spot_img

Latest Posts

କୋରାପୁଟରେ ହେଲା ରାଜ୍ୟର ୬ଷ୍ଠ ପ୍ଲାଜମା ବ୍ୟାଙ୍କ, ଭିଡିଓ କନଫରେନ୍ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ : କୋରାପୁଟରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି । ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଏହି ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ସମସ୍ୟା ବଢିବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ଲୋକେ ପ୍ଲାଜମା ଚିକିତ୍ସା ସୁବିଧା ଏହି ପ୍ଲାଜମା ବ୍ୟାଙ୍କ ଦ୍ୱାରା ପାଇପାରିବେ ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇ ସାରିଛି । ପ୍ଲାଜମା ବ୍ୟାଙ୍କକୁ ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଥିଲେ । କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସେ ଅପିଲ କରିଥିଲେ ।ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର କେହି ଜଣେ ବି ରୋଗୀ ଅତ୍ୟାଧୁନିକ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ। ବର୍ତ୍ତମାନ ଏହି ନୂଆ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହେବା ଦ୍ବାରା ରାଜ୍ୟର ସବୁ ଅଞ୍ଚଳର କୋଭିଡ ରୋଗୀମାନେ ପ୍ଲାଜମା ଚିକିତ୍ସାର ସୁବିଧା ପାଇପାରିବେ ।

ଆଦିବାସୀବହୁଳ କୋରାପୁଟ ଜିଲ୍ଲାରେ ଏହି ବ୍ୟାଙ୍କ ଖୋଲିବା ଦ୍ୱାରା ସେହି ଅଞ୍ଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଆଉ ଏକ ମାଇଲଷ୍ଟୋନ ହୋଇପାରିଛି ଏବଂ ଆଧୁନିକ ଚିକିତ୍ସା ପଦ୍ଧତି ଉପରେ ଆମର ଜନଜାତି ଭାଇଭଉଣୀଙ୍କ ଆସ୍ଥା ଓ ବିଶ୍ବାସକୁ ଅଧିକ ସୁଦୃଢ କରିଛି ବୋଲି ସେ କହିଥିଲେ। ଏହି ଅବସରରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ କରି ଅନ୍ୟ ମାନଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ପୁଣିଥରେ  ଆହ୍ୱାନ ଜଣାଇଥିଲେ।

ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର  ଦାସ ଓ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ କହିଥିଲେ ଯେ କୋରାପୁଟରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହେବା ଦ୍ୱାରା ଓଡିଶାର ଦକ୍ଷିଣାଞ୍ଚଳର କୋଭିଡ ରୋଗୀମାନେ ଉପକୃତ ହେବେ।   ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ସଫଳ କରି  ପ୍ଲାଜମା ଦାନ କରିବା ପାଇଁ ଯୋଗ୍ୟ ବ୍ୟକ୍ତିମାନେ ଅଧିକ ସଂଖ୍ୟାରେ ଆଗେଇ ଆସିବାକୁ ଦୁଇ ମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ।

Latest Posts

Don't Miss