ନୟାଗଡରେ ନିଆରା ବାହାଘର,ଜିଲ୍ଲାପାଳ କଲେ କନ୍ୟାଦାନ
ନୟାଗଡ଼: ମହାମାରୀ କରୋନା ଭାଇରସ୍ ମହାସଙ୍କଟ ସମୟରେ ହେଲା ମିଳନ । ଲକ୍ଡାଉନ୍ ମଧ୍ୟରେ ହେଲା ବାହାଘର । ବାହାଘରରେ ନା ବାଜିଲା ବାଜା ନା ଫୁଟିଲା ବାଣ । ବରଯାତ୍ରୀ ତ ଦୂରର କଥା ଏପରିକି ପୂରୋହିତ ମଧ୍ୟ ନଥିଲେ ବାହାଘରରେ । ତଥାପି ହୋଇଥିଲା ଏହି ନିଆରା ବାହାଘର । ଏମିତି ଏକ ଖବର ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ହେଉଛି ନୟାଗଡ଼ ଜିଲ୍ଲାର । ନୟାଗଡ଼ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ କୋଠରୀରେ ଏମିତି ଏକ ନିଆରା ବାହାଘର ସମ୍ପର୍ଣ୍ଣ ହୋଇଛି । ଏହି ବାହାଘରରେ ନୟାଗଡ଼ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ଝିଅର ବାପା ସାଜି କନ୍ୟାଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ବର ପିତା ସାଜିଛନ୍ତି ।
ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହୀପୁର ପାଟୁଳିସାହି ଗାଁର ରାଧା ଚରଣ ସାହୁଙ୍କ ପୁଅ ଟୁଟୁ ସାହୁ କମ୍ପ୍ୟୁଟର ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ଗତ ଡିସେମ୍ବର ମାସରେ ନୂଆଗାଁ ବ୍ଲକର ରାଇପୁର ଗାଁର କବିରାଜ ସାହୁଙ୍କ ଝିଅ ଦିପାଞ୍ଜଳୀ ସାହୁଙ୍କ ସହ ବିବାହ ହେବାକୁ ସ୍ଥିର ହୋଇଥିଲା।
ଆଜିର ଦିନରେ ତାଙ୍କ ବିବାହ ହେବାକୁ ଥିବା ବେଳେ କରୋନା ମହମାରୀ କାରଣରୁ ଏହା ହେବା ଅସମ୍ଭବ ହୋଇପଡ଼ିଥିଲା । ତେଣୁ ସରକାରଙ୍କ ନିୟମକୁ ପ୍ରଧାନ୍ୟ ଦେବାକୁ ଯାଇ ବିନା ବରଯାତ୍ରୀ, ବିନା ରୋଷଣୀରେ ବିବାହ କରିବାକୁ ମନସ୍ଥ କରିଥିଲେ ଏହି ଦୁଇଜଣ । ଉଭୟ ପରିବାରଙ୍କ ଆଲୋଚନା ପରେ ଦୁହେଁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିରାଡ଼ମ୍ବର ଭାବେ ବିବାହ କରିଛନ୍ତି । ମୁହଁରେ ମାସ୍କ ପିନ୍ଧି ଉଭୟ ଉଭୟଙ୍କୁ ଫୁଲମାଳ ପିନ୍ଧାଇଥିବା ବେଳେ ଦୀପାଙ୍କ ମଥାରେ ସିନ୍ଦୁର ଦେଇଛନ୍ତି ଟୁଟୁ । ଏହା ସହ ଟୁଟୁ ତାଙ୍କ ଦୁଇ ମାସର ଦରମା ୧୨ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।