ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ପୁଣି ଭୁଶୁଡ଼ିଲା କୋଠା । ଉତ୍ତର-ପୂର୍ବ ଦିଲ୍ଲୀ ସୀମାପୁରୀରେ ଏକ ୪ ମହଲା କୋଠା ଭୁଶୁଡ଼ିଛି । ବୁଧବାର ଅପରାହ୍ନ ପ୍ରାୟ ୩ଟା ୩୦ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗକୁ ଏନେଇ ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ପୋଲିସ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ସମୟରେ ସୀମାପୁରୀରେ କୋଠାଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ନେଇ ଉଦ୍ୟମ ଜାରି ରହିଛି। ଏହି ଘଟଣାରେ ଦୁଇ ଜଣ ଆହତ ହୋଇଥିବା କୁହାଯାଉଛି । ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଗତ ସେପ୍ଟେମ୍ବର ୬ ତାରିଖରେ ଦିଲ୍ଲୀର ସତ୍ୟ ନିକେତନରେ ମରାମତି କାମ ଚାଲିଥିବା ବେଳେ ବାଳକ ପିଜି କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ଘଟଣାର ଠିକ୍ ମାସକ ପରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି । ତେବେ ବାରମ୍ବାର ଏପରି କୋଠା ଭୁଶୁଡ଼ିବା ଘଟଣା ଦିଲ୍ଲୀରେ ସୁରକ୍ଷା ଓ ନିର୍ମାଣ ମାନଦଣ୍ଡ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

