spot_img

Latest Posts

ରାଜଧାନୀରେ ବାଜିବ ଛାଟ: ଛୁଆଙ୍କ ଅମାନିଆପଣ ପାଇଁ ଅଭିଭାବକ ଗଣିବେ ତଣ୍ଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ନାବାଳକ ଗାଡ଼ି ଚାଳକଙ୍କ ବେପରୁଆ ଡ୍ରାଇଭିଂ ଏବଂ ଟ୍ରାଫିକ ନିୟମ ଉଲ୍ଲଂଘନ ଉପରେ ଏବେ ଲାଗିଛି କଡ଼ା ନଜର। ଛୁଆ ଅମାନିଆ ହୋଇ ହାତରେ ବ୍ୟାଗ ବସ୍ତାନୀ ଧରି ରାସ୍ତାରେ ରୋମିଓଗିରି ଦେଖାଇଲେ ଏବେ ଅଭିଭାବକଙ୍କୁ ତଣ୍ଡ ଗଣିବାକୁ ପଡ଼ିବ। ଟ୍ରାଫିକ କମିଶନରଙ୍କ ନିର୍ଦ୍ଦେଶକ୍ରମେ RTO-1 ଓ ଟ୍ରାଫିକ ଥାନାର ମିଳିତ ଉଦ୍ୟମରେ ସ୍କୁଲ ସମ୍ମୁଖଗୁଡ଼ିକରେ ବ୍ୟାପକ ଏନଫୋର୍ସମେଣ୍ଟ ଓ ଜଏଣ୍ଟ ରେଡ୍‌ ବେଳେ ଏଭଳି କିଛି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି।

ବହୁଦିନ ଚେତାବନୀ ଦିଆଯାଉଥିଲେ ସୁଦ୍ଧା ଅନେକ ଅଭିଭାବକ ଏହାକୁ ଖାତିର କରୁନଥିବାରୁ ଏବେ ସେମାନଙ୍କ ଅଡ଼ୁଆ ବଢ଼ିଛି। ୧୮ ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ ଅଭିଭାବକ ୫୦ ସିସିରୁ ଅଧିକ କ୍ଷମତାସମ୍ପନ୍ନ ଗାଡ଼ି ଚଲାଇବାକୁ ଦେଉଥିବାରୁ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଯାଞ୍ଚ ସମୟରେ ଧରାପଡ଼ୁଥିବା ନାବାଳକଙ୍କ ନିକଟରେ ନା ଅଛି ହେଲମେଟ, ନା ଅଛି ଡ୍ରାଇଭିଂ ଲାଇସେନ୍ସ। ଯେଉଁମାନେ ନିୟମ ମାନୁନାହାନ୍ତି, ସେମାନଙ୍କ ବିରୋଧରେ ମୋଟା ଅଙ୍କର ଫାଇନ୍ କଟାଯାଉଛି। ମୋଟର ଭେହିକିଲ ଆକ୍ଟ ୧୯୮୮ର ସେକ୍ସନ ୧୯୯-A ମୁତାବକ ଗାଡ଼ି ମାଲିକଙ୍କୁ ୨୫ ହଜାର ଟଙ୍କା ଫାଇନ୍ କରାଯାଉଛି ଏବଂ ଅଦାଲତ ଚାହିଁଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ମଧ୍ୟ ରହିଛି।

ସତ୍ୟନଗର କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ଚାଲିଥିବା ଏହି ବ୍ୟାପକ ଏନଫୋର୍ସମେଣ୍ଟରୁ ବାଦ୍‌ ପଡ଼ିନାହାନ୍ତି ସ୍କୁଲ ବସ୍, ଟ୍ରାଭେଲର, ଭ୍ୟାନ୍‌ ଓ ଅଟୋ ମାଲିକ। ଏହିସବୁ ଗାଡ଼ିଗୁଡ଼ିକର ଫିଟନେସ୍‌ ଏବଂ ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସ କଡ଼ାକଡ଼ି ଚେକିଂ କରାଯାଇଛି। ଏପରିକି ଆବଶ୍ୟକତାଠାରୁ ଅଧିକ ଲୋଡିଂ ନନେବା ପାଇଁ ସେମାନଙ୍କୁ ସ୍ପଷ୍ଟ ତାଗିଦ୍‌ କରାଯାଇଛି।
ଚାଲୁରହିଥିବା ରୋଡ଼ ସେଫ୍ଟି କ୍ୟାମ୍ପେନ ଅଧୀନରେ ମଡିଫାଏଡ଼ ସାଇଲେନ୍ସର, ସ୍ପିଡ଼ ଡ୍ରାଇଭିଂ, ରଙ୍ଗ ରୁଟ୍‌ ଡ୍ରାଇଭିଂ, ଟ୍ରିପଲ ରାଇଡିଂ, ପଲ୍ୟୁସନ ଏବଂ ହେଲମେଟ ଚେକିଂ ବେଳେ ଅଧିକାଂଶ ୧୮ ବର୍ଷରୁ କମ୍‌ ବୟସର ପିଲା ଧରାପଡୁଥିବା ଦେଖାଯାଉଛି। ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ଏହିସବୁ ଯାଞ୍ଚକୁ ଆଗାମୀ ଦିନରେ ଆହୁରି କଡ଼ାକଡ଼ି କରାଯିବ।

Latest Posts

Don't Miss