କରୋନା ସଂକ୍ରମିତଙ୍କ ପାଇଁ ଘରୋଇ ହସ୍ପିଟାଲରେ ରହିବ ୧୦ ପ୍ରତିଶତ ବେଡ୍, ଚିକିତ୍ସା ଖର୍ଚ୍ଚ ବହନ କରିବେ ଆକ୍ରାନ୍ତ

1 min read

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ନୂତନ ନିଷ୍ପତ୍ତି ଅନୁସାରେ ସରକାରୀ କୋଭିଡ୍ ହସ୍ପିଟାଲ, କୋଭିଡ୍ କେୟାର ୟୁନିଟ୍ ବ୍ୟତୀତ କରୋନା ସଂକ୍ରମିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ । ବଢ଼ୁଥିବା ସଂକ୍ରମଣକୁ ଦେଖି ଅଧିକ କୋଭିଡ୍ ବେଡ୍ ଆବଶ୍ୟକତା ଥିବାରୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।

ଆହୁରି ମଧ୍ୟ ଦେଖାଯାଉଛି ଅନେକ ଘରୋଇ ହସ୍ପିଟାଲ ଚିକିତ୍ସିତ ରୋଗୀ କରୋନା ସଂକ୍ରମିତ ଜଣାପଡ଼ିବା ପରେ ସରକାରଙ୍କ କୋଭିଡ୍ ଫ୍ୟାସିଲିଟିକୁ ଆକ୍ରାନ୍ତଙ୍କୁ ପଠାଇ ଦେଉଥିଲେ । ଘରୋଇ ହସ୍ପିଟାଲରେ କୋଭିଡ୍ ସଂକ୍ରମିତଙ୍କ ନେଇ ସରକାର ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି କରିଛନ୍ତି । ସମସ୍ତ ଲକ୍ଷଣହୀନ ଓ ସାମାନ୍ୟ ଆକ୍ରାନ୍ତ ଆନୁଷ୍ଠାନିକ କ୍ୱାରେଣ୍ଟାଇନ୍ କିମ୍ବା ହୋମ୍ ଆଇସୋଲେସନରେ ରହିବେ । କିମ୍ବା ଘରୋଇ ଭାବେ ପରିଚାଳିତ କୋଭିଡ୍ କେୟାର ସେଣ୍ଟରରେ ପେଡ୍ ଭାବେ ରହିପାରିବେ ।

ଯେଉଁ ଘରୋଇ ହସ୍ପିଟାଲରେ ୩୦ରୁ ଅଧିକ ବେଡ୍ ରହିଛି । ସେମାନେ ହସ୍ପିଟାଲର ବେଡ୍ କ୍ଷମତାର ୧୦ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ଲାଗି ରଖିବେ । ସେହିଭଳି କରୋନା ଆକ୍ରାନ୍ତଙ୍କ ସମ୍ବନ୍ଧୀୟ ତଥ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଦେବା ଲାଗି ଘରୋଇ ମେଡିକାଲ କର୍ତ୍ତୃପକ୍ଷ ଜଣେ ମେଡିକାଲ ଅଫିସରଙ୍କୁ ନିଯୁକ୍ତ କରିବେ । କ୍ଷମତାର ୧୦ ପ୍ରତିଶତ ବେଡରେ ଆଇସିୟୁ ଓ ଭେଣ୍ଟିଲେଟର ମଧ୍ୟ ରହିବ ।

ଘରୋଇ ହସ୍ପିଟାଲ କରୋନା ସନ୍ଦିଗ୍ଧଙ୍କ ଲାଗି ଅଲଗା ଆଇସୋଲେସନ୍ ବ୍ୟବସ୍ଥା କରିବେ । ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ କୋଭିଡ୍ ବେଡକୁ ସ୍ଥାନାନ୍ତରିତ କରାଯିବ । ତେବେ, ଏଥିପାଇଁ ଘରୋଇ ମେଡିକାଲରେ ହେଉଥିବା ସମସ୍ତ ଖର୍ଚ୍ଚ ନିଜେ ଆକ୍ରାନ୍ତ ବହନ କରିବେ । କେବଳ ନିଜ ଖର୍ଚ୍ଚରେ ଚିକିତ୍ସା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ଘରୋଇ ହସ୍ପିଟାଲ ଚିକିତ୍ସା କରିବେ । ଏନେଇ କୌଣସି ସରକାରୀ ସହାୟତା ପ୍ରଦାନ କରାଯିବ ନାହିଁ ।

ଘରୋଇ ହସ୍ପିଟାଲ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର କୋଭିଡ୍-୧୯ ନିୟମ ଅନୁଯାୟୀ ରୋଗୀଙ୍କ ଚିକିତ୍ସା କରିବେ । ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍, ସାନିଟାଇଜର, ପିପିଇ କିଟ୍ ମହଜୁଦ୍ ରଖିବେ । ଅଣ-ସଂକ୍ରମିତ ରୋଗୀଙ୍କୁ ଯେଭଳି କରୋନା ନବ୍ୟାପିବ ସେନେଇ ଘରୋଇ ହସ୍ପିଟାଲ ପଦକ୍ଷେପ ନେବେ । କରୋନା ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ କର୍ମଚାରୀ ସମସ୍ତ ସୁରକ୍ଷା ଉପକରଣ ବ୍ୟବହାର କରିବା ସହ ୧୪ ଦିନ ଡ୍ୟୁଟି ପରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । କ୍ୱାରେଣ୍ଟାଇନ ଅବଧି ଶେଷ ପରେ ପୁଣି କାମରେ ଯୋଗଦେବେ । ଘରୋଇ ହସ୍ପିଟାଲ କରୋନା ସଂକ୍ରମିତଙ୍କ ସମସ୍ତ ଟେଷ୍ଟ ସରକାର ଧାର୍ଯ୍ୟ କରିଥିବା ମୂଲ୍ୟରେ କରିବେ ।

ନଜର ପକାନ୍ତୁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଲେ କରୋନା ଆକ୍ରାନ୍ତଙ୍କୁ କେଉଁ ବେଡରେ କେତେ ଟଙ୍କା ଦେବାକୁ ପଡ଼ିବ ।

ତେବେ, ଅର୍ଥ ନଦେଇ ପାରିବା ଯୋଗୁଁ କୌଣସି ମୃତଦେହକୁ ଅଟକ ରଖିପାରିବେନି ମେଡିକାଲ କର୍ତ୍ତୃପକ୍ଷ । ପ୍ରତିଦିନ ବିଲ୍ ଆଦାୟ ପାଇଁ ପଦକ୍ଷେପ ନେବେ । ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ କରୋନା ଆକ୍ରାନ୍ତଙ୍କ ସଂସ୍କାର କରାଯିବ । ସମସ୍ତ ଆକ୍ରାନ୍ତଙ୍କ ଡାଟାକୁ ନିର୍ଦ୍ଦିଷ୍ଟ ପୋର୍ଟାଲରେ ଦେବାକୁ ହେବ । ଆକ୍ରାନ୍ତଙ୍କ ସହ ଜଣେ ସମ୍ପର୍କୀୟ ହସ୍ପିଟାଲ ପରିସରରେ ରହିବେ । ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଥିବା ସ୍ଥାନରେ ସିସିଟିଭି ଲଗାଇବାକୁ ହେବ ।

Leave a Reply