ନନ୍ଦିଘୋଷ ବ୍ୟୁରୋ : ରାଜପଥ ପାଲଟିଛି ମୃତ୍ୟୁପଥ । ପାଦେ ପାଦେ ବିପଦ । ମରଣଯନ୍ତା ପାଲଟିଛି ୨୦ ନମ୍ବର ଜାତୀୟ ରାଜପଥ । କେନ୍ଦୁଝର ଜିଲ୍ଲା ରିମୁଳି- ଚମ୍ପୁଆ ୧୫ କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଆଣ୍ଠୁଏ ଲେଖାଏଁ ଖାଲ ଯୋଗୁଁ ଦୈନିକ ଘଟୁଛି ଛୋଟ ବଡ଼ ଦୁର୍ଘଟଣା । ରାସ୍ତା ଜାମ ବି ହେଉଛି । ରାସ୍ତା ପ୍ରଶସ୍ତି କରଣ ପାଇଁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା ଶୁଣୁନାହାନ୍ତି NHAI କର୍ତ୍ତୃପକ୍ଷ । ୧୯୯୭/୯୮ ମସିହାରେ ରିମୁଳି- ଚମ୍ପୁଆ ରୋଡକୁ ମିଳିଛି ରାଜପଥ ମାନ୍ୟତା । ଦୈନିକ ଏହି ରାସ୍ତା ଦେଇ ହଜାର ହଜାର ଭାରିଯାନ ଚଳାଚଳ କରୁଛି । ହେଲେ ନା ହେଉଛି ରାସ୍ତା ମରାମତି ନା ସଂପ୍ରସାରଣ । ଫଳରେ ଜର୍ଜରିତ ହୋଇପଡ଼ିଛି ଚମ୍ପୁଆ ଉପଖଣ୍ଡର ଲାଇଫଲାଇନ । ଭାରିଯାନ ଚଳାଚଳ ପାଇଁ ରାସ୍ତା ଜାମ ଏକ ନୀତି ଦିନିଆ ଘଟଣାରେ ପରିଣତ ହୋଇଛି । ସମସ୍ୟା ସଂପର୍କରେ କ୍ୟାମେରା ଆଗରେ ମୁହଁ ଖୋଲୁ ନାହାନ୍ତି ଅଧିକାରୀ ।

