ବାଲେଶ୍ୱରର ମେକାନିକ୍ ତିଆରି କଲେ ମାନୁଆଲ ଭେଣ୍ଟିଲେଟର

ବାଲେଶ୍ୱର: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସଂଖ୍ୟକ ଭେଣ୍ଟିଲେଟର୍ ମିଳୁନାହିଁ । ଅଧିକରୁ ଅଧିକ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲାଯାଉଥିଲେ ବି ଭେଣ୍ଟିଲେଟର ଅଭାବ ଯୋଗୁଁ ସମସ୍ୟା ଲାଗି ରହିଛି । ତେବେ ଜଣେ ଇଲେକ୍ଟ୍ରିକାଲ୍ ମେକାନିକ୍ ତିଆରି କରିଛନ୍ତି ଏକ ମାନୁଆଲ୍ ଭେଣ୍ଟିଲେଟର । ଯାହାକି କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଉପାଦେୟ ହେବ ବୋଲି ଚିକିତ୍ସା ବିଶେଷଜ୍ଞ ମତ ଦେଇଛନ୍ତି । ଏହି ଭେଣ୍ଟିଲେଟର ତିଆରିରେ ଖର୍ଚ୍ଚ ହୋଇଛି ମାତ୍ର ୭ ହଜାର ଟଙ୍କା ।
ମୋଟର ଘୁରୁଛି । ଆଉ ମାନୁଆଲ ଭେଣ୍ଟିଲେଟରରେ ଲଗିଥିବା ଟ୍ୟୁବ୍କୁ ଚାପି ଦେଉଛି ମୋଟର ସହିତ ସଂଯୋଗ ହୋଇଥିବା ପ୍ଲେଟ୍ । ଟ୍ୟୁବ୍ରେ ଲାଗିଥିବା ଅକ୍ସିଜେନ୍ ଟାଙ୍କିରୁ ପାଇପ୍ ଯୋଗେ ଅକ୍ସିଜେନ୍ ଯାଇ ରୋଗୀର ଫୁସ୍ଫୁସ୍ରେ ପହଞ୍ଚିଯାଉଛି । ଏମିତି କିଛି ଯନ୍ତ୍ରପାତି ବ୍ୟବହାର କରି ବାଲେଶ୍ୱରର ଇଲେକ୍ଟ୍ରିକ୍ ମେକାନିକ୍ ସକିଲ୍ ଖାନ୍ ମାନୁଆଲ୍ ଭେଣ୍ଟିଲେଟର ତିଆରି କରିଛନ୍ତି । ରୋଗୀର ଆବଶ୍ୟକତା ମୁତାବକ ଅକ୍ସିଜେନ୍ ମାତ୍ରା ବୃଦ୍ଧି ଓ କମା ଯାଇପାରିବ ।
ଭେଣ୍ଟିଲେଟର କରୋନା ରୋଗୀଙ୍କ ପାଇଁ ବରଦାନ ପାଲଟିବ ବୋଲି ବିଶେଷଜ୍ଞ କହିଛନ୍ତି । ପ୍ରାୟ ୩୦ ବର୍ଷ ତଳେ ଏହାଠାରୁ ନିମ୍ନମାନର ଭେଣ୍ଟିଲେଟର ଦ୍ଵାରା ଚିକିତ୍ସା କରାଯାଉଥିଲା । ବିଶେଷଜ୍ଞଙ୍କ ଅନୁମୋଦନ ପରେ ସକିଲ୍ ଖାନ୍ ପ୍ରସ୍ତୁତ କରିଥିବା ଭେଣ୍ଟିଲେଟର ବ୍ୟବହାର କରାଯାଇ ପାରିବ ବୋଲି ଡାକ୍ତର ମତ ଦେଇଛନ୍ତି ।
କରୋନା ଭାଇରସ୍ର ସଂକ୍ରମୃଣ ରୋକିବା ଓ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଏହି ସମୟରେ ଏହି ମାନୁଆଲ୍ ଭେଣ୍ଟିଲେଟର ଚିକିତ୍ସାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।