ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିଲା ପାରାଦୀପ ବନ୍ଦର। ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ପଶ୍ଚିମ ଡକ୍-୧ ବର୍ଥରେ ପ୍ରଥମଥର ପାଇଁ ୧୬.୫ ମିଟର ଡ୍ରାଫ୍ଟ ସହିତ କେପ୍ ସାଇଜ୍ ଜାହାଜ ଏମଭି ମିନେରାଲ କ୍ୱାଙ୍ଗୟାଙ୍ଗକୁ ସଫଳତାର ସହ ବର୍ଥିଂ କରାଯାଇଛି। ଏମଭି ମିନେରାଲ କ୍ୱାଙ୍ଗୟାଙ୍ଗ ଏକ କେପ୍ ସାଇଜ୍ ଜାହାଜ। ଏହା ଅଷ୍ଟ୍ରେଲିଆର ହେ ପଏଣ୍ଟରୁ ଆସିଛି। ଜାହାଜଟିର ଲମ୍ବ ୨୯୨ ମିଟର, ଚଉଡ଼ା ୪୫ ମିଟର ଏବଂ ଗଭୀରତା ୧୬.୫୦ ମିଟର। ଗତ ସେପ୍ଟେମ୍ବର ୫ ତାରିଖରେ ଏହା ପାରାଦୀପରେ ପହଞ୍ଚିଥିଲା।
ଜାହାଜର ୯ଟି ହୋଲ୍ଡରେ ୧ ଲକ୍ଷ ୫୨ ହଜାର ୭୦୨ ମେଟ୍ରିକ୍ ଟନ୍ କୋକିଂ କୋଇଲା ରହିଛି। ଆଜି ଜାହାଜଟି ବର୍ଥିଂ କରିଥିବା ବେଳେ ଏହାର ପରିଚାଳନାରେ କମ୍ ସମୟ ଲାଗିବା ସହ ଅଳ୍ପ ସମୟରେ ଅଧିକ ପଣ୍ୟ କାରବାର କ୍ଷମତା ହାସଲ କରାଯାଇପାରିବ ବୋଲି କୁହାଯାଉଛି। ଏହି ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ଟ୍ରାଫିକ୍ ମ୍ୟାନେଜର ଓ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

