ନନ୍ଦିଘୋଷ ବ୍ୟୁରୋ: ସାରା ୟୁରୋପରେ ତୀବ୍ର ଜନ ଅସନ୍ତୋଷ। ଫ୍ରାନ୍ସରୁ ଇଟାଲୀ ଯାଏଁ ସବୁଠି ଆନ୍ଦୋଳନ। କେଉଁଠି ବ୍ୟାରିକେଡ ଭଙ୍ଗା ତ କେଉଁଠି ଦୋକାନ ଲୁଟ୍। ଶିକ୍ଷା, ଦରବୃଦ୍ଧି, ବେକାରୀ, ସରକାରୀ ନୀତି, ଗୃହ ନିର୍ମାଣ ଖର୍ଚ୍ଚ ବୃଦ୍ଧି ଆଦି ପ୍ରସଙ୍ଗ ନେଇ ଦିନକୁ ଦିନ ବିସ୍ତାରିତ ହେଉଛି ଆନ୍ଦୋଳନ। ଏହାକୁ ନେଇ ୟୁରୋପରେ ଜାରି କରାଯାଇଛି ହାଇଆଲର୍ଟ। ଅନେକ ସ୍ଥାନରେ ଆନ୍ଦୋଳନକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଫ୍ରାନ୍ସ, ଇଟାଲି, ସ୍ପେନ୍, ପର୍ତ୍ତୁଗାଲ, ଆଲବାନିଆ ଓ ବେଲଜିୟମରେ ଦେଖାଦେଇଛି ତୀବ୍ର ଅସ୍ଥିରତା। ଅନେକ ସ୍ଥାନରେ ଭଙ୍ଗାରୁଜା ହେବା ସହ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ଏହି ଦେଶଗୁଡିକରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ହଜାର ହଜାର ପୋଲିସ ମୁତୟନ କରାଯାଇଛି।
ଫ୍ରାନ୍ସରେ ୧ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଆନ୍ଦୋଳନରେ ବିଭିନ୍ନ ଟ୍ରେଡ଼ ୟୁନିଅନ୍ ସାମିଲ ହୋଇଥିବାରୁ ସ୍ଥିତି ଅଧିକ ଜଟିଳ ହୋଇଛି। ଇଟାଲୀର ମିଲନରେ ବ୍ୟାପକ ଜନଅସନ୍ତୋଷ ହେବାରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମିଲନ ସହରରେ ଅଧିକ ଫୋର୍ସ ମୁତୟନ କରାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି। ସ୍ପେନର ବାର୍ସେଲୋନାରେ ଅନେକ ଦୋକାନକୁ ଲୁଟ୍ କରିଛନ୍ତି ଆନ୍ଦୋଳନକାରୀ। ସେଠାରେ ଶତାଧିକ ଲୋକଙ୍କୁ ଗିରଫ କରାଯାଇଛି। ରୋମ, ଟୁରିନ, ବ୍ରସଲେସ, ତିରାନାରେ ଆନ୍ଦୋଳନକାରୀଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ସବୁଠି ସରକାରଙ୍କ ବିରୋଧରେ ହୋଇଛି ନାରାବାଜି। ଫ୍ରାନ୍ସରେ ପ୍ରାୟ ୭୦ ହଜାର ପୋଲିସଙ୍କୁ ମୁତୟନ କରାଯାଇଛି। ଫ୍ରାନ୍ସର ଦ୍ବିତୀୟ ବୃହତ୍ତମ ସହର ଲିୟନରେ ସ୍ଥିତି ଆୟତ୍ତ ବାହାରକୁ ଯାଇଛି। କେଉଁଠି ବି କାମ କରିନାହିଁ ରାଷ୍ଟ୍ରପତି ମାକ୍ରନଙ୍କ ଚେତାବନୀ। ସେପଟେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା, ଶିକ୍ଷା ଲାଗି ଅଧିକ ବ୍ୟୟ, କମ୍ ଟ୍ୟୁସନ ଫି ଦାବିରେ ଆଲବାନିଆରେ ଜୋରଦାର ହୋଇଛି ଛାତ୍ର ଆନ୍ଦୋଳନ।

