ନନ୍ଦିଘୋଷ ବ୍ୟୁରୋ: ନୋଏଡା -ଗ୍ରେଟର ନୋଏଡା ଏକ୍ସପ୍ରେସୱେରେ ପ୍ରତିଦିନ ସୃଷ୍ଟି ହେଉଥିବା ପ୍ରବଳ ଟ୍ରାଫିକ ଜାମରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅଧୀନରେ ସେକ୍ଟର-୧୪୨ ରୁ ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ଏକ ନୂଆ ମେଟ୍ରୋ କରିଡୋର ସହିତ ଏକ୍ସପ୍ରେସୱେର ଦୁଇ ପାର୍ଶ୍ୱରେ ଦୁଇଟି ନୂଆ ଏଲିଭେଟେଡ୍ ସଡ଼କ ନିର୍ମାଣ କରାଯିବ। ପ୍ରାୟ ୧୧.୫୬ କିଲୋମିଟର ଲମ୍ବ ଏହି ମେଟ୍ରୋ ରୁଟ୍ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ, ଏହା କୌଣସି ଘନ ଜନବସତି ବା ଆବାସିକ ଅଞ୍ଚଳ ଦେଇ ଗତି କରିବ ନାହିଁ। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଇଟି ପାର୍କ, କର୍ପୋରେଟ୍ ଅଫିସ୍, ଶିକ୍ଷାନୁଷ୍ଠାନ ଏବଂ ବ୍ୟବସାୟିକ କେନ୍ଦ୍ରଗୁଡ଼ିକୁ ସାର୍ବଜନୀନ ପରିବହନ ସହ ସିଧାସଳଖ ଯୋଡ଼ିବା ପାଇଁ ଏହି ଲାଇନକୁ ମୁଖ୍ୟତଃ ଏକ୍ସପ୍ରେସୱେ କଡ଼େ କଡ଼େ ବିକଶିତ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏହି ସମ୍ପୂର୍ଣ୍ଣ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଏବଂ ଦୂରଗାମୀ ଗାଡ଼ିଗୁଡ଼ିକର ଟ୍ରାଫିକ ଅଲଗା ହୋଇଯିବ, ଯାହାଫଳରେ ଯାତ୍ରୀମାନଙ୍କୁ ଜାମରୁ ବଡ଼ ଆଶ୍ୱସ୍ତି ମିଳିବ। ଏହି ନୂଆ ମେଟ୍ରୋ ରୁଟ୍ରେ ମୋଟ ୮ଟି ଏଲିଭେଟେଡ୍ ଷ୍ଟେସନ ନିର୍ମାଣ କରାଯିବ, ଯାହାଦ୍ୱାରା ସେକ୍ଟର-୪୪, ୯୩, ୯୭, ୧୦୫, ୧୦୮ ଏବଂ ୧”୪୨ ଭଳି ପ୍ରମୁଖ ଅଞ୍ଚଳଗୁଡ଼ିକର କନେକ୍ଟିଭିଟି ବହୁତ ମଜବୁତ ହେବ। ଏହାସହ ବଟାନିକାଲ ଗାର୍ଡେନ ଷ୍ଟେସନରେ ଯାତ୍ରୀମାନଙ୍କୁ ଦିଲ୍ଲୀ ମେଟ୍ରୋର ବ୍ଲୁ ଲାଇନ୍ ଏବଂ ମାଜେଣ୍ଟା ଲାଇନ୍ ପାଇଁ ସିଧାସଳଖ ଇଣ୍ଟରଚେଞ୍ଜ ସୁବିଧା ମିଳିବ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ନୋଏଡା, ଗ୍ରେଟର ନୋଏଡା ଏବଂ ଦିଲ୍ଲୀ ମଧ୍ୟରେ ଯାତାୟାତ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ସମୟ ବଞ୍ଚିବା ସହ ବ୍ୟବସାୟିକ କ୍ଷେତ୍ରଗୁଡ଼ିକୁ ମଧ୍ୟ ବଡ଼ ଫାଇଦା ମିଳିବ।

