spot_img

Latest Posts

ନେପାଳରେ ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୬ଶହରେ ପହଞ୍ଚିଛି

ନନ୍ଦିଘୋଷ ବ୍ୟୁରୋ : ନେପାଳ ଓ ତିବ୍ଦବ ସୀମାରେ ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୬ଶହରେ ପହଞ୍ଚିଛି । ସେହିପରି ପାଖାପାଖି ୨୫ଶହ ଲୋକ ଏବେବି ନିଖୋଜ ରହିଛନ୍ତି । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ବଡ଼ ବଡ଼ ରାସ୍ତାଘାଟ, ପୋଲ, ଜନବସତି ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ଜଳବିଦ୍ୟୁତ୍ ପ୍ରକଳ୍ପ ମାଟିରେ ମିଶିଯାଇଛି । ବିପର୍ଯ୍ୟୟର ଛାତିଥରା ଘଟଣା ମନରୁ ଲିଭିନଥିବା ନଥିବାବେଳେ ଆଉ ଏକ ବଡ଼ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ଶୁକ୍ରବାର ନେପାଳର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି ଯେ, ଭୋତେକୋଶୀ ନଦୀ ଅଞ୍ଚଳରେ ପୁଣିଥରେ କାଦୁଅ ମିଶା ପାଣିର ସ୍ତର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭୋତେକୋଶୀ ଓ ତ୍ରିଶୂଳୀ ନଦୀକୂଳବର୍ତ୍ତୀ ଅଞ୍ଚଳର ସ୍ଥାନୀୟ ଲୋକ ଏବଂ ଉଦ୍ଧାରକାରୀ ଦଳଙ୍କୁ ସତର୍କ ରହିବାକୁ ଏବଂ ନିରାପଦ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପ୍ରଳୟ କେବଳ ନେପାଳ ମଧ୍ୟରେ ସୀମିତ ନରହି ଏକ ଅନ୍ତର୍ଜାତୀୟ ସଙ୍କଟ ପାଲଟିଛି ।

ତିବ୍ଦତ ଅଞ୍ଚଳ ମଧ୍ୟ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ଶହ ଶହ ଲୋକ, ଯେଉଁଥିରେ କି କିଛି ବିଦେଶୀ ନାଗରିକ ମଧ୍ୟ ଅଛନ୍ତି, ନିଖୋଜ ରହିଛନ୍ତି । ଏଭଳି ଜଟିଳ ପରିସ୍ଥିତିରେ ଫସିରହିଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର ଏବଂ ଜରୁରୀକାଳୀନ ସହାୟତା ଯୋଗାଇବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ସେପଟେ ଧ୍ୱଂସ ହୋଇଥିବା ପୋଲ ଏବଂ ଗଠନମୂଳକ କାର୍ଯ୍ୟଗୁଡ଼ିକୁ ପୁନର୍ନିର୍ମାଣ କରିବା ପାଇଁ ନେପାଳ ସରକାର ଭାରତ ଏବଂ ଚୀନ୍ ନିକଟରୁ ସହଯୋଗ କାମନା କରିଛନ୍ତି ।

ଏପଟେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ଏହି ମହାବିପର୍ଯ୍ୟୟରୁ  ଉଦ୍ଧାର ହୋଇଥିବା ୨୧ ଜଣ ଭାରତୀୟ ନାଗରିକ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଛନ୍ତି । ସେହିପରି ଅଗଷ୍ଟ ୨୧ରେ କୈଳାସ ମାନସରୋବର ଯାତ୍ରାରେ ଯାଇଥିବା ଆନ୍ଧ୍ରପ୍ରଦେଶର ୨୮ ଜଣ ତୀର୍ଥଯାତ୍ରୀ ଜଳ ପ୍ରଳୟ ସୃଷ୍ଟି ହେବା ପୂର୍ବରୁ ସୀମାନ୍ତ ଇମିଗ୍ରେସନ୍ ଅଫିସ ଅତିକ୍ରମ କରିଯାଇଥିବାରୁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ନିଖୋଜ ଲୋକଙ୍କ ମଧ୍ୟରେ ୩୨୦ ଜଣ ଭାରତୀୟ ଏବଂ ୧୦୦ ଜଣ ଭାରତୀୟ ବଂଶୋଦ୍ଭବ ସାମିଲ ଅଛନ୍ତି । ୩୨୦ ଭାରତୀୟଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରୁନଥିବା ସରକାର ସୂଚନା ଦେଇଛନ୍ତି । ଅପରପକ୍ଷରେ ତିବ୍ଦତ ସୀମାରେ ଅଟକି ରହିଥିବା ପ୍ରାୟ ୪୦୦ ଭାରତୀୟ ସୁରକ୍ଷିତ ଥିବା ବେଳେ ୯୩ ଜଣ ନାଗରିକ ସଫଳତାର ସହ ନେପାଳ ମଧ୍ୟକୁ ପ୍ରବେଶ କରିଛନ୍ତି  ।

Latest Posts

Don't Miss