ବିନା ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷେତ୍ର ଦିବସ
ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷେତ୍ର ଦିବସ ୨୫.୭.୨୦୨୦ରେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର-୨୦୧୯ ଔପନ୍ୟାସିକା ବୀଣାପାଣି ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତାଙ୍କୁ ମାନପତ୍ର ଓ ଉତ୍ତରୀୟ ସହିତ ଏକଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରି ସମ୍ମାନିତ କରିଛନ୍ତି ।
ଏହି ଅବସରରେ ଏକାଡେମୀ ପକ୍ଷରୁ ପ୍ରକାଶିତ ୧୭ ଗୋଟି ପୁସ୍ତକ ଏବଂ ଗୋଟିଏ ତ୍ରୈମାସିକ ମୁଖପତ୍ର ‘କୋଣାର୍କ’ ଲୋକାର୍ପିତ ହୋଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ୬୩ତମ ସ୍ୱନକ୍ଷେତ୍ର ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଲିଖିତ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ।
ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର, ଅତିବଡ଼ୀ ପୁରସ୍କାର ପ୍ରାପ୍ତ ଲେଖକ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ, ବିଶିଷ୍ଟ କବି ରମାକାନ୍ତ ରଥ, ଏକାଡେମୀର ପୂର୍ବତନ ସଭାପତି ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା, ବିଶିଷ୍ଟ କବି ହୁସେନ୍ ରବିଗାନ୍ଧୀ, ଏକାଡେମୀର ପୂର୍ବତନ ଉପସଭାପତି ବିଶିଷ୍ଟ ସାହିତ୍ୟିକ ଶ୍ରୀନିବାସ ଉଦ୍ଗାତା, ପୂର୍ବତନ ଉପସଭାପତି ତଥା ସଚିବ ବିଶିଷ୍ଟ କଥାକାର ଚନ୍ଦ୍ରଶେଖର ଦାସବର୍ମା, ପୂର୍ବତନ ସଚିବ ବିଶିଷ୍ଟ ସାହିତ୍ୟିକ ରାଜକିଶୋର ମିଶ୍ର, ପୂର୍ବତନ ସଚିବ ତଥା ବିଶିଷ୍ଟ କବି ହରପ୍ରସାଦ ପରିଚ୍ଛା ପଟ୍ଟନାୟକ, ପୂର୍ବତନ ସଚିବ ତଥା ବିଶିଷ୍ଟ କଥାକାର ଜୟନ୍ତୀ ରଥ ଏବଂ ବିଶିଷ୍ଟ ପ୍ରାବନ୍ଧିକ ତଥା ସମାଲୋଚକ କୈଳାସଚନ୍ଦ୍ର ଟିକାୟତରାୟ, ବିଶିଷ୍ଟ ସାହିତ୍ୟିକ ତଥା କବି ପ୍ରତିଭା ଶତପଥୀ, ବିଶିଷ୍ଟ କଥାକାର ଗୌରହରି ଦାସ ଓ ବିଶିଷ୍ଟ କଥାକାର ସୁସ୍ମିତା ବାଗଚୀ ପ୍ରମୁଖ ଏକାଡେମୀ ସ୍ୱନକ୍ଷେତ୍ର ଦିବସ ଅବସରରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ସମ୍ପ୍ରତି କରୋନା ମହାମାରୀ ଜନିତ ସଂକ୍ରମଣ ପାଇଁ ଉତ୍ସବ ଭିତ୍ତିକ କାର୍ଯ୍ୟକ୍ରମକୁ ଭର୍ଚ୍ୟୁଆଲ ମାଧ୍ୟମରେ ପ୍ରସାରଣ ପାଇଁ ଏକାଡେମୀ ନିଷ୍ପତ୍ତି ନେଇଥିଲା ।
