ନନ୍ଦିଘୋଷ ବ୍ୟୁରୋ : ହର୍ମୁଜ୍ ପ୍ରଣାଳୀ ନିକଟରେ ଏକ ବାଣିଜ୍ୟିକ ଜାହାଜ ଉପରେ ଭୟଙ୍କର ଡ୍ରୋନ୍ ଆକ୍ରମଣ ହୋଇଛି। ଗତ ଅକ୍ଟୋବର ୧୧ ତାରିଖରେ ଓମାନର ସୋହାର ବନ୍ଦର ନିକଟରେ ଏହି ଅଘଟଣ ଘଟିଥିଲା। ଆକ୍ରମଣର ଶିକାର ହୋଇଥିବା ଜାହାଜଟି ନିକାରାଗୁଆର ପତାକା ବହନ କରୁଥିବା ତୈଳବାହୀ ଜାହାଜ ‘ଏମ୍ଟି ପେଟ୍ରୋ ଡଲଫିନ୍’ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାଇ, ଏହି ଜାହାଜରେ ମୋଟ ୧୧ ଜଣ ଭାରତୀୟ ନାବିକ ଉପସ୍ଥିତ ଥିଲେ। ଆକ୍ରମଣ ପରେ ୯ ଜଣ ନାବିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨ ଜଣ ଭାରତୀୟ ନାବିକ ନିଖୋଜ ଅଛନ୍ତି। ନିଖୋଜ ନାବିକମାନଙ୍କୁ ଖୋଜିବା ପାଇଁ ସ୍ଥାନୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସମୁଦ୍ରରେ ବ୍ୟାପକ ଖୋଜାଖୋଜି ଜାରି ରହିଛି।
ସେହି ସମାନ ଦିନ ‘ଏମ୍ଟି ଭାଲଥେରା’ନାମକ ଅନ୍ୟ ଏକ ଜାହାଜ ମଧ୍ୟ ଅଜଣା କ୍ଷେପଣାସ୍ତ୍ର ଭଳି ଏକ ବସ୍ତୁ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲା। ଏହି ଆକ୍ରମଣ ଯୋଗୁଁ ଜାହାଜରେ ନିଆଁ ଲାଗିଯାଇଥିଲା। ତେବେ ସୌଭାଗ୍ୟବଶତଃ, ଏଥିରେ ଥିବା ୧୧ ଜଣ ଭାରତୀୟ ନାବିକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।
ଏହି ସଂବେଦନଶୀଳ ଘଟଣାକୁ ନେଇ ଭାରତ ସରକାର ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ବାଣିଜ୍ୟିକ ଜାହାଜ ଓ ନାବିକଙ୍କ ଉପରେ ହେଉଥିବା ଆକ୍ରମଣକୁ କଡ଼ା ଭାବେ ନିନ୍ଦା କରିଛନ୍ତି। ଓମାନର ମସ୍କଟସ୍ଥିତ ଭାରତୀୟ ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ କ୍ରମାଗତ ଯୋଗାଯୋଗରେ ଅଛନ୍ତି।
ଏହି ଘଟଣା ଅନ୍ତର୍ଜାତୀୟ ସାମୁଦ୍ରିକ ପଥରେ ନାବିକଙ୍କ ସୁରକ୍ଷାକୁ ନେଇ ବଡ଼ ଚିନ୍ତା ବଢ଼ାଇଦେଇଛି। ସମୁଦ୍ର ପଥରେ ଉତ୍ତେଜନା ହ୍ରାସ କରିବା ସହ ଆଲୋଚନା ଓ କୂଟନୈତିକ ଉପାୟରେ ବିବାଦର ସମାଧାନ ପାଇଁ ଭାରତ ଆହ୍ୱାନ ଦେଇଛି। ଅନ୍ୟପଟେ ନିଖୋଜ ଥିବା ୨ ଜଣ ଭାରତୀୟ ନାବିକଙ୍କ କୌଣସି ସୂଚନା ନମିଳିବାରୁ ସେମାନଙ୍କ ପରିବାର ଓ ଦେଶବାସୀଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଛି।

