ନନ୍ଦିଘୋଷ ବ୍ୟୁରୋ: ସ୍ପେନରେ ଟ୍ରେନ୍ ଦୁର୍ଘଟଣା । ରାଜଧାନୀ ମାଡ୍ରିଡ୍କୁ ଦକ୍ଷିଣ ଆଣ୍ଡାଲୁସିଆ ଅଞ୍ଚଳକୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଲାଇନରେ ଦୁଇଟି ଦ୍ରୁତଗାମୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୪୬ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସ୍ଥାନୀୟ ସମୟ ସକାଳ ୯ଟା। ହଠାତ୍ ମୋରା ଓ ଓରଗାଜ ନିକଟ ସହରରେ ଦେଇ ଯାଇଥିବା ରେଳ ଟ୍ରାକ୍ରେ ଘଟିଥିଲା ଅଘଟଣ। ରେନଫେ ଓ ଇରୟୋ ନାମକ ଦୁଇଟି ହାଇସ୍ପିଡ ଟ୍ରେନ ପରସ୍ପର ସହ ପିଟି ହୋଇ ଯାଇଥିଲେ।
ସୂଚନା ଅନୁଯାୟୀ, ୧୪୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଇରୟୋ ଟ୍ରେନ୍ ଓ ୩୯୭ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ରେନଫେରେ ଟ୍ରେନ୍ ପରସ୍ପର ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ୧୭୯ ଜଣ ଆହତ ହୋଇଥିବା ବେଳେ ୪୬ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଇଛି । ଟୋଲେଡୋ, ଆଲକଜାର ଡେ ସାନ ଜୁଆନ ଓ କ୍ୟୁଡାଡ଼ ରିୟ ଭଳି ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି। ଦୁର୍ଘଟଣା ପରେ ମାଡ୍ରିଡ-ଆଣ୍ଡାଲୁସିଆ ହାଇସ୍ପିଡ୍ ରେଳ ଧାରଣାରେ ସମସ୍ତ ଟ୍ରେନ୍ ଚଳାଚକୁ ବନ୍ଦ କରାଯାଇଛି।
ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଘଟଣାରେ ଶୋକ ପ୍ରକାଶ କରିବା ସହ ସ୍ଥାନୀୟ ସରକାର ଓ ପରିବହନ ମନ୍ତ୍ରୀଙ୍କୁ ଘଟଣାର ଯାଞ୍ଚ କରିବାକୁ କହିଛନ୍ତି। ଦୁର୍ଘଟଣାରେ ପ୍ରଭାବିତ ଲୋକ ଓ ସେମାନଙ୍କ ପରିବାର ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ଦୁର୍ଘଟଣା ଯୋଗୁଁ ଉଭୟ ଟ୍ରେନ୍ ର ବ୍ୟାପକ କ୍ଷତି ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓ ଓ ଫଟୋରୁ ଦୁର୍ଘଟଣାର ଭୟାବହତା ସ୍ପଷ୍ଟ ବାରି ହୋଇପଡୁଛି ।

