ନୂଆଦିଲ୍ଲୀ: ଲକଡାଉନ୍ ଜୀବନ ଉପରେ ଲଗାଇ ଦେଇଛି ତାଲା । ମୁଠାଏ ଦାନା ଯୋଗାଡ କରିବାକୁ ଯେଉଁମାନେ ଦିନେ ଭିଟାମାଟି ଛାଡି ଥିଲେ ଏବେ ସେମାନେ ସେଇ ମୁଠାଏ ଦାନା ପାଇଁ ଘରକୁ ଫେରୁଛନ୍ତି । ପାଖରେ ନାହିଁ ଟଙ୍କା,ଖାଇବାକୁ ଦାନା ତେଣୁ ଘରମୁହାଁ ହେଉଛନ୍ତି ପ୍ରବାସୀ ଶ୍ରମିକ । ହଜାର ହଜାର କିଲୋମିଟରର ପଦଯାତ୍ରାର ଚିତ୍ର ଦେଶର ଅନ୍ତରଆତ୍ମାକୁ ଛିନ୍ନଭିନ୍ନ କରୁଛି । କେଉଁଠି କଅଁଳ ଶିଶୁକୁ ଧରି ମା’ ପାଦରେ ଚାଲୁଛି ତ’ କେଉଁଠି ଖାଲି ପାଦରେ ଶ୍ରମିକ ଘରମୁହାଁ । ହରିଆନାରୁ ଆସିଥିବା ଗୋଟିଏ ଚିତ୍ର ନିଶ୍ଚିତ ଆପଣଙ୍କୁ ବ୍ୟଥିତ କରିବ ।
ହରିଆନାର ଅମ୍ବାଲାରୁ ଆସିଥିବା ଚିତ୍ର ପୁରା ଦେଶକୁ କନ୍ଦାଉଛି । ପଞ୍ଜାବରୁ ପଳାୟନ କରୁଥିବା କିଛି ଶ୍ରମିକଙ୍କ ପାଦରେ ଚପଲ ବଦଳରେ ଅଛି ପାଣି ବୋତଲ । ଅଧିକା ବାଟ ଚାଲିବା କାରଣରୁ ଚପଲ ଘସି ହୋଇ ଛିଡି ଯାଇଥିଲା । ତେଣୁ ଶ୍ରମିକ ପାଣି ବୋତଲକୁ କାଟିକରି ପାଦରେ ବାନ୍ଧି ଚାଲୁଛନ୍ତି । ପାଣି ବୋତଲ ଦେଉଛି ପାଦକୁ ସାହରା । ଘରକୁ ଫେରିବାର ଦୁର୍ବାର ଆଶା ସେମାନଙ୍କୁ ବାଟ କଢାଇ ନେଉଛି ।
ପଞ୍ଜାବରୁ ଫେରୁଥିବା ଏହି ଶ୍ରମିକଙ୍କ ପାଖରେ ନ୍ୟାସନାଲ ଲକଡାଉନ୍ ପାଇଁ ପାସ ନଥିଲା । ତେଣୁ ଅମ୍ବାଲା ପୋଲିସ ସେମାନଙ୍କୁ ଜାତୀୟ ରାଜପଥରେ ଅଟକାଇ ଫେରାଇ ଦେଇଥିଲା । ପୋଲିସ ମାଡ ଭୟରେ ସେମାନେ ପଳାୟନ କରିଥିଲେ । ଏହି ଦୌଡାଦୌଡିରେ ଅନେକଙ୍କ ଚପଲ ଛିଣ୍ଡି ଯାଇଥିଲା । ଆଉ କିଛିଙ୍କର ଚପଲ ଅଧିକ ବାଟ ଚାଲିବାରୁ ଛିଡି ଯାଇଥିଲା ।
#lockdownindia#LockdownSA#SaturdayVibes
तपती हुई धूप और ये तस्वीरें, मजदूरों की ये हालत बहुत दुर्भाग्यपूर्ण है.😰घिस गईं चप्पलें, पैरों में पानी की बोतल बांधकर पैदल चल रहे मजदूर😥
पता नही देश में कब मजदूर और गरीबो की हालत में सुधार होगा @PMOIndia@CMOfficeUP@narendramodi pic.twitter.com/xytdWCEi1z
— Deepak Atewa PBH (@Deepak885857) May 9, 2020
ପାଣି ବୋତଲ ହେଲା ଚପଲ
କିନ୍ତୁ ଭୀଷଣ ଗରମରେ ଖାଲି ପାଦରେ ଚାଲିବା ଅସମ୍ଭବ ହୋଇ ପଡିଥିଲା । ଏମିତିରେ କିଛି ଶ୍ରମିକଙ୍କ ମୁଣ୍ଡକୁ ଖାଲି ପାଣି ବୋତଲକୁ ଚପଲ ବନାଇବା ଉପାୟ ଆସିଥିଲା । ସେମାନେ ପାଣି ବୋତଲକୁ କାଟି ପାଦରେ ବାନ୍ଧିଥିଲେ ଓ ନିଜ ଲକ୍ଷ୍ୟସ୍ଥଳ ଆଡକୁ ଅଗ୍ରସର ହୋଇଥିଲେ ।
ରାସ୍ତାରେ ବିଧାୟକ ଦେଲେ ଚପଲ
ଶ୍ରମିକଙ୍କ ଏହି ଅସହାୟତାର ଖବର ଅମ୍ବାଲା ବିଧାୟକ ଅସିମ ଗୋୟଲଙ୍କ କାନରେ ପଡିଥିଲା । ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ଚପଲ ଦେଇଥିଲେ । ଏହାସହ ପୋଲିସକୁ ଶ୍ରମିକଙ୍କୁ ରାସ୍ତା ଛାଡିବା ପାଇଁ କହିଥିଲେ । ସେ ମଧ୍ୟ ଶ୍ରମିକଙ୍କୁ ଖାଦ୍ୟ ଦେଇଥିଲେ ।

