ନନ୍ଦିଘୋଷ ବ୍ୟୁରୋ: ବଦଳିବନି ସ୍କୁଲ ପ୍ରାର୍ଥନା । ସୁପ୍ରିମକୋର୍ଟ ଦେଲେ ବଡ ନିର୍ଦ୍ଦେଶ । ପ୍ରାର୍ଥନାରେ ପାଠ ହେବନି ସମ୍ବିଧାନର ପ୍ରସ୍ତାବନା । ସାରା ଦେଶର ସ୍କୁଲଗୁଡିକରେ ସକାଳର ପ୍ରାର୍ଥନାରେ ପ୍ରତିଦିନ ସମ୍ବିଧାନର ପ୍ରସ୍ତାବନା ବା ପ୍ରିଆମ୍ବଲ୍ ପାଠ କରିବାକୁ ବାଧ୍ୟତାମୂଳକ କରିବା ପାଇଁ ହୋଇଥିବା ଏକ ଜନସ୍ବାର୍ଥ ମାମଲାକୁ ମଙ୍ଗଳବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ବିଚାରପତି ବିକ୍ରମ ନାଥ, ଜଷ୍ଟିସ ସନ୍ଦିପ ମେହେଟ୍ଟା ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଚାର କରିବାକୁ ମନା କରିଦେଇଛନ୍ତିି । ଆଉ କହିଛନ୍ତି ଯେ, ସମ୍ବିଧାନର ପ୍ରିଆମ୍ବଲ୍ ପୂର୍ବରୁ ମଧ୍ୟ ସ୍କୁଲ ପାଠ୍ୟକ୍ରମର ଏକ ଅଂଶ ହୋଇ ରହିଛି ଏବଂ ଷଷ୍ଠ ଶ୍ରେଶୀରୁ ହିଁ ଏହା ଛାତ୍ରଛାତ୍ରୀମାନଙ୍କୁ ପଢା ଯାଉଛି ।
ସୂଚନା ଅନୁସାରେ, ଦିଲ୍ଳୀ ବିଶ୍ବବିଦ୍ୟାଳୟର ରାଜଧାନୀ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଧରୀଜ କୁମାର ଏହି ଆବେଦନ ଦାଖଲ କରିଥିଲେ । ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମ୍ବିଧାନିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ପାଇଁ ସାରା ଦେଶରେ ଏକ ସମାନ ନୀତି ପ୍ରଣୟନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବଂ ସିବିଏସଇକୁ ନିର୍ଦ୍ଦେଶ ଦେବାକୁ ଆବେଦନକରେ ଦାବି କରାଯାଇଥିଲା । ଆବେଦନରେ ଯୁକ୍ତି ଦିଆଯାଇଥିଲା ଯେ, ଯେପରି ସ୍କୁଲଗୁଡିକରେ ସାମୂହିକ ଭାବରେ ଜାତୀୟ ସଙ୍ଗୀତ ଗାନ କରାଯାଏ, ସେହିପରି ସମ୍ବିଧାନର ପ୍ରସ୍ତାବନାର ନିୟମିତ ସାମୂହିକ ପାଠ ପିଲାମାନଙ୍କ ମଧ୍ୟରେ ନ୍ୟାୟ, ସ୍ବାଧୀନତା, ଏବଂ ଭାତୃତ୍ବ ଭଳି ସାମ୍ବିଧାନିକ ମୂଲ୍ୟବୋଧ ସମ୍ପର୍କରେ ବୁଝାମଣା ସୃଷ୍ଟି କରିବ । ଏହାସହ ଆବେଦନକାରୀ ଧାରା ୨୧ଏ ଅନୁଯାୟୀ ଶିକ୍ଷାର ମୌଳିକ ଅଧିକାର ଏବଂ ଧାରା ୫୧ଏ ଅନୁଯାୟୀ ମୌଳିକ କର୍ତ୍ତବ୍ୟର ଉଦାହରଣ ଦେଇଥିଲେ । ଆବେଦନରେ ମହାରାଷ୍ଟ୍ର,ରାଜସ୍ଥାନ ଏବଂ କର୍ଣ୍ଣାଟକ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ସର୍କୁଲାରକୁ ମଧ୍ୟ ଉଲ୍ଲେଖ କରାଯାଇଥିଲା । ଯେଉଁଥିରେ ସରକାରୀ ଏବଂ ସମ୍ପୃକ୍ତ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସକାଳ ସଭାରେ ସମ୍ବିଧାନ ପ୍ରସ୍ତାବନା ପାଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିଭଳି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ସିବିଏସଇ ର ୨୦୨୫ ସର୍କୁଲାର ମଧ୍ୟ ଉଦ୍ଧୃତ କରାଯାଇଥିଲା । ଯାହା ସକାଳ ପ୍ରାର୍ଥନା ସମୟରେ ପ୍ରତିଦିନ ସକରାତ୍ମକ ପ୍ରତିଜ୍ଞାକୁ ଉତ୍ସାହିତ କରିବ । ଆବେଦନକାରୀ ଯୁକ୍ତି ଦେଇଥିଲେ ଯେ, ସମ୍ବିଧାନର ପ୍ରସ୍ତାବନା ପାଠ ନାଗରିକଙ୍କ ଚେତନା ବିକାଶ ପାଇଁ ସବୁଠାରୁ ପ୍ରଭାବଶାଳୀ ସକରାତ୍ମକ ପଦକ୍ଷେପ ହୋଇପାରେ । କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ଗ୍ରହଣ କରିନାହାନ୍ତି ଏବଂ ଏହାକୁ ଖାରଜ କରିଦେଛନ୍ତି ।

