ବନ୍ଦ ରହିବ ସେଲୁନ ଓ ବାର, ଜାଣନ୍ତୁ କ’ଣ ଖୋଲା ରହିବ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ମୁକାବିଲା ପାଇଁ ଲକଡାଉନ୍ ୨.୦ରେ ମେ ୩ ପର୍ଯ୍ୟନ୍ତ ଦେଶରେ ଲକଡାଉନ୍ ବଳବତ୍ତର ରହିଛି । ଦୀର୍ଘଦିନର ବ୍ୟବଧାନ ପରେ ବନ୍ଦ ରହିଥିବା ଦୋକାନ ବଜାର ସରକାର ଶନିବାର ଠାରୁ ସମସ୍ତ ପ୍ରକାର ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ଏଥିରେ ଅତ୍ୟାବଶ୍ୟକ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ଦୋକାନ ଅନ୍ତର୍ଭୁକ୍ତ ରହିଛି । ଏହି ଦୋକାନଗୁଡିକରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଲକଡାଉନ୍ ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡିବ । ଯେତେବେଳେ କି ଗୃହ ମନ୍ତ୍ରଣାଳୟ ସପିଂ ମଲ୍ ଏବଂ ମାର୍କେଟ କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ଦିଆଯଆଇ ନାହିଁ । ଗୃହ ମନ୍ତ୍ରଣାଳୟ ଏପ୍ରିଲ୍ ୧୫ରେ ଜାରି କରାଯାଇଥିବା ଆଦେଶରେ ସଂଶୋଧନ କରି କହିଛି ଯେ ଦୋକାନ ତଥା ପ୍ରତିଷ୍ଠା ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ତଥା ମ୍ୟୁନିସିପାଲିଟି କର୍ପୋରେସନ୍ ଓ ନଗରପାଳିକା କ୍ଷେତ୍ରରେ ଥିବା ଆବାସିକ ପରିସର ଏବଂ ପାଖାପାଖି ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ।

ହଟସ୍ପଟ୍ ଏବଂ କଣ୍ଟେନମେଣ୍ଟ ଜୋନରେ କୋହଳ ହେବନି

ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ହଟସ୍ପଟ୍ ଏବଂ କଣ୍ଟେଣ୍ଟମେଣ୍ଟ ଜୋନରେ କୌଣସି ରିହାତି ଦିଆଯାଇ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଦେଇଥିବା ସମ୍ବୋଧନରେ ଏହା କହିଛନ୍ତି ଯେ, କୋହଳ କରିବା ଆପଣଙ୍କ ହାତରେ ଅଛି । ଯେଉଁ ଅଞ୍ଚଳରେ କରୋନା ସଂକ୍ରମଣର କୌଣସି ବିପଦ ରହିବ ନାହିଁ କିମ୍ବା ଯେଉଁଠାରେ କରୋନାଭାଇରସ ନଥିବ, ସେହି ସ୍ଥାନଗୁଡିକରେ ନିୟମ କୋହଳ ହେବ ।

ଏହି ନିୟମଗୁଡିକ ପାଳନ କରିବାକୁ ପଡିବ

ତେବେ ଏହି ନିର୍ଦ୍ଦେଶରେ ସ୍ପଷ୍ଟ ହୋଇଛି ଯେ କେବଳ ୫୦ପ୍ରତିଶତ କର୍ମଚାରୀ ଦୋକାନରେ କାମ କରିବେ । ସେମାନଙ୍କୁ ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିବାକୁ ପଡିବ ଏହାସହ ସେମାନଙ୍କୁ ଲକଡାଉନର ସର୍ତ୍ତ ଅନୁସରଣ କରିବାକୁ ପଡିବ । ମାର୍ଚ୍ଚ ୨୪ରୁ ବନ୍ଦ ରହିଥିବା ଗଳିମାନଙ୍କରେ ଥିବା ଦୋକାନ ଗୁଡ଼ିକ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଖୋଲିବ ।

ମଲ୍ଟି, ସିଙ୍ଗଲ୍ ବ୍ରାଣ୍ଡ ମଲଗୁଡ଼ିକ ଉପରେ କୌଣସି ରିହାତି ଦିଆଯାଇନାହଁ 

ମଲ୍ଟି ଏବଂ ଗୋଟିଏ ବ୍ରାଣ୍ଡର ଜିନିଷ ଥିବା ମଲରେ ଥିବା ଦୋକାନଗୁଡିକ ଖୋଲିବାର ଅନୁମତି ନାହିଁ । ଅର୍ଥାତ୍ ମଲ୍ ଗୁଡିକରେ ଦୋକାନ ଖୋଲିବ ନାହିଁ । ମ୍ୟୁନିସିପାଲିଟି ଅଞ୍ଚଳରେ ପଡୋଶୀ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ । କିନ୍ତୁ ମ୍ୟୁନିସିପାଲିଟି ଅଧିନସ୍ଥ ମାର୍କେଟ ପରିସରରେ ଥିବା ଦୋକାନଗୁଡ଼ିକ ଆସନ୍ତା ୩ ମେ ପର୍ଯ୍ୟନ୍ତ ବନ୍ଦ ରହିବ।

ଏହାସହ କରୋନା ହଟସ୍ପଟ୍ ଏବଂ କଣ୍ଟେନମେଣ୍ଟ ଜୋନରେ ଆସୁଥିବା ଦୋକାନଗୁଡ଼ିକୁ ଏପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ । ଲକଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଥିବା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଏଥିରେ ରାସନ, ପନିପରିବା ଏବଂ ଫଳ ଦୋକାନ ଅନ୍ତର୍ଭୁକ୍ତ ରହିଥିଲା ।

ଗୃହ ମନ୍ତ୍ରଣାଳୟର ସର୍ତ୍ତ

ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଆବାସିକ କଲୋନୀ ନିକଟରେ ନିର୍ମିତ ଦୋକାନ ଏବଂ ଗୋଟିକିଆ ଦୋକାନଗୁଡ଼ିକୁ ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ପୌରସଂସ୍ଥା ସୀମା ମଧ୍ୟରେ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଏହି ଅନୁମତି ସହିତ କିଛି ସର୍ତ୍ତ ମଧ୍ୟ ଲାଗୁ ରହିବ ।

  • ସିନେମା ହଲ୍, ମଲ୍, ସପିଂ କମ୍ପ୍ଲେକ୍ସ, ଜିମ୍, ସ୍ପୋର୍ଟସ୍ କମ୍ପ୍ଲେକ୍ସ, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ, ଥିଏଟର, ବାର୍ ଏବଂ ଅଡିଟୋରିୟମ୍, ଆସେମ୍ବଲି ହଲ୍ ପରି ସ୍ଥାନ ଖୋଲିବ ନାହିଁ ।
  • ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ଗ୍ରାମାଞ୍ଚଳରେ ବଜାର ଖୋଲାଯିବ ।
  • ନେହେରୁ ପ୍ଲେସ୍, ଦିଲ୍ଲୀର ଲଜପାଟ ନାଗର ଭଳି ସହରାଞ୍ଚଳରେ ମାର୍କେଟ କମ୍ପ୍ଲେକ୍ସ ବଜାର ଖୋଲିପାରିବ ନାହିଁ
  • ସହରାଞ୍ଚଳର ଆବାସିକ କ୍ଷେତ୍ରରେ ଦୋକାନ ଖୋଲାଯିବ ।
  • ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ସମସ୍ତ ଦୋକାନ ଗ୍ରାମାଞ୍ଚଳରେ ଖୋଲାଯିବ ।
  • ସମସ୍ତ ଦୋକାନଗୁଡିକ ସମ୍ପୃକ୍ତ ରାଜ୍ୟ / ୟୁନିଅନ୍ ଅଞ୍ଚଳର ପ୍ରତିଷ୍ଠା ଅଧିନିୟମ ଅନୁଯାୟୀ ପଞ୍ଜିକୃତ ହେବା ଉଚିତ୍
  • କେବଳ ଅଧା କର୍ମଚାରୀ ଦୋକାନରେ କାମ କରିପାରିବେ ।
  • ଷ୍ଟାଫ୍ ମାସ୍କ ବାଧ୍ୟତାମୂଳକ ହେବ ।

ଦୋକାନୀ ଏବଂ ଗ୍ରାହକ ମଧ୍ୟ ଶାରୀରିକ ଦୂରତା ଭଳି ପଦକ୍ଷେପ ଗ୍ରହଣ କରିବା ଜରୁରୀ ।

ଖୋଲିବନି ସେଲୁନ, ବାର

ଦୋକାନ ଖୋଲା ନେଇ କେନ୍ଦ୍ର ଗୃହ ମନ୍ତ୍ର।ଳୟ ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଯେ, ରେସ୍ତୋରାଁ ଓ ମଦ ଦୋକାନ ଖୋଲିବା ନେଇ ନିର୍ଦ୍ଦେଶ ନାହିଁ  । ସେଲୁନ ଖୋଲିବା ନେଇ ମଧ୍ୟ ନିର୍ଦ୍ଦେଶ ନାହିଁ  ।

Leave a Reply