ନନ୍ଦିଘୋଷ ବ୍ୟୁରୋ : କେରଳର କୋଚିଠାରେ CJPର ପକ୍ଷରୁ ଏକ ବିଶାଳ ଆନ୍ଦୋଳନ କରାଯାଇଛି। ଦେଶର ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଏବଂ ଏସଆଇଆର କୁ ବାତିଲ କରିବା ଦାବିରେ କୋଚି ମଇଦାନ କମ୍ପିଉଠିଛି। ଦେଶରେ ଗଣତନ୍ତ୍ରର ସୁରକ୍ଷା ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା କରାଯାଉ ବୋଲି ଦଳୀୟ ନେତାମାନେ ଦାବି କରିଛନ୍ତି।
ଏସଆଇଆର ପ୍ରସଙ୍ଗରେ ପୂର୍ବରୁ ଦିଲ୍ଲୀର ଯନ୍ତରମନ୍ତରଠାରେ ହୋଇଥିବା ବିକ୍ଷୋଭ ଭଳି କୋଚିର ରାଜେନ୍ଦ୍ର ମଇଦାନରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ‘ଗଣତନ୍ତ୍ର ବଞ୍ଚାଅ, ଏସଆଇଆର ରଦ୍ଦ କର’ ନାରା ଦେଇ ସଂଗଠନ ପକ୍ଷରୁ ଏହି ଜୋରଦାର ପ୍ରତିବାଦ କରାଯାଇଛି। ଏହି ବିକ୍ଷୋଭ ସମାବେଶରେ ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦକ୍ଷିଣ ଜୋନ୍ ନେତା ବିଜୟ ମାଲାଙ୍ଗଙ୍କ ସମେତ ସହସ୍ରାଧିକ କର୍ମୀ ଓ ସମର୍ଥକ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଦିଲ୍ଲୀରେ ଆନ୍ଦୋଳନ କରୁଥିବା ସମୟରେ ପ୍ରତିଷ୍ଠାତା ଅଭିଜିତ ଦୀପକେ, ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ ପ୍ରମୁଖ ନେତାଙ୍କୁ ପୋଲିସ ଗିରଫ କରିଥିଲା। ଏହି ଘଟଣା ପରେ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇ ଆନ୍ଦୋଳନର ପରବର୍ତ୍ତୀ ପର୍ଯ୍ୟାୟ କେରଳର କୋଚିଠାରେ ଆରମ୍ଭ କରାଯାଇଛି।
ତେବେ ସିଜେପିର ଦିଲ୍ଲୀ ଆନ୍ଦୋଳନକୁ କେନ୍ଦ୍ର କରି ପ୍ରଶାସନ ପକ୍ଷରୁ ଯନ୍ତରମନ୍ତରକୁ ଦିଆଯାଇଥିବା ଆନ୍ଦୋଳନସ୍ଥଳୀ ମାନ୍ୟତା ପ୍ରତ୍ୟାହାର କରିନିଆଯାଇଥିଲା। ଏହା ପରେ ଦଳ କନ୍ନଟ ପ୍ଲେସରେ ନିଜର ପ୍ରତିବାଦ ଜାରି ରଖିଥିଲା। ବର୍ତ୍ତମାନ କୋଚିର ରାଜେନ୍ଦ୍ର ମଇଦାନରେ ହୋଇଥିବା ଏହି ବୃହତ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

