ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍, ରଚିଲା ତାଣ୍ଡବ
ନନ୍ଦିଘୋଷ ବ୍ୟୁରୋ: ଅତି ଭୀଷଣ ରୂପ ନେଇ ଲ୍ୟାଣ୍ଡଫଲ୍ କରିଲା ବାତ୍ୟା ‘ଅର୍ଣ୍ଣବ’ । ଗତକାଲି ରାତି ୨ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇ ଆଜି ସକାଳ ୮ଟାରେ ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଅତିକ୍ରମ କରିଛି । ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ ଅତି ଭୀଷଣରୁ ଭୀଷଣ ରୂପ ନେଇଛି । ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ।
ବାତ୍ୟା କେନ୍ଦ୍ର ନରସାପୁରଠାରୁ ୨୦ କି.ମି. ପୂର୍ବ-ଉତ୍ତରପୂର୍ବରେ, ୟାନାମଠାରୁ ୪୦ କି.ମି. ଦକ୍ଷିଣ-ପଶ୍ଚିମରେ ଓ କାକିନାଡ଼ାଠାରୁ ୬୦ କି.ମି. ଦକ୍ଷିଣ-ପଶ୍ଚିମରେ ରହିଛି । ଏହାସହ ମଚ୍ଛଲିପଟନମ୍ଠାରୁ ୯୦ କି.ମି. ପୂର୍ବ-ଉତ୍ତରପୂର୍ବରେ, ଗନ୍ନାଭରମଠାରୁ ୧୨୦ କି.ମି. ପୂର୍ବରେ ଓ ତୁନିଠାରୁ ୧୨୦ କି.ମି. ଦକ୍ଷିଣ-ପଶ୍ଚିମରେ ରହିଛି । ବର୍ତ୍ତମାନ ବାତ୍ୟାର ସ୍ଥାୟୀ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କି.ମି. ରହିଥିବା ବେଳେ ଝଟକା ପବନର ବେଗ ୧୩୫ କି.ମି. ପର୍ଯ୍ୟନ୍ତ ରହୁଛି ।
ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଧୀରେ ଧୀରେ ଦୁର୍ବଳ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୬ ଘଣ୍ଟାରେ ବାତ୍ୟା ଓ ତା’ପର ୬ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହୋଇ ଓଡ଼ିଶାର ମାଲକାନଗିରି ଜିଲ୍ଲା ଦେଇ ଅବପାତ ରୂପ ନେଇ ଛତିଶଗଡ ଦେଇ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୬୦ ରୁ ୮୦ କି.ମି. ପବନ ବହିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ଓଡ଼ିଶାର ଗଜପତି ଜିଲ୍ଲା ମହେନ୍ଦ୍ରଗଡରେ ସର୍ବାଧିକ ୨୪୯.୯ ମିଲିମିଟର ବର୍ଷା ହୋଇଥିବା ବେଳେ କୋରାପୁଟରେ ୧୮୮ ମି.ମି., ଗଞ୍ଜାମରେ ୧୬୧.୪ ମି.ମି. ଓ ଗଜପତିରେ ୧୩୫ ମି.ମି. ବର୍ଷା ରେକର୍ଡ ହୋଇଛି । ବାତ୍ୟା ପ୍ରଭାବରେ ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ପ୍ରାୟ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି ।
‘ଅର୍ଣ୍ଣବ’ର ତାଣ୍ଡବ
ଲ୍ୟାଣ୍ଡଫଲ୍ ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ ଦେଖିବାକୁ ମିଳିଥିଲା । ବିକଟାଳ ଶବ୍ଦ କରି ଯେତେ ସ୍ଥଳଭାଗ ଆଡକୁ ମୁହାଁଉଥିଲା ଲୋକଙ୍କ ମନରେ ସେତେ ଛନକା ପଶୁଥିଲା । ୧୧୦ରୁ ୧୨୦ କି.ମି ବେଗରେ ପହନ ବୋହିବା ସହ ପ୍ରାୟ ୧୩୫ କି.କି ବେଗରେ ଝଟକା ପବନ ଯେଉଁଆଡେ ମୁହାଁଇଥିଲା ସବୁଠି ତାଣ୍ଡବ ରଚିଥିଲା । ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗିଥିବା ବେଳେ ବହୁ ଲୋକଙ୍କ ଘର ଭୁଶୁଡ଼ିବା ସହ ଛପର ଉଡ଼ିଯାଇଛି । ପବନ ସାଙ୍ଗକୁ ଲଗାଣ ବର୍ଷା ସ୍ଥିତିକୁ ବେହାଲ କରିଛି । ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି କିଛଇ ସ୍ଥାନରେ ବନ୍ୟାପାଣି ବନ୍ଧ ବାଡ଼ ଭାଙ୍ଗି ରାସ୍ତାରେ ପ୍ରବାହିତ ହେବାରେ ଲାଗିଛି । ଫଳରେ ବହୁ ଅଞ୍ଚଳର ଲୋକେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯିବା ସହ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।

