ଲକଡାଉନ୍ ବିବାହ: ୩ଫୁଟିଆ ବର ହାତ ଧରିଲା ୪ଫୁଟର କନିଆ
ମୁମ୍ବାଇ: ଲକଡାଉନ୍ ସମୟରେ, ସମସ୍ତ ଜନସମାଗମକୁ ବନ୍ଦ କରିଦିଆଯାଇଛି । ପୂର୍ବରୁ ସ୍ଥିର କରାଯାଇଥିବା ବିବାହକୁ ମଧ୍ୟ ସ୍ଥଗିତ ରଖାଯାଉଛି । କିନ୍ତୁ ଆଗକୁ ଭଲ ଯୋଗ ନଥିବାରୁ ପ୍ରଶାସନର ଅନୁମତି କ୍ରମେ କେତେକ ସ୍ଥାନରେ ସାମାଜିକ ଦୂରତାକୁ ଧ୍ୟାନରେ ରଖି ବିବାହ କାର୍ଯ୍ୟ କରାଯାଉଛି । ଏବଂ ଅନେକ ବିବାହ ଭିନ୍ନଭିନ୍ନ ଢଙ୍ଗରେ କରାଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଠିକ୍ ଏମିତି ଏକ ନିଆରା ବିବାହ ମହାରାଷ୍ଟ୍ରରେ ହୋଇଛି ।
ଏହି ବିବାହ ୨୯ବର୍ଷର ଯୁବକ ସହ ୧୯ବର୍ଷୀୟ ଯୁବତୀର ହୋଇଥିଲା । ଆପଣମାନେ ଭାବୁଥିବା ଏଟା ତ ଗୋଟେ ସାଧାରଣ କଥା ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି । ତେବେ ଆଶ୍ଚର୍ଯ୍ୟ ହେବାର କାରଣ ହେଉଛି ଉଭୟଙ୍କ ଉଚ୍ଚତା । କାରଣ ସେମାନଙ୍କର ଉଚ୍ଚତା ୪ ଫୁଟ ଓ ୩ ଫୁଟରେ ସୀମିତ ଅଛି ।
ମହାରାଷ୍ଟ୍ରରେ ଧୁଲେ ଜିଲ୍ଲାର ଶିରପୁର ତହସିଲରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ୨୯ ବର୍ଷୀୟ ଜାମରୁ ରାଜେନ୍ଦ୍ର କୋଲି ଏବଂ ୧୯ ବର୍ଷୀୟ ନୟନା ମଧ୍ୟରେ ହୋଇଥିଲା । ଏହି ବିବାହର ବିଶେଷ କଥା ହେଲା ବରର ଉଚ୍ଚତା ୩ଫୁଟ ହୋଇଥିବାବେଳେ କନ୍ୟାର ଉଚ୍ଚତା ୪ଫୁଟ୍ । ବର ଜାମରୁ ୧୦ମ ଯାଏଁ ପାଠ ପଢିଥିବାବେଳେ ନୟନା ଦ୍ୱାଦଶ ପର୍ଯ୍ୟନ୍ତ ପଢିଛନ୍ତି । ଉଭୟଙ୍କ ବିବାହ ପୂର୍ବରୁ ସ୍ଥିର ହୋଇସାରିଥିଲା କିନ୍ତୁ କରୋନା ଯୋଗୁଁ ବାହାଘର ହୋଇପାରି ନଥିଲା । ଗାଁରେ ଏକ ସରଳ ବିବାହ ସମାରୋହରେ, ସାମାଜିକ ଦୂରତା ପରେ ବୁଧବାର ଦିନ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ସମ୍ପର୍କୀୟମାନେ ମଧ୍ୟ ଏହି ବିବାହକୁ ଆସିବାକୁ ଚେଷ୍ଟା କରି ମଧ୍ୟ ଲକଡାଉନ୍ କାରଣରୁ ଏଠାକୁ ଆସିପାରି ନଥିଲେ ।