spot_img

Latest Posts

ଢେଙ୍କାନାଳରେ ବଢ଼ୁଛି ସେକ୍ସ ରାକେଟ୍: ହୋଟେଲ ଓ ଆପାର୍ଟମେଣ୍ଟରେ ଚାଲିଛି ଡିଜିଟାଲ୍ ଡିଲ୍

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ସହର ଓ ଏହାର ଆଖପାଖ ଅଞ୍ଚଳରେ ଏବେ ଦେହ ବ୍ୟବସାୟର ଡିଜିଟାଲ୍ ନେଟୱର୍କ କାୟାବିସ୍ତାର କରିବାରେ ଲାଗିଛି। ସ୍ଥାନୀୟ ହୋଟେଲ୍, ଲଜ୍, ରିସୋର୍ଟ ଏବଂ ଭଡ଼ା ନିଆଯାଇଥିବା ଆପାର୍ଟମେଣ୍ଟଗୁଡ଼ିକରେ ଏହି ବେଆଇନ କାରବାର ଚାଲିଥିବା ଅଭିଯୋଗ ହୋଇଛି। ପ୍ରଥମେ ଫୋନ୍ ନମ୍ବର କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଗ୍ରାହକଙ୍କ ସହ ଯୋଗାଯୋଗ କରାଯାଉଛି। ଏହାପରେ କାଟାଲଗ୍‌, ଫଟୋ ଓ ଅନ୍ୟାନ୍ୟ ଜରୁରୀ ସୂଚନା ପଠାଇ ଦରଦାମ ଛିଣ୍ଡାଯାଉଛି। ଡିଲ୍ ଫାଇନାଲ୍ ହେବା ପରେ, google pay, phonepe କିମ୍ବା UPI ଭଳି ଡିଜିଟାଲ୍ ପେମେଣ୍ଟ ଆପ୍ ମାଧ୍ୟମରେ ଟଙ୍କା କାରବାର କରାଯାଉଛି। ବିଶେଷକରି ପାର୍ବଣ ଋତୁ ଓ ଉତ୍ସବ ସମୟରେ ଏଭଳି ବେଆଇନ୍ ଗତିବିଧି ବୃଦ୍ଧି ପାଉଥିବାରୁ ସହରବାସୀ ଏବଂ ବୁଦ୍ଧିଜୀବୀମାନେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଏହି ବେଆଇନ ନେଟୱର୍କରେ ଅଧିକାଂଶ ରାଜ୍ୟ ବାହାରର ଯୁବତୀ ଓ ମହିଳାମାନଙ୍କୁ ସାମିଲ କରାଯାଉଛି। ବିଶେଷକରି ପଶ୍ଚିମବଙ୍ଗ, କୋଲକାତା ଏବଂ ପଡ଼ୋଶୀ ରାଜ୍ୟରୁ ଯୁବତୀମାନଙ୍କୁ କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ଅଣାଯାଉଛି। ସେମାନଙ୍କୁ ସହରର ବିଭିନ୍ନ ସ୍ଥାନରେ ରଖି ଏହି ଗୋଲକଧନ୍ଦା ଚଲାଯାଉଛି। ତେବେ ପ୍ରଶ୍ନ ଉଠୁଛି, ଏହି ବିଶାଳ ଡିଜିଟାଲ୍ ସେକ୍ସ ରାକେଟ୍ ପଛରେ ପ୍ରକୃତରେ କାହାର ହାତ ରହିଛି? କାହା ଛତ୍ରଛାୟାରେ ଏବଂ କେଉଁ ପ୍ରଭାବଶାଳୀ ଗୋଷ୍ଠୀର ସୁରକ୍ଷାରେ ସହର ମଝିରେ ଏଭଳି କାରବାର ଚାଲିଛି, ତାହାର ପରଦାଫାଶ କରିବା ପୋଲିସ ପ୍ରଶାସନ ପାଇଁ ଏବେ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି ।

ତେବେ ଖବର ଅନୁଯାୟୀ, କାରବାରକୁ ସୁରକ୍ଷିତ ରଖିବା ପାଇଁ ଦଲାଲମାନେ ଗ୍ରାହକଙ୍କ ସମ୍ପୂର୍ଣ୍ଣ ପରିଚୟ ଯାଞ୍ଚ କରିବା ପରେ ହିଁ ସ୍ଥାନ ଓ ସମୟ ଜଣାଉଛନ୍ତି, ଯାହାଫଳରେ ପୋଲିସ ନଜରରୁ ବଞ୍ଚିବା ସେମାନଙ୍କ ପାଇଁ ସହଜ ହେଉଛି। ମାତ୍ର ସାଇବର ମାଧ୍ୟମରେ ଚାଲୁଥିବା ଏହି ଅନୈତିକ କାରବାର ସମାଜ ଓ ଯୁବପିଢ଼ି ଉପରେ କୁପ୍ରଭାବ ପକାଉଛି। ଏଣୁ ପୋଲିସ କେବଳ ଚଢ଼ାଉରେ ସୀମିତ ନରହି, ସାଇବର ସେଲ୍‌ର ସହାୟତାରେ ଏହି ନେଟୱର୍କର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକ। ମୁଖ୍ୟ ଦଲାଲ, ଆୟୋଜକ, ହୋଟେଲ ମାଲିକ ଏବଂ ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି।

Latest Posts

Don't Miss