ ଲୋକଙ୍କୁ ଭ୍ୟାକ୍ସିନ୍ ମିଳିବା ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଔଷଧ ନିର୍ମାଣକାରୀଙ୍କ ଏତେ କ୍ଷମତା ନାହିଁ ଯେ କମ୍ ସମୟରେ ଦୁନିଆର ସମସ୍ତଙ୍କ ପାଇଁ ଭ୍ୟାକ୍ସିନ୍ ଉତ୍ପାଦନ କରାଯାଇ ପାରିବ ।
ଅଦାର ପୁନାୱାଲା କହିଛନ୍ତି- ‘ପୃଥିବୀର ସମସ୍ତ ଲୋକଙ୍କୁ ଭ୍ୟାକ୍ସିନ୍ ଦେବା ପାଇଁ ୪ରୁ ୫ ବର୍ଷ ଲାଗିଯିବ ।’ ଯଦି ପ୍ରତି ବ୍ୟକ୍ତିଙ୍କୁ ଭ୍ୟାକ୍ସିନର ୨ଟି ଡୋଜ୍ ଦରକାର ହୁଏ ତ ଦୁନିଆ ପାଇଁ ୧୫ ଅରବ ଡୋଜ୍ ଭ୍ୟାକ୍ସିନର ଆବଶ୍ୟକତା ପଡ଼ିବ ।
ଭାରତର ୧.୪ ଅରବ ଲୋକଙ୍କ ପାଖରେ ଭ୍ୟାକ୍ସିନ୍ ପହଞ୍ଚାଇବାକୁ ନେଇ ଅଦାର ପୁନାୱାଲା ଚିନ୍ତା ପ୍ରକାଶ କରିଛନ୍ତି । କାରଣ ଦେଶରେ ଭ୍ୟାକ୍ସିନ୍ ଟ୍ରାନ୍ସପୋର୍ଟ ପାଇଁ କୋଲ୍ଡ ଚେନ୍ ସିଷ୍ଟମ ନାହିଁ । ସୂଚନାଯୋଗ୍ୟ ଯେ, ଭ୍ୟାକ୍ସିନ୍ ପ୍ରସ୍ତୁତ ହେବା ପରେ ତାକୁ ଫ୍ରିଜରରେ ରଖାଯାଏ ଓ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ କୋଲ୍ଡ ଚେନ୍ ସିଷ୍ଟମ ଦରକାର ହୁଏ । ସେ ଆହୁରି କହିଛନ୍ତି- ‘ମୁ ଏବେ ବି ଭାବି ପାରୁନାହିଁ ଯାହାଦ୍ୱାରା ୪୦ କୋଟି ଭାରତୀୟଙ୍କ ପାଖରେ ଭ୍ୟାକ୍ସିନ୍ ପହଞ୍ଚିପାରିବ ।’
ପୁନେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କରୋନା ଭ୍ୟାକ୍ସିନ୍ ଉତ୍ପାଦନ ପାଇଁ ୫ଟି ଅନ୍ତରାଷ୍ଟ୍ରୀୟ କମ୍ପାନୀ ସହିତ ଚୁକ୍ତିନାମା କରିଛି । ଯେଉଁଥିରେ ଆଷ୍ଟ୍ରଜେନେକା ଓ ନୋଭାଭାକ୍ସ ଭଳି କମ୍ପାନୀ ରହିଛନ୍ତି । ସିରମ ଇନଷ୍ଟିଚ୍ୟୁଟ୍ ଏକ ଅରବ ଭ୍ୟାକ୍ସିନ୍ ଡୋଜ୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି । ଉତ୍ପାଦନର ଅଧା ଭ୍ୟାକ୍ସିନ୍ ଭାରତକୁ ମିଳିବ ।
ଅଦାର ପୁନାୱାଲା କହିଛନ୍ତି- ଭ୍ୟାକ୍ସିନ୍ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ସାଉଦି ଆରବର ପବ୍ଲିକ୍ ଇନଭେଷ୍ଟମେଣ୍ଟ ଫଣ୍ଡ, ଆବୁଧାବି ଇନଭେଷ୍ଟମେଣ୍ଟ ହୋଲ୍ଡିଂ କମ୍ପାନୀ ଓ ଆମେରିକା ପ୍ରାଇଭେଟ୍ ଇକ୍ୱିଟି ଫର୍ମ ସହ ୬୦୦ ମିଲିୟନ୍ ଡଲାର ସଂଗ୍ରହ ପାଇଁ କଥାବାର୍ତ୍ତା ଚାଲିଛି ।