ନନ୍ଦିଘୋଷ ବ୍ୟୁରୋ: ରକ୍ତର ଗୋଟିଏ ବୁନ୍ଦା କହିବ ଆପଣ କେତେ ମାତ୍ରାରେ ସୁସ୍ଥ ଅଛନ୍ତି । ରକ୍ତପରୀକ୍ଷା ପାଇଁ ଆଉ ବଡ ଲାବୋରେଟୋରୀ ଦରକାର ନାହିଁ, ନା ଦରକାର ବଡ ବଡ ମେସିନ୍ । ଗୋଟିଏ ଟୋପା ରକ୍ତରୁ ହିଁ ଜଣାପଡିବ ଆପଣଙ୍କୁ ରକ୍ତହୀନତା ଏବଂ ସିକଲ୍ ସେଲ୍ ରୋଗ ଅଛି କି ନାହିଁ । ମାତ୍ର ୨ ମିନିଟରେ ହିଁ ଜଣାପଡିଯିବ, ଏଥିପାଇଁ ଆବଶ୍ୟକ ପଡିବେନି ସ୍ପେଶାଲିଷ୍ଟ । ସ୍ୱାସ୍ଥ୍ୟ ଜଗତରୁ ଏମିତି ଏକ ବଡ଼ ଖୁସିର ଖବର ଆସିଛି । ଦେଶର ପ୍ରତିଷ୍ଠିତ ପ୍ରତିଷ୍ଠାନ ଆଇଆଇଟି ବମ୍ବେର ଗବେଷକମାନେ କମ୍ ଖର୍ଚ୍ଚରେ ଏଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବାହାର କରିଛନ୍ତି, ଯାହାକି କେବଳ ଗୋଟିଏ ବୁନ୍ଦା ରକ୍ତକୁ ଦେଖି ଦୁଇଟି ବଡ଼ ରୋଗ ରକ୍ତହୀନତା (ସିଭିଅର ଆନେମିଆ) ଏବଂ ସିକଲ୍ ସେଲ୍ ରୋଗକୁ ଅତି ସହଜରେ ଚିହ୍ନଟ କରିପାରିବ।

IIT ବମ୍ବେର କେମିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ମହେଶ ତିରୁମକୁଦୁଲୁ, ଏବଂ ତାଙ୍କ ସହ ଡ. ମହରୁଖ୍ ମିର୍ ଏଭଳି ଏକ ଡିଭାଇସ୍ ପ୍ରସ୍ତୁତ କରିଛନ୍ତି । ବୈଜ୍ଞାନିକଙ୍କ ଅନୁଯାୟୀ ଯେଉଁଠି ବଡ ଲାବୋରେଟୋରୀ ପହଞ୍ଚିପାରୁନି, ସେଠି ଏହି ଟେକ୍ନିକ୍ ବରଦାନ ହେବ । ଏଥିପାଇଁ ସ୍ପେଶାଲିଷ୍ଟ୍ ବି ଦରକାର ନାହିଁ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ,ଗୋଟିଏ କାଚ ସ୍ଲାଇଡ୍ ଉପରେ ଟୋପାଏ ରକ୍ତ ପକାଇଲେ ତାହା ଯେତେ ଦୂର ଯିବ, ସେଥିରୁ ହିଁ ରୋଗ ସବୁ ଜଣାପଡିବ।

କେମିତି କାମ କରେ
ବୈଜ୍ଞାନିକଙ୍କ ଅନୁଯାୟୀ, ରକ୍ତର ଘନତ୍ୱ ଅଲଗା ହେଲେ ବ୍ୟାପିବା ଶୈଳୀ ବଦଳେ । ଅର୍ଥାତ ଆମ ରକ୍ତ କେତେ ମୋଟା କିମ୍ବା ପତଳା ତାହା ଜାଣିବା ପରେ ହିଁ ରୋଗ ଜଣାପଡିବ । ଯଦି ଆନିମିଆ ଥିବ, ରକ୍ତରେ ଲୋହିତ ରକ୍ତ କଣିକା ଓ ହିମୋଗ୍ଲୋବିନ୍ କମ୍ ଥାଏ, ରକ୍ତ ପତଳା ହୋଇଯାଏ, ଅଧିକ ଦୂର ଯାଏ । ଯଦି ସିକଲ୍ ସେଲ୍ ଥିବ, ରକ୍ତ କଣିକା ଟାଣ ଓ କାତିଆ ଆକୃତିର ହୋଇଯାଏ, ତେଣୁ କମ୍ ଦୂର ଯାଏ ଓ ମୋଟା ଦାଗ ପଡେ । ଏହାକୁ ଅତି କମ୍ ଖର୍ଚ୍ଚରେ ଏବଂ ସହଜରେ କରାଯାଇପାରିବ। ଏଥିପାଇଁ କୌଣସି ବଡ ମେସିନ୍, କିମ୍ବା ଦାମିକିଆ ଲାବୋରେଟୋରୀ ଦରକାର ନାହିଁ। କେବଳ ଗୋଟିଏ ପିପେଟ୍, ଗ୍ଲାସ୍ ସ୍ଲାଇଡ୍, ଏକ ଶସ୍ତା କେମିକାଲ୍ ଏବଂ ଏକ ସ୍କେଲ୍।

ଗ୍ରାମାଞ୍ଚଳ ଓ ଆଦିବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି
ଆମ ଦେଶର ଅନେକ ଗାଁ ଏବଂ ଆଦିବାସୀ ଅଞ୍ଚଳରେ ସିକଲ୍ ସେଲ୍ ରୋଗ ଏବଂ ରକ୍ତ ଅଭାବ ଅଧିକ ଦେଖିବାକୁ ମିଳେ। ସେଠାରେ ଡାକ୍ତରଖାନା ବା ମହଙ୍ଗା ଚିକିତ୍ସା ପାଇଁ ପରୀକ୍ଷା କରିବା କଷ୍ଟକର ହୋଇଥାଏ। ଏହି ନୂତନ ଉପାୟ ଦ୍ୱାରା ସେହି ସବୁ ଅଞ୍ଚଳର ଲୋକମାନେ ବହୁତ ଉପକାର ପାଇବେ। ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼ର ଆଦିବାସୀ ଅଞ୍ଚଳରେ ସିକଲ୍ ସେଲ୍ ଓ ଆନିମିଆ ଏକ ବଡ ସମସ୍ୟା। ଲୋକେ ପରୀକ୍ଷା ପାଇଁ ୫୦-୧୦୦ କିମି ଯିବାକୁ ପଡୁଛି। ଏହି ଡିଭାଇସ୍ ଆସିଲେ ଗାଁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ହିଁ ୨ ମିନିଟରେ ପରୀକ୍ଷା ହୋଇପାରିବ । ମହାରାଷ୍ଟ୍ର ଏବଂ ମଧ୍ୟଭାରତର ଆଦିବାସୀ ଅଞ୍ଚଳରେ ଏହି ଟେକ୍ନୋଲୋଜିର ଫିଲ୍ଡ ଟେଷ୍ଟ୍ସ କରାଯାଇଛି, ଯାହା ଅତ୍ୟନ୍ତ ସଫଳ ଏବଂ ସଠିକ୍ ସୂଚନା ଦେଇଛି।

ଖୁବ୍ ଶୀଘ୍ର ମିଳିବ ସୁବିଧା
ଏହି ନୂତନ ମେସିନ୍ ବା ପଦ୍ଧତିକୁ ଆହୁରି ଭଲ ଭାବେ ଯାଞ୍ଚ କରାଯାଉଛି। ଜବଲପୁରର ନ୍ୟାସନାଲ୍ ଟ୍ରାଇବାଲ୍ ହେଲ୍ଥ ଇନଷ୍ଟିଚ୍ୟୁଟ୍ ଓ AIIMS ନାଗପୁର ସହ ମିଶି ସରକାରୀ ମଞ୍ଜୁରୀ ପାଇଁ କାମ ଚାଲିଛି । ଆଗକୁ ଏହି ଡିଭାଇସ୍ ରେ ରକ୍ତ ଜମାଟ ବାନ୍ଧିବା ସମୟ ଏବଂ ଡାଇବେଟିସ୍ ପରୀକ୍ଷା ବି ହୋଇପାରିବ । ଖୁବ୍ ଶୀଘ୍ର ଏହାକୁ ସରକାରୀ ମଞ୍ଜୁରି ମିଳିବା ପରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଯିବ, ଯାହା ଦ୍ୱାରା ରୋଗୀମାନେ ଶୀଘ୍ର ଜାଣିପାରି ସଠିକ୍ ଚିକିତ୍ସା ପାଇପାରିବେ।

