ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଜାପାନର ଆଇଚି-ନାଗୋୟାଠାରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି ୫ମ ଏସିଆନ୍ ପାରା ଗେମ୍ସ ୨୦୨୬ । ‘ଇମାଜିନ୍ ୱାନ୍ ହାର୍ଟ’ ମୋଟୋ ସହିତ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ଆସନ୍ତା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଏସିଆର ୪୫ଟି ଦେଶରୁ ପ୍ରାୟ ୩,୦୦୦ ପାରା-ଆଥଲେଟ୍ ୧୮ଟି ଭିନ୍ନ ଭିନ୍ନ ଖେଳରେ ନିଜର ଭାଗ୍ୟ ପରୀକ୍ଷା କରିବେ । ଜାପାନର ପାଲୋମା ମିଜୁହୋ ଷ୍ଟାଡିୟମରେ ଆଜି ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି ଓଡ଼ିଶାର ଗର୍ବ ପାରା-ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ଓ ଦ୍ରୁତ ଧାବିକା ସିମରନ୍ ଶର୍ମା । ଏହି ଦୁଇ ଷ୍ଟାର୍ ଆଥଲେଟ୍ ଉଦ୍ଘାଟନୀ ଉତ୍ସବରେ ଭାରତୀୟ ପତାକା ଧରି ଦଳର ମାର୍ଚ୍ଚ ପାଷ୍ଟର ନେତୃତ୍ୱ ନେବେ। ଚଳିତ ଥର ଭାରତ ତରଫରୁ ୨୮୧ ଜଣିଆ ସଦସ୍ୟ ବିଶିଷ୍ଟ ଦଳ ପଠାଯାଇଛି । ଯେଉଁଥିରେ ୧୧୨ ଜଣ ପୁରୁଷ ଓ ୫୬ ଜଣ ମହିଳାଙ୍କ ସହ ମୋଟ ୧୬୮ ଜଣ ଆଥଲେଟ୍ ୧୧ଟି କ୍ରୀଡ଼ାରେ ଭାରତ ପାଇଁ ପଦକ ଜିତିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଛନ୍ତି ।
ଖେଳର ପ୍ରଥମ ଦିନରେ ହିଁ ଭାରତ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଆନୁଷ୍ଠାନିକ ଉଦ୍ଘାଟନୀ ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍ରେ ଭାରତର ପଦକ ପକ୍କା ହୋଇସାରିଛି । ମହିଳା ବ୍ୟାଡମିଣ୍ଟନ ଡବଲ୍ସରେ ମାନସୀ ଜୋଶୀ ଓ ତୁଳସୀମତି ମୁରୁଗେସନଙ୍କ ଯୋଡ଼ି ଦମଦାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି, ଯାହା ଦ୍ୱାରା ଭାରତର ପ୍ରଥମ ପଦକ ନିଶ୍ଚିତ ହୋଇଛି । ଏହା ସହିତ ପାରାଲିମ୍ପିକ୍ ଚାମ୍ପିୟନ କୃଷ୍ଣା ନାଗର ଓ ନୀତେଶ କୁମାର ମଧ୍ୟ ବିଜୟର ସହ ନିଜର ଅଭିଯାନ ଆରମ୍ଭ କରିଛନ୍ତି । ସୋମବାର ଅର୍ଥାତ୍ ଅକ୍ଟୋବର ୧୯ରୁ ମୁଖ୍ୟ ମେଡାଲ୍ ଇଭେଣ୍ଟ ଗୁଡ଼ିକ ଆରମ୍ଭ ହେବ, ଯେଉଁଠି ଭାରତର ସୁମିତ ଅଣ୍ଟିଲ, ଅବନୀ ଲେଖରା ଓ ଶୀତଲ ଦେବୀଙ୍କ ଭଳି ଷ୍ଟାର୍ ଖେଳାଳି ମାନେ ମଇଦାନକୁ ଓହ୍ଲାଇବେ

