ନନ୍ଦିଘୋଷ ବ୍ୟୁରୋ: ମାଡି ଆସୁଛି ନୂଆ ଭାଇରସ୍ । ଭୟଙ୍କର ହେଲାଣି ସ୍ଥିତି । ଋଷର ସାଇବେରିଆରେ ଜଣେ ୨୭ ବର୍ଷୀୟ ଲ୍ୟାବ୍ ଓ୍ବାର୍କର ଏକ ଗମ୍ଭୀର ରୋଗରେ ପିଡୀତ ହେବା ପରେ ମୃତ୍ୟୁବରଣ କରିଛନ୍ତି । ତାଙ୍କୁ ନ୍ୟୁମୋନିକ୍ ପ୍ଲେଗ୍ ନାମକ ଏକ ରୋଗ ହୋଇଥିବା ସେନ୍ଦହ କରାଯାଉଛି । ଏହା ଏକ ବିରଳ କିନ୍ତୁ ମାରାତ୍ମକ ସଂକ୍ରାମକ ରୋଗ , ଯାହା ଫୁସଫୁସକୁ ସଂକ୍ରମିତ କରିଥାଏ । ସୂଚନା ମୁତାବକ, ପିଡୀତା ମହିଳା ଜଣକ ଋଷର ଇରକୁଟସ୍କର ‘ଆଣ୍ଟି ପ୍ଲେଗ ଇନଷ୍ଟିଚ୍ୟୁଟ’ରେ କାମ କରୁଥିଲେ । ତାଙ୍କୁ ଗୁରୁତର ନିମୋନିଆ ଲକ୍ଷଣ ସହିତ ଇରକୁଟସ୍କ ନିକଟସ୍ଥ ଶେଲେଖୋବର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଏତେ ଗୁରୁତର ହୋଇଗଲା ଯେ ତାଙ୍କୁ ଭେଣ୍ଟିଲେଟର୍ ସାହାର୍ଯ୍ୟରେ ରଖିବାକୁ ପଡିଥିଲା । ଆଉ ହସ୍ପିଟାଲରେ ଅନେକ ଦିନ ରହିବା ପରେ ଶେଷରେ ୨ ଅକ୍ଟୋବର ୨୦୨୬ରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ମହିଳାଙ୍କ ସମ୍ପର୍କରେ ଆସିଥିବା ପ୍ରାୟ ୨୦୦ ଲୋକଙ୍କୁ ମେଡିକାଲରେ ଅବ୍ଗରଭେସନରେ ରଖାଯାଇଛି । ଆଉ ଏହା ସହିତ ଋଷରେ ହେଥ୍ଲ ଏର୍ମେଜନ୍ସି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ସୂଚନା ମୁତାବକ, ଉକ୍ତ ୨୭ ବର୍ଷୀୟ ମହିଳା ଜଣଙ୍କ ମେଡିକାଲ ଷ୍ଟାଫ୍ ଙ୍କୁ କହିଥିଲେ ଯେ, ସାମ୍ପଲ ନେବା ସମୟରେ ଭୁଲବଶତଃ ତାଙ୍କ ଦ୍ବାରା ଏକ ଟେଷ୍ଟ ଟ୍ୟୁବ ଭାଙ୍ଗି ଯାଇଥିଲା । ଯେଉଁଥିରେ ଜୀବନ୍ତ ପ୍ଲେଗ୍ ବ୍ୟାକ୍ଟେରିଆ ରହିଥିଲେ । ଯାହାପରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହାେଇଥିଲା । ଋଷୀୟ ଅଧିକାରୀଙ୍କ କହିବାନୁସାରେ, ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଉପରେ କଡା ନଜର ରଖାଯାଇଛି । ତେବେ ତାଙ୍କ ପ୍ରାରମ୍ଭିକ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡିଛି । ଏଠାରେ ଉଲ୍ଳେଖଢଯୋଗ୍ୟ ଯେ, ନ୍ୟୁମୋନିକ୍ ପ୍ଲେଗ୍ ହେଉଛି ପ୍ଳେଗ୍ ର ଏକ ଗମ୍ଭରୀ ରୂପ । ଯାହା ୟର୍ସିନିଆ ପେଷ୍ଟିସ୍ ବ୍ୟାକ୍ଟେରିଆ ଦ୍ବାରା ହୋଇଥାଏ । ବ୍ୟୁବୋନିକ ପ୍ଲେଗ୍ ମୁଖ୍ୟତଃ ଲିମ୍ପ୍ ନୋଡ୍ସକୁ ପ୍ରଭାବିତ କରୁଥିବା ବେଳେ ନ୍ୟୁମୋନିକ୍ ପ୍ଲେଗ୍ ଫୁସଫୁସକୁ ସଂକ୍ରମିତ କରିବା ଫଳରେ ଗୁରୁତର ଶ୍ବାସକ୍ରିୟାଜନିତ ସମସ୍ୟା ଉପୁଜିଥାଏ । ସାଧାରଣତଃ ପ୍ଳେଗ୍ ହେଉଛି ଏକ ଜୁନୋଟିକ୍ ରୋଗ । ଅର୍ଥାତ ଏହା ପଶୁ ଠାରୁ ମଣିଷକୁ ବ୍ୟାପିପାରେ । ଏହି ଜୀବାଣୁ ମୁଖ୍ୟତଃ ଛୋଟ ସ୍ତନ୍ୟପାୟୀ ପ୍ରାଣୀଙ୍କ ଠାରେ ଦେଖାଯାଇଥାଏ । ଆଉ ଥରେ ଏହା ମଣିଷ ଶରୀରକୁ ପ୍ରବେଶ କରିବା ପରେ ଶ୍ବାସକ୍ରିୟା ମାଧ୍ୟମରେ ବାହାରୁଥିବା ଡ୍ରପଲେଟ୍ସ ଦ୍ବାରା ସିଧାସଳଖ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅତି ସହଜରେ ବ୍ୟାପି ଯାଇଥାଏ । ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଚେତାଇ ଦେଇଛି । କାରଣ, ନ୍ୟୁମୋନିକ୍ ପ୍ଲେଗ୍ ଦ୍ରୁତି ଗତିରେ ବ୍ୟାପିପାରେ ଏବଂ ଚିକିତ୍ସାରେ ବିଳମ୍ବ ହେଲେ ଏହା ଘାତକ ସାବ୍ୟସ୍ତ ହୋଇପାରେ । କିନ୍ତୁ ଯଦି ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ରୋଗଟି ଜଣାପଡିଯାଏ ତାହା ହେଲେ ଆଣ୍ଟିବାୟୋଟିକ୍ ସାହାର୍ଯ୍ୟରେ ଚିକିତ୍ସା କରାଯିବା ଦ୍ବାରା ରୋଗୀକୁ ବଞ୍ଚାଇବାର ସମ୍ଭାବନା ବଢିଯାଇଥାଏ ।

