ନନ୍ଦିଘୋଷ ବ୍ୟୁରୋ : ପୁଣି ତେଜିଲା ଭୁବନେଶ୍ବର ଗାଡକଣ ଡମ୍ପିୟାର୍ଡ ବିବାଦ । ଅଳିଆ ପକାଇବାକୁ ଉଦ୍ୟମ କଲେ ଆନ୍ଦୋଳନ ଚେତାବନୀ । ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କ ଚିଠି ପରେ ଅଞ୍ଚଳବାସୀଙ୍କୁ ଆଶ୍ୱସ୍ତି । ଆଉ ସହରରୁ ହଟିବନି ସୈନିକ ସ୍କୁଲ ।….ପୁଣି ତୀବ୍ର ରୂପ ଧାରଣ କରିଛି ଦୀର୍ଘଦିନ ଧରି ଚାଲି ଆସୁଥିବା ଗାଡକଣ ଡମ୍ପିୟାର୍ଡ ଓ ସୈନିକ ସ୍କୁଲ ବିବାଦ। ଭୁବନେଶ୍ୱର ସହରର ମଧ୍ୟରେ ୧୯୬୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଉଦ୍ୟମରେ ସୈନିକ ସ୍କୁଲ ପ୍ରତିଷ୍ଠା ହୋଇଛି । ଅନେକ ଛାତ୍ରଛାତ୍ରୀ ଏଠାରେ ପାଠ ପଢି ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସଫଳତା ସହ ଯୋଗ ଦେଇଛନ୍ତି । କିନ୍ତୁ ଗତ କିଛି ବର୍ଷ ହେବ ସୈନିକ ସ୍କୁଲ ପାଠ ପଢାରେ ବଡ଼ ବାଧକ ସାଜିଛି କ୍ୟାମ୍ପସ ନିକଟରେ ଥିବା ବିଏମସିର ଅଳିଆ ଗଦା। ପ୍ରଥମେ ଟିଟିଏସ୍ ପ୍ଲାଣ୍ଟ ପାଇଁ ବିଏମସି ଯୋଜନା କରୁଥିବା ବେଳେ ପରେ ଏହା ଅଳିଆ ଗଦାରେ ପରିଣତ ହୋଇଛି । ଯାହା ସୈନିକ ସ୍କୁଲ ସହ ସ୍ଥାନୀୟ ଅଞ୍ଚଳରେ ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି କରିଛି । ତେବେ ୨୦୨୫ ମସିହାରେ ସରକାର ସୈନିକ ସ୍କୁଲକୁ ରାଜଧାନୀ ଭିତରୁ ଉଠାଇବାକୁ ଯୋଜନା କରୁଥିବା ବେଳେ ଏହାକୁ ବିରୋଧ ଆରମ୍ଭ କରିଥିଲେ “ସେଭ୍ ଆୱାର ସୈନିକ ସ୍କୁଲ” କମିଟି। ଏବେ ରାଷ୍ଟ୍ର ପ୍ରତିରକ୍ଷା ମନ୍ତ୍ରୀ ସଞ୍ଜୟ ସେଠ୍ ଙ୍କ ସୈନିକ ସ୍କୁଲ ସପକ୍ଷରେ ଚିଠି ପରେ ସାମାନ୍ୟ ଆଶ୍ବସ୍ତୀ ମିଳିଛି। ଘଟଣା ସଂପର୍କରେ ନଗର ଉନ୍ନୟନ କମିଶନର ଉଷା ପାଢ଼ୀଙ୍କୁ ଭେଟି ଅଳିଆ ଗଦା ଭିତରକୁ ଅଳିଆ ଗାଡ଼ି ପ୍ରବେଶ ଉପରେ ରୋକ ଲଗାଇବାବାକୁ ଅନୁରୋଧ କରିଛି କମିଟି । ଏହାସହ ଆଗାମୀ ଦିନରେ ଅଳିଆ ଗାଡ଼ି ପ୍ରବେଶ କଲେ ଆନ୍ଦୋଳନର ଚେତାବନୀ ଦିଆଯାଇଛି ।
ଅନ୍ୟପଟେ ଅଳିଆ ଗଦା ଏବେ ଅଳିଆ ପାହାଡ଼ର ରୂପ ନେଇଛି। ଏପରିକି ବର୍ଷା ହେଲେ ଅଳିଆ ଗଦାରୁ ବର୍ଷା ପାଣି ବହି ସ୍ଥାନୀୟ ବସ୍ତିରେ ପଶୁଥିବା ଅଭିଯୋଗ ଆଣିଛନ୍ତି ବସ୍ତି ବାସିନ୍ଦା। ଅଳିଆଗଦାର ଗନ୍ଧରେ ମଧ୍ୟ ସ୍ଥାନୀୟ ବାସିନ୍ଦା ନାନାଦି ରୋଗର ସମସ୍ୟା ସାମ୍ନା କରୁଥିବା କହିଛନ୍ତି । ବିଜେପି ବିରୋଧୀ ଦଳରେ ଥିବା ସମୟରେ ଅଳିଆ ଗଦା ହଟାଇବାକୁ ଆନ୍ଦୋଳନ କରୁଥିଲା । ହେଲେ ଶାସନକୁ ଆସିବା ପରେ ଏହାକୁ ଭୁଲି ଯାଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେଣୁ ରାଷ୍ଟ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଚିଠିକୁ ସ୍ଵାଗତ କରିବା ସହ ତୁରନ୍ତ ସହର ମଧ୍ୟରୁ ଅଳିଆ ଗଦା ହଟାଇବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଏ ସଂପର୍କରେ ବିଏମସିର ବିକଳ୍ପ ବ୍ୟବସ୍ଥା ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

