ରୋଡ୍ କିମ୍ୱା ଟ୍ରେନ୍ ଯୋଗେ ଫେରିପାରିବେ ପ୍ରବାସୀ: ଯେଉଁ ରାଜ୍ୟରୁ ଫେରିବେ ସେଠାରୁ ପାସ୍ ଆଣିବେ

1 min read

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁଯାୟୀ ଏଣିକି ଓଡ଼ିଶା ଫେରିପାରିବେ ପ୍ରବାସୀ ଓଡ଼ିଆ । ରୋଡ୍ କିମ୍ୱା ଟ୍ରେନ୍ ମାଧ୍ୟମରେ ଫେରିପାରିବେ । ତେବେ ଏ ନେଇ ସେଠାକାର ପ୍ରଶାସନର ଅନୁମତି ନେବା ବାଧ୍ୟତାମୂଳକ । ଏଥିସହିତ ବସ୍‌ ଯାତ୍ରା କିମ୍ୱା ଟ୍ରେନ୍ ଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ମଧ୍ୟ ବାଧ୍ୟତାମୂଳକ ।  ସେଠାକାର ପ୍ରଶାସନ ପକ୍ଷରୁ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ତାଙ୍କ ପ୍ରତିପକ୍ଷ ଅଧିକାରୀଙ୍କୁ ସେମାନଙ୍କ ଯାତ୍ରା ସମ୍ପର୍କରେ ଅବଗତ କରାଇବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ।

୧୧ଟି ଚେକ୍‌ ପଏଣ୍ଟ ଦେଇ ଓଡ଼ିଶାରେ ପ୍ରବେଶ କରିପାରିବେ ପ୍ରବାସୀ ଓଡ଼ିଆ

ଓଡ଼ିଶା ଆସୁଥିବା ବସ୍‌ ଗୁଡ଼ିକ କିଛି ନିର୍ଦ୍ଦିଷ୍ଟ ଚେକ୍‌ ପଏଣ୍ଟ ଦେଇ ହିଁ ରାଜ୍ୟ ମଧ୍ୟକୁ ପ୍ରବେଶ କରିପାରିବ । ସେଗୁଡ଼ିକ ହେଲେ ଗଞ୍ଜାମ- ଗିରିସୋଲା, ସୁନ୍ଦରଗଡ଼-ବୀରମିତ୍ରପୁର, କେନ୍ଦୁଝର-ଚମ୍ପୁଆ, କୋରାପୁଟ-ଚାନ୍ଦିଲି, ମୟୂରଭଞ୍ଜ -ଜାମସୋଲା, ବାଲେଶ୍ୱର-ଲକ୍ଷ୍ମଣନାଥ,  ରାୟଗଡ଼-କେରଡ଼ା, ନୂଆପଡ଼ା-ଖରିଆରରୋଡ଼, ମାଲକାନଗିରି-ମୋଟୁ, କୋରାପୁଟ-ସୁମକି, ବରଗଡ଼-ଲୁହାରଚଟି  । ଏହି ସବୁ ଚେକ୍ ପଏଣ୍ଟ ଦେଇ ଲୋକେ ବସ୍‌, କାର୍ ଯୋଗେ ଓଡ଼ିଶା ମଧ୍ୟକୁ ପ୍ରବେଶ କରିପାରିବେ । 

ଟ୍ରେନ୍ କିମ୍ୱା ରାସ୍ତା ଦେଇ ଓଡ଼ିଶା ପ୍ରବେଶ କରିବା ପୂର୍ବରୁ ସେମାନେ ରାଜ୍ୟ ସରକାରଙ୍କ କୋଭିଡ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି କି ନାହିଁ ସେ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଶ୍ଚିତ କରାଯିବ । ପାସ୍ ପ୍ରଦାନ କରିବାକୁ ପୂର୍ବରୁ ଏହା କରିବା ବାଧ୍ୟତାମୂଳକ ।

ନିର୍ଦ୍ଦିଷ୍ଟ ଷ୍ଟେସନ୍‌କୁ ହିଁ ଆସିବ ଟ୍ରେନ

ସେହିଭଳି ଟ୍ରେନରେ ଫେରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ଷ୍ଟେସନ ସ୍ଥିର ହୋଇଛି । ସେଠାରୁ ଓହ୍ଲାଇଲା ପରେ ସେମାନେ ଯିବକୁ ଥିବା ସ୍ଥାନକୁ ଲୋକମାନଙ୍କୁ ସରକାରୀ ଖର୍ଚ୍ଚରେ ନିଆଯିବ ।  ଟ୍ରେନରେ ଆସିବା ପାଇଁ ପୂର୍ବରୁ ପଞ୍ଜୀକରଣ ବାଧ୍ୟତାମୂଳକ । ରାଜ୍ୟ ସରକାରଙ୍କ ବିନା ଅନୁମତିରେ କୈାଣସି ଟ୍ରେନ ଓଡିଶା ସୀମାକୁ ପ୍ରବେଶ କରିପାରିବ ନାହିଁ । ଟ୍ରେନରେ ବୋର୍ଡିଂ କରିବା ପୂର୍ବରୁ ପ୍ରତ୍ୟେକଟି ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ ।  ଟ୍ରେନ ଓ ବସରେ ଫେରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ । ସହାରଞ୍ଚଳକୁ ଫେରୁଥିବା ବ୍ୟକ୍ତିଙ୍କୁ ଘରେ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପ୍ରାଥମିକତା ଦିଆଯାଉଛି ।

ହୋଟେଲ୍‌ରେ କ୍ୱାରେଣ୍ଟାଇନ୍‌ ରହିପାରିବେ

ସହରାଞ୍ଚଳରେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିପାରିବେ ପ୍ରବାସୀ । ସେମାନଙ୍କ ଘରେ ରହିବା ପାଇଁ ସୁବିଧା ଥିଲେ ଏବଂ ସେମାନଙ୍କ କୌଣସି ସ୍ୱାସ୍ଥ୍ୟଗତ ଅସୁବିଧା ନଥିଲେ କ୍ୱାରେଣ୍ଟାଇନ୍ ଅଧିକାରୀଙ୍କ ଅନୁମତିରେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିପାରିବେ ।  ବିଭିନ୍ନ ସହରାଞ୍ଚଳରେ ୪୦ ହଜାର କ୍ୱାରେଣ୍ଟାଇନ୍ ବେଡ ପ୍ରସ୍ତୁତ କରାଯାଇଛି । ସେମାନେ ଚାହିଁଲେ ପଇସା ଦେଇ ବିଭିନ୍ନ ହୋଟେଲରେ ହୋଇଥିବା କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥାର ମଧ୍ୟ ସୁଯୋଗ ନେଇପାରିବେ । ଏଥିଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ହୋଟେଲ, ଲଜ୍ ଚିହ୍ନଟ କରାଯାଇଛି । ଗ୍ରାମାଞ୍ଚଳକୁ ଫେରୁଥିବା ଲୋକେ ପଞ୍ଚାୟତରେ ହୋଇଥିବା କ୍ୱାରେଣ୍ଟାଇନ୍ ହୋମ୍‌ରେ ରହିବେ । ଏଥିପାଇଁ ୨ଲକ୍ଷ ୬୦ ହଜାର ବେଡ ପ୍ରସ୍ତୁତ ହୋଇଛି । ତେବେ ଗର୍ଭବତୀ ମହିଳା, ପ୍ରସୂତି, ଭିନ୍ନକ୍ଷମ ଓ କିନ୍ନରଙ୍କ ପାଇଁ ସ୍ଥାନୀୟ ସରପଂଚ ନିଜ ସ୍ତରରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ । ଏହାକୁ ନମାନିଲେ ବା କ୍ୱାରେଣ୍ଟାଇନ୍‌ ଉଲ୍ଳଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।

 

 

 

 

 

Leave a Reply