ପ୍ରଧାନମନ୍ତ୍ରୀଙ୍କର ଗରିବ କଲ୍ୟାଣ ଯୋଜନା ଏବେ ଗରିବଙ୍କ ପାଇଁ ସଞ୍ଜିବନୀ: ସମୀର ମହାନ୍ତି
ଗରିବ, କୃଷକ ଏବଂ ଶ୍ରମିକ ସମେତ ଦେଶର ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଯୋଜନା ଅନୁଯାୟୀ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ବା ଗହମ ଓ ପ୍ରତି ପରିବାରକୁ ୧ କିଲୋ ଡାଲି ଆଗାମୀ ୫ ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ଏଥି ପାଇଁ ୯୦ ହଜାର କୋଟି ବ୍ୟୟ ବରାଦ କରାଯାଇଛି । ଏହା ଦ୍ୱାରା ଓଡିଶାର ଜନତା ଅଧିକ ଉପକୃତ ହେବେ । ଓଡିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨ ଲକ୍ଷ ୯୮ ହଜାର ୫ ଶହ ୮୨ ପରିବାରର ୩ କୋଟି ୨୪ ଲକ୍ଷ ୭୩ ହଜାର ୩ଶହ ୭୦ଜଣ ହିତାଧିକାରୀ ଏହାର ଲାଭ ଉଠାଇ ପାରିବେ । ପ୍ରଧାନମନ୍ତ୍ରୀଙ୍କର ଖାଦ୍ୟ ସୁରକ୍ଷା ଯୋଜନା ସଂପ୍ରସାରଣ ନିଷ୍ପତ୍ତିକୁ ଏଭଳି ଭାବେ ପ୍ରଶଂସା କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।
ସେ କହିଛନ୍ତି ଯେ, କରୋନା ସମୟରେ ଯେଉଁମାନେ ଖାଦ୍ୟ ସୁରକ୍ଷା ସାମିଲ ହୋଇପାରିନାହାଁନ୍ତି ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନା ଭଳି ଘଢିସନ୍ଧି ମୁହୁର୍ତ୍ତରେ ଗରିବ ଲୋକମାନେ କଷ୍ଟରେ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଗରିବକଲ୍ୟାଣ ଯୋଜନା ସେମାନଙ୍କ ପାଇଁ ସଞ୍ଜିବନୀ ସଦୃଶ୍ୟ । ଏହାବ୍ୟତୀତ ଜନଧନ ଯୋଜନାରେ ୧୬ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କଖାତାରେ ୬ହଜାର ୩ଶହ କୋଟି ଟଙ୍କା ଡିପୋଜିଟ କରାଯାଇଛି ଓ ୧୨ଲକ୍ଷ ରୁପେ କାର୍ଡ ଇସ୍ୟୁ କରାଯାଇଛି । ସେହିଭଳି ଗତ ୩ ମାସ ମଧ୍ୟରେ ପାଖାପାଖି ୨୦ ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଛନ୍ତି । ସେମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଛି । ସେମାନଙ୍କୁ ନିଜ ଗ୍ରାମରେ ଭିନ୍ନ ଭିନ୍ନ ୨୫ ଟି କାମରେ ରୋଜଗାର ଯୋଗାଇ ଦିଆଯିବ । ଏହା ଦ୍ୱାରା ଓଡିିଶା ଭଳି ରାଜ୍ୟରେ ଥିବା ଲକ୍ଷାଧିକ ପ୍ରବାସୀ ଶ୍ରମିକ ଏହାର ଲାଭ ଉଠାଇ ପାରିବେ । ପ୍ରଧାନମନ୍ତ୍ରୀ ଜୀବନ ଏବଂ ଜୀବିକାକୁ ଗୁରୁତ୍ୱ ଦେଇ ଚାଲିଛନ୍ତି । ଦେଶର କୃଷକ ଓ କରଦାତାଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମ ଯୋଗୁଁ ଭାରତ ଗରିବ ତଥା ସମାଜର ସବୁ ସ୍ତରର ଲୋକଙ୍କୁ ସାହାଯ୍ୟ ଓ ସଶକ୍ତିକରଣ କରିବାର ପ୍ରୟାସକୁ ସଫଳତାର ସହ ଆୟୋଜନ କରାଯାଇଛି । ଲୋକାଲ ପାଇଁ ଭୋକାଲ ହୋଇ ଆମେ ଆତ୍ମନିର୍ଭର ଭାରତ ପାଇଁ ସଂକଳ୍ପ କରିବା ଏବଂ ଆଗକୁ ବଢିବା ପାଇଁ ଶ୍ରୀ ମହାନ୍ତି କହିଛନ୍ତି ।