କରୋନା କାଳ : ଭୋକିଲା ପିଲାଙ୍କୁ ବୁଝାଇବାକୁ ରାନ୍ଧିବାର ଅଭିନୟ କଲା ମାଆ !
![](https://nandighoshatv.com/wp-content/uploads/2019/10/maa-1.jpg)
ନାଇରୋବି: କରୋନା ମହାମାରୀ ପାଇଁ ଏବେ ହନ୍ତସନ୍ତ ଧନଜୀବନ । କେଉଁଠି ଘରକୁ ଫେରୁଥିବା ବେଳେ ପ୍ରବାସୀ ପ୍ରାଣ ହରାଉଛନ୍ତି ତ , କେଉଁଠି ପେଟକୁ ଦାନା ନପାଇ ଡହଳବିକଳ ହେଉଛନ୍ତି ପିଲା । ପ୍ରତିଦିନ ଏହି ଭଳି ଦୁଃଖଦ ଘଟଣାର ସାମ୍ନାକୁ ଆସୁଛି । କେନିଆରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି , ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହେବେ ।
କେନିଆର ମୋମ୍ବାସା କାଉଣ୍ଟିର କାସୌନିର ଜଣେ ଶ୍ରମିକ ଶ୍ରେଣୀର ମାଆଟି ଯେତେବେଳେ ଛୁଆମାନଙ୍କୁ ଖାଦ୍ୟ ଦେବାକୁ ଅକ୍ଷମ ହେଲା ସେତେବେଳେ ସେ ଯାହା କଲା ତାକୁ ଦେଖି ଆପଣଙ୍କ ଆଖି ଓଦା ହୋଇଯିବ । ପେନିହା ନାମ୍ନି ଏହି ମହିଳା ଭୋକରେ ପୀଡିତ ପିଲାମାନଙ୍କୁ ଖାଦ୍ୟ ଯୋଗାଇ ପାରିନଥିଲେ, ସେ ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ପଥରକୁ ରାନ୍ଧିବା ଆରମ୍ଭ କରିଥିଲେ । ଯାହାକୁ ଦେଖାଇ ସେ ଛୁଆଙ୍କୁ ବାରମ୍ବାର ଖାଇବା ରନ୍ଧା ହେଉଥିବା କହୁଥିଲେ ।
ମାଆ ପେନିହା କିଟାଓଙ୍କ ଆଠଟି ସନ୍ତାନ । ସ୍ୱାମୀଙ୍କ ହତ୍ୟା ପରେ ସେ ଏକାକୀ ଘରକୁ ସମ୍ଭାଳନ୍ତି । ପେନିହା ଗଣମାଧ୍ୟମକୁ କହିଛନ୍ତି ଯେ ସେ ନିଜ ପିଲାମାନଙ୍କ ସାମ୍ନାରେ ପଥର ଫୁଟାଇ ଖାଦ୍ୟ ରାନ୍ଧିବା ଭଳି ଅଭିନୟ କରୁଛନ୍ତି ଯାହା ଦ୍ୱାରା ସେମାନେ ଶାନ୍ତ ହୋଇ କିଛି ସମୟ ପରେ ଶୋଇ ପାଡ଼ିବେ । ପେନିହା କହିଛନ୍ତି ଛୁଆମାନେ ନିରନ୍ତର କାନ୍ଦୁଥିଲେ ଏବଂ ଶୋଇବାକୁ ବି ଯାଉ ନଥିଲେ । ସେଥିପାଇଁ ମୁଁ ଏହି ଉପାୟକୁ ଆପଣେଇଲି । ମୁଁ ୨ ଥର ପଥରକୁ ପାଣିରେ ଫୁଟାଇଲି ଯେମିତି ଛୁଆମାନଙ୍କୁ ଲାଗିବକି ମୁଁ କିଛି ଗୋଟେ ରାନ୍ଧୁଛି ଏବଂ ସେମାନେ ଅପେକ୍ଷା କରି କରି ଶୋଇପଡ଼ିବେ । ପେନିହା କହିଲେ ଯେତେବେଳେ ଦ୍ୱିତୀୟ ଦିନ ମୁଁ ଛୁାଆଙ୍କ ପାଇଁ ପଥରକୁ ଆଉଥରେ ରାନ୍ଧିବାକୁ ବସିଲି ସେତେବେଳେ ଅଧା ରାତିରୁ ହିଁ ଛୁଆମାନେ ଉଠିଗଲେ । ଏବଂ ୮ଜଣଙ୍କ ଭିତରୁ ଜଣେ କହିଲା ମାଆ ତମେ ଆମକୁ ମିଛ କହୁଛ ତୁମେ ରୋଷେଇ ନ କରି ଗୋଟିଏ ପଥରକୁ ପାଣିରେ ଫୁଟାଉଛ ।
ପେନିହାଙ୍କ ପଡ଼ୋଶୀ ପ୍ରିସ୍କା ନ୍ୟାକରଗିୟୋ କହିଛନ୍ତି ଯେ ଦିନେ ସେ ତାଙ୍କ ପଡ଼ୋଶୀଙ୍କ ଘରେ କାନ୍ଦିବାର ଶବ୍ଦ ଶୁଣିଥିଲେ । ତା’ପରେ ସେମାନେ ପେନିହାଙ୍କ ଅବସ୍ଥା ବିଷୟରେ ପଚାରିବାକୁ ତାଙ୍କ ପାଖକୁ ଯାଇଥିଲେ । ପ୍ରିସ୍କା ପେନିହାଙ୍କୁ ସହାୟତା ସୋସିଆଲ ମିଡ଼ିଆରେ କହିଛନ୍ତି । ମୁଁ ମଧ୍ୟ ଜଣେ ମା ଏବଂ ତାଙ୍କ ଯନ୍ତ୍ରଣା ଅନୁଭବ କରୁଛି । ସେଥିପାଇଁ ମୁଁ ତାଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କଲି । ଏହି ଘଟଣା ସମ୍ପର୍କରେ ଜାଣି ବର୍ତ୍ତମାନ ପେନିହାଙ୍କୁ ସାହାଯ୍ୟ କରିବାକୁ ଅନେକ ଲୋକ ଆଗକୁ ଆସୁଛନ୍ତି ।
ପେନିହା କହିଛନ୍ତି ଯେ ଚୋରମାନେ ତାଙ୍କ ଘରେ ଆକ୍ରମଣ କରି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ । ସେ ସେହି ସମୟରେ ଦୁଇମାସ ଗର୍ଭବତୀ ହୋଇଥିଲେ । ଏହି ପରିସ୍ଥିତିରେ ପେନିହା ପେଷାକ ଧୋଇବାର କାମ ଆରମ୍ଭ କରିଥିଲେ। କିନ୍ତୁ ଦେଶରେ କରୋନା ଭାଇରସର ପ୍ରଥମ ମାମଲା ଦେଖାଯିବା ପରେ ହିଁ ସବୁକିଛି ବଦଳିଗଲା । କେନିଆରେ, କରୋନା ସଙ୍କଟରେ ଥିବା ସମସ୍ତ ପରିବାର ଦୁଇ ଓଳି ଦୁଇ ମୁଠା ଖାଇବା ବର୍ତ୍ତମାନ ଅସମ୍ଭବ ହୋଇପଡ଼ିଛି ।