spot_img

Latest Posts

ପାକିଡ଼ି ଅଞ୍ଚଳରେ କମୁଛି କି ଜାତୀୟ ପକ୍ଷୀ ମୟୂର ସଂଖ୍ୟା

ଗଞ୍ଜାମ: ଜାତୀୟ ପକ୍ଷୀ ମୟୂର ସୁରକ୍ଷା ଚିନ୍ତା। ଜଙ୍ଗଲ କ୍ଷୟ ଯୋଗୁଁ କମୁଛି ମୟୂରଙ୍କ ସଂଖ୍ୟା। ସୁରକ୍ଷା ଦେବାରେ ବିଫଳ ବନ ବିଭାଗ। ଗଞ୍ଜାମ ଜିଲ୍ଲାର ପାକିଡ଼ି ଅଞ୍ଚଳ ମୟୂର ପାଇଁ ବେଶ ପରିଚିତ। ଆଖପାଖ ଗାଁରେ ଯେଉଁଠି ଦେଖିବ, ସେଠି ଦେଖିବାକୁ ମିଳୁଥିଲା ମାଳ ମାଳ ମୟୂର। ଖୋଲା ପଡ଼ିଆଠାରୁ ଆରମ୍ଭ କରି ଜମିବାଡ଼ି, ସବୁଠି ଥିଲା ଏମାନଙ୍କ ବିଚରଣସ୍ଥଳୀ। ଦେଖିବାକୁ ପର୍ଯ୍ୟଟକଙ୍କ ସହ ପକ୍ଷୀପ୍ରେମୀଙ୍କ ସୁଅ ଛୁଟୁଥିଲା।  ହେଲେ ଏବେ ସଂଖ୍ୟା କମିଛି।  ଜଙ୍ଗଲ କ୍ଷୟ ସହ ସୁରକ୍ଷା ଅଭାବ ଯୋଗୁଁ ମୟୂର ଅନ୍ୟ ଅଞ୍ଚଳକୁ ଚାଲିଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ମୟୂରଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଅନେକ ମୟୂର ସୁରକ୍ଷା ସମିତି ଗଠନ କରାଯାଇଛି। ଏପରିକି DFO ସ୍ତରରେ ମଧ୍ୟ ମୟୂର ସୁରକ୍ଷା କମିଟି ରହିଛି। ରାସ୍ତାକଡ଼ରେ ସୁରକ୍ଷା ବୋର୍ଡ ମଧ୍ୟ ଲଗାଯାଇଛି। ହେଲେ ଏବେ ସେହି ବୋର୍ଡ ଲଟା ବୁଦାରେ ଲୁଚିଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ମୟୂର ଚାଷୀଙ୍କ ଫସଲ ନଷ୍ଟ କରୁଛନ୍ତି । ମୟୂର ଉପଦ୍ରବରେ ଫସଲ ନଷ୍ଟ ଓ କୌଣସି କ୍ଷୟକ୍ଷତି ନ ମିଳିବା ପରେ ବି ମୟୂରଙ୍କୁ ସୁରକ୍ଷା ଦେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ମୟୂର ସଂଖ୍ୟା କମୁଛି ? ବନବିଭାଗର ଅବହେଳା ନା ବେଆଇନ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ? ମୟୂରଙ୍କ ସୁରକ୍ଷା, ସଂରକ୍ଷଣ ଓ ବଂଶବୃଦ୍ଧି ପାଇଁ ବନ ବିଭାଗ କି ପଦକ୍ଷେପ ନେଉଛି? ସଠିକ ତଥ୍ୟ ପାଇଁ ନିୟମିତ ଗଣନା ଜରୁରୀ ହୋଇପଡିଛି।

 

 

Latest Posts

Don't Miss