ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ବନ୍ଧୁକ ଦେଖାଇ ଦୁଷ୍କର୍ମ ! ସିସିଟିଭିରେ ସାଙ୍ଘାତିକ ଚିତ୍ର । ସହରର ଛାତି ଉପରେ ହାଇପ୍ରୋଫାଇଲ ଲୋକଙ୍କ ଘର । ଚାରିଆଡେ ସିସିଟିଭି । ଚତୁଃପାର୍ଶ୍ଵରେ ସର୍ଭେଲାନ୍ସ । ତଥାପି ଜନଗହଳିପୂର୍ଣ୍ଣ ସ୍ଥାନ ନୟାପଲ୍ଲୀରେ ଦୁଷ୍କର୍ମର ଅଭିଯୋଗ । ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି । ଚାରିଆଡେ ହଷ୍ଟେଲ । କିନ୍ତୁ ଗତକାଲି ରାତିରେ ହଠାତ ଶୁଭିଥିଲା ପୀଡିତାଙ୍କ ଚିତ୍କାର । ହେଲ୍ପ ମି’ ହେଲ୍ପ ମି’ ଚିତ୍କାର ଶୁଣି ଧାଇଁ ଆସିଥିଲେ ସ୍ଥାନୀୟ ଲୋକେ । ୨୬ ବର୍ଷୀୟା ପୀଡିତା ଜଣଙ୍କୁ ବିବସ୍ତ୍ର ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ ଲୋକେ । ପୋଲିସ ପହଁଚିବା ପରେ ପାରିପାର୍ଶ୍ବିକ ଯାଞ୍ଚ କରିଥିଲା । ପୀଡିତାଙ୍କ ଅଭିଯୋଗ ଥିଲା ଯେ, ହଷ୍ଟେଲ ଭିତରେ ଥିବା ବେଳେ ଜଣେ ଯୁବକ ତାଙ୍କ ରୁମକୁ ପଶିଥିଲା । କିଛି ବୁଝିବା ପୂର୍ବରୁ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ଦୁଷ୍କର୍ମ କରିଥିଲା ।
ଏଭଳି ସାଙ୍ଘାତିକ ଅଭିଯୋଗ ପାଇବା ପରେ ପ୍ରଥମେ ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଥିଲା ପୋଲିସ । ତୁରନ୍ତ ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ସୂଚନା ପାଇଁ ଡିସିପି, ଏସିପି , ଥାନା ଆଇଆଇଆସି ସେଠାରେ ପହଁଚି ସିସିଟିଭି ଯାଞ୍ଚ କରିଥିଲେ । ପୀଡ଼ିତାଙ୍କ ବୟାନ ମୁତାବକ ପଡୋଶୀ, ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା କରାଯାଇଥିଲା । ଆଜି ସାଇଣ୍ଟିଫିକ ଟିମ ମଧ୍ୟ କ୍ରାଇମ ସ୍ପଟରେ ସରଜମିନ ଯାଞ୍ଚ କରିଛି । ବିଭିନ୍ନ ଦିଗରୁ ତଥ୍ୟ ପ୍ରମାଣକୁ ଏକାଠି କରିବା ପରେ ଅନେକ ସୁରାକ ପାଇଛି । ତେବେ ନୟାପଲ୍ଲୀ ଭଳି ଏକ ସମ୍ଭ୍ରାନ୍ତ ତଥା ଜନ ଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଅଭିଯୋଗକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସ୍ଥାନୀୟ ଲୋକେ ।
ଦୁଇଦିନ ପୂର୍ବରୁ ଜଣେ ଯୁବକ ପିଡିତାଙ୍କ ହଷ୍ଟେଲ ନିକଟରେ ରେକି କରୁଥିବା ବା ବୁଲୁଥିବା ଦେଖିଥିଲେ ଲୋକେ । ତେବେ ସେ ଯୁବକ ଜଣଙ୍କ କିଏ ? କାହିଁକି ସେ ସ୍ଥାନରେ ବୁଲୁଥିଲେ, ସେ ନେଇ ଖୋଳତାଡ଼ ଚଳାଇଛି ପୋଲିସ

