କେମିତି ଥିଲା ବାତ୍ୟା ‘ଫନି’ ? ମନେ ପକାଇଲେ ଶିହିରୀ ଉଠୁଛି ଦେହ…

ଭୁବନେଶ୍ୱର: ବାତ୍ୟା, ପ୍ରାକୃତିକ ବିପର୍ଯ୍ୟୟ । ୧୯୯୯ରୁ ୨୦୧୯, ଦୁଇ ଦଶନ୍ଧି ଭିତରେ ଓଡ଼ିଶା ଅନେକ ମହାବାତ୍ୟା, ବାତ୍ୟାକୁ ସାମନା କରିଛି । ପୁଣି ଛାତିକୁ ଟାଣ କରି ଛିଡ଼ା ହୋଇଛି । ୨୦୧୯ ମସିହା ମେ ୩, ଆଜିକୁ ଠିକ୍ ବର୍ଷେ । ଓଡ଼ିଶା ଦେଖିଥିଲା ବାତ୍ୟା ‘ଫନି’ର କରାଳ ପ୍ରକୋପ । ସମୁଦ୍ର ତଟରୁ ଶ୍ମଶାନ, ରେଲୱେ ଷ୍ଟେସନରୁ ରାଜଧାନୀର କୋଣ ଅନୁକୋଣ । ସବୁଠି ତାଣ୍ଡବ ରଚିଥିଲା ‘ଫନି’ ।

ବାତ୍ୟା ‘ଫନି’

ଭାରତ ମହାସାଗରରେ ଏପ୍ରିଲ ୨୬ ତାରିଖରେ ସୃଷ୍ଟି ହୋଇଥିଲା ସାମୁଦ୍ରିକ ଝଡ଼ । ୩୦ ତାରିଖରେ ଏହା ରୂପ ଜଣାପଡ଼ିବା ସହ ଆଗକୁ ବଢ଼ିଥିଲା । ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ‘ଫନି’ । ପ୍ରଭାବରେ ମେ ୨ ତାରିଖ ରାତିରୁ ପବନ ସହ ବର୍ଷା ଲାଗି ରହିଥିଲା । ମେ ୩ ସକାଳ ଥିଲା ‘ଫନି’ର ।

ଆତଙ୍କର ମୁହୂର୍ତ୍ତ

ମେ ୩ ସକାଳୁ ପବନର ବେଗ ବଢ଼ିବା ସହ ବଢ଼ିଥିଲା ବର୍ଷା । ରାଜ୍ୟର ସବୁ ସମୁଦ୍ର କୁଳିଆ ଅଞ୍ଚଳରେ ପବନର ବେଗ ବେଶ୍ ଅଧିକ ଥିଲା । ସକାଳ ପ୍ରାୟ ୮ଟା ୪୦ ମିନିଟରେ ପୁରୀରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ‘ଫନି’ । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ସମୁଦ୍ର କୂଳରେ ଥିବା ନୋଳିଆ ବସ୍ତି । ଘଣ୍ଟା ପ୍ରତି ୨୦୦ କିମି ବେଗରେ ବହୁଥିବା ପବନ ନିମିଷକେ ସବୁ କିଛି ଛାରଖାର କରି ଦେଇଥିଲା । ଉଜୁଡ଼ି ଯାଇଥିଲା ହୋଟେଲ ଶିଳ୍ପ, ହରିଣଙ୍କ କୋଳାହଳରେ କମ୍ପୁଥିବା ବାଲୁଖଣ୍ଡ ଅଭୟାରଣ୍ୟ ବି ବାଦ୍ ପଡ଼ିନଥିଲା । ହରିଣ ସବୁ ଗାଏବ ହୋଇଯିବା ସହ ନିଶ୍ଚିହ୍ନ ହୋଇଯାଇଥିଲା ଜଙ୍ଗଲ । ପୁରୀ ଜିଲ୍ଲାର ସମସ୍ତ ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ବ୍ରହ୍ମଗିରି, ସାତପଡ଼ା ଅଞ୍ଚଳର ଦୃଶ୍ୟ ଥିଲା ବେଶ୍ ହୃଦୟ ବିଦାରକ ।

ବାତ୍ୟା ରୂପ ଦେଖିଥିଲା ରାଜଧାନୀ

ସବୁବେଳେ ବାତ୍ୟା କଥା ଶୁଣି ହସରେ ଉଡ଼ାଇ ଦେଉଥିବା ରାଜଧାନୀବାସୀ ଦେଖିଥିଲେ ‘ଫନି’ର କରାଳ ରୂପ । ରାଜଧାନୀର ସବୁଜିମା ଧରାଶାୟୀ ହେବା ସହ ଭୂମିରେ ଲୋଟି ପଡ଼ିଥିଲା ଇଲେକ୍ଟ୍ରି ଖୁଣ୍ଟ, ବଡ଼ ବଡ଼ ହୋର୍ଡିଂ । ବସ୍ତି ଗୁଡ଼ିକୁ ଛାରଖାର୍ କରି ଦେଇଥିଲା ୩ ଘଣ୍ଟାର ବର୍ଷା ଓ ପବନ । ‘ଫନି’ ଲ୍ୟାଣ୍ଡଫଲ୍ ପରର ଚିତ୍ରକୁ ଆଖିରେ ଦେଖି ବିଶ୍ୱାସ କରି ହେଉନଥିଲା ।

ପ୍ରଭାବିତ ହୋଇଥିଲା ୧୪ ଜିଲ୍ଲା

ବାତ୍ୟା ‘ଫନି’ ଯୋଗୁଁ ଅଧା ଓଡ଼ିଶା ପ୍ରଭାବିତ ହୋଇଥିଲା । ପୁରୀ, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁର ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲା ବାତ୍ୟାରେ ପ୍ରଭାବିତ ହୋଇଥିଲା ।

କ୍ଷୟକ୍ଷତି

ବାତ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୪୦ ହଜାର ହେକ୍ଟର ଫସଲ ନଷ୍ଟ ହୋଇଥିଲା । ୫ ଲକ୍ଷ ୫୬ ହଜାର ଘର କ୍ଷତିଗ୍ରସ୍ତ ହୋଇଥିଲା । ୬, ୨୮୧ ଗୃହ ପାଳିତ ପଶୁଙ୍କ ଜୀବନ ଯାଇଥିଲା । ୧ ଲକ୍ଷ ୪୮ ହଜାର ୬୬୩ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ବେଳେ ୬ ହଜାର ୪୧୬ ବୋଟ୍, ୮ ହଜାର ୮୨୮ ଜାଲ ନଷ୍ଟ ହୋଇଥିଲା । ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ଭିତ୍ତିଭୂମି । ରାସ୍ତା, ବିଦ୍ୟୁତ୍, ରେଲୱେ, ଟେଲି କମ୍ୟୁନିକେସନ୍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ରାଜଧାନୀ ପ୍ରାୟ ୧୫ ଦିନ ଅନ୍ଧାରରେ ରହିଥିବା ବେଳେ ପ୍ରଭାବିତ ଅଞ୍ଚଳରେ ମାସେ ଯାଏଁ ବିଦ୍ୟୁତ୍ ଯୋଗାଣ ସମ୍ଭବ ହୋଇପାରି ନଥିଲା ।

ବାତ୍ୟା ମୁକାବିଲା

‘ଫନି’ ଆସିବା ସୂଚନା ପାଇବା ପରେ ରାଜ୍ୟ ସରକାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଥିଲା । ପାଣିପାଗ ବିଭାଗର ଅପଡେଟ୍ ଅନୁଯାୟୀ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବିଶେଷ କରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ସରକାର । ସ୍ୱଳ୍ପ ସମୟ ମଧ୍ୟରେ ୧୫ ଲକ୍ଷ ୫୭ ହଜାର ୧୭୦ ଜଣଙ୍କୁ ସ୍ଥାନାନ୍ତର କରି ଓଡ଼ିଶା ରେକର୍ଡ କରିଥିଲା । ବାତ୍ୟାରେ ରାଜ୍ୟରେ ୫,୨୨୭.୬୮ କୋଟି ମୂଲ୍ୟର କ୍ଷତି ହୋଇଥିଲା ।

ଓଡ଼ିଶାକୁ ୫୫୨ କୋଟି ଟଙ୍କା ବାତ୍ୟା ‘ବୁଲବୁଲ୍’ ସହାୟତା

ଘୁଞ୍ଚିଥିଲା ଉପନିର୍ବାଚନ

ସାଧାରଣ ନିର୍ବାଚନ ଫଳାଫଳକୁ ନେଇ ରାଜନୈତିକ ଉଷ୍ମତା ଥିବାବେଳେ ବାତ୍ୟା ‘ଫନି’ ରୋକିଥିଲା ଉପନିର୍ବାଚନ । ପାଟକୁରା ବିଧାନସଭା ମଣ୍ଡଳିର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ହେବାକୁ ଥିବା ଉପନିର୍ବାଚନକୁ ‘ଫନି’ ପାଇଁ ଘୁଞ୍ଚାଇ ଦିଆଯାଇଥିଲା ।

‘ଫନି’ ବାତ୍ୟାକୁ ସିନା ବର୍ଷେ ପୁରୁଛି ହେଲେ ଏଯାଏଁ କ୍ଷତ ଶୁଖିନି ।

କେମିତି ଥିଲା ମହାବାତ୍ୟା ?

Leave a Reply