ଭାରତ- ୱେଷ୍ଟଇଣ୍ତିଜ ଚତୁର୍ଥ ଟି-୨୦, ବିଜୟ ଲକ୍ଷ୍ୟରେ ଶ୍ରେୟସ ବାହିନୀ
ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ ଓ ୱେଷ୍ଟଇଣ୍ତିଜ ଫାଇଟ୍ । ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଟି- ୨୦ର ଚତୁର୍ଥ ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯିବ । ତେବେ ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି ।
ପ୍ରଥମ ତିନୋଟି ମ୍ୟାଚ୍ ରୁ ୨ଟି ମ୍ୟାଚ୍ ଜିତି ୨-୧ରେ ଆଗୁଆ ଥିବା ଭାରତ ବିଜୟ ଧାରା ବଜାୟ ରଖିବା ନେଇ ଚେଷ୍ଟା କରିବ । ଅନ୍ୟପଟେ ସିରିଜରେ ରହିବା ନେଇ ୱେଷ୍ଟଇଣ୍ତିଜ ପାଇଁ ଏହି ମ୍ୟାଚ୍ ଶେଷ ସୁଯୋଗ ହେବ । ତେବେ ହାଇଦ୍ରାବଦର ଏହି ପିଚ୍ ବଡ଼ ବଡ଼ ସ୍କୋର ପାଇଁ ବେଶ ପରିଚିତ । ଏହି ମ୍ୟାଚ୍ ରେ ଟିମ୍ ଇଣ୍ତିଆର ଓପନର ଅଭିଷେକ ଶର୍ମା ଓ ୱେଷ୍ଟଇଣ୍ତିଜର ଅଫସ୍ପିନର୍ ରସ୍ତନ ଚେଜଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲା ଉପରେ ସମସ୍ତଙ୍କ ନଜର ରହିବ । ତେବେ ଉଭୟ ଦଳରେ କୌଣସି ବଡ଼ ପରିବର୍ତ୍ତନ ନେଇ ବିଶେଷ ସମ୍ଭାବନା ନାହିଁ । ଟିମ୍ ଇଣ୍ତିଆ ଏହି ମ୍ୟାଚ୍ ରେ ଇନ୍ଦୋରରେ ଖେଳାଇଥିବା ଦଳକୁ ଅପରିବର୍ତ୍ତିତ ରଖିପାରେ । ସ୍ପିନର କୁଲଦୀପ ଯାଦବଙ୍କ ବଦଳରେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ସୁଯୋଗ ନିଷ୍ପତ୍ତି ଇନ୍ଦୋରରେ ସଫଳ ହୋଇଥିଲା । ସେପଟେ ରାଞ୍ଚିରେ ବୋଲିଂ ବେଳେ ଆହତ ହୋଇଥିବା ଅଲ୍ ରାଉଣ୍ତର ରୋମାରିଓ ସେଫର୍ଡ଼ଙ୍କ ଫିଟନେସ ୱେଷ୍ଟଇଣ୍ତିଜର ଚିନ୍ତା ବଢାଇଛି । ଯଦିଓ ରୋମାରିଓ ସେହି ମ୍ୟାଚ୍ ରେ ବ୍ୟାଟିଂ କରି ୧୩ ବଲରୁ ଅପରାଜିତ ୩୪ ରନ୍ କରିଥିଲେ । କିନ୍ତୁ ଇନ୍ଦୋର ମ୍ୟାଚ୍ ରୁ ସେ ବାଦ ପଡ଼ିଥିଲେ । ତେବେ ଆଜିରେ ମ୍ୟାଚ୍ ସେ ଖେଳିବେ କି ନାହିଁ ତାହା ଏବେ ବି ସ୍ପଷ୍ଟ ହୋଇନାହିଁ ।
ପ୍ରକାଶ ଥାଉ କି, ହାଇଦ୍ରାବଦର ଉପଲ୍ ଷ୍ଟାଡ଼ିୟମ୍ ପିଚ୍ ବିଶାଳ ସ୍କୋର ପାଇଁ ପରିଚିତ। ଆଇପିଏଲ୍ ଟିମ୍ ସନରାଇଜର୍ସ ହାଇଦ୍ରାବାଦର ଏହା ଘରୋଇ ଗ୍ରାଉଣ୍ଡ ଅଟେ । ଗତ କିଛି ସିଜନ ଧରି ସନରାଇଜର୍ସ ଏହି ଗ୍ରାଉଣ୍ଡରେ ନିୟମିତ ଭାବେ ବିଶାଳ ସ୍କୋର ସଂଗ୍ରହ କରି ଆସୁଛି। ଆଜିର ମ୍ୟାଚ୍ ରେ ମଧ୍ୟ ବଡ଼ ସ୍କୋର ନେଇ ସମ୍ଭାବନା ରହିଛି । ମ୍ୟାଚ୍ ପୂର୍ବରୁ ଟସ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

