ନନ୍ଦିଘୋଷ ବ୍ୟୁରୋ : ସମୁଦ୍ରରେ ଲୀନ ହେବାକୁ ବସିଲାଣି ଗଞ୍ଜାମ ଜିଲ୍ଲାର ପୋଡ଼ମପେଟା । ଗୋଟିଏ ପରେ ଗୋଟିଏ ଘର, ମନ୍ଦିର ଓ ଜଙ୍ଗଲକୁ ଗିଳି ଚାଲିଛି ସମୁଦ୍ରର ଉଚ୍ଚ ଲହରୀ । ଲୁଣା ମାଡ଼ରେ ମାନଚିତ୍ରରୁ ଏହି ସମୁଦ୍ରକୂଳିଆ ଗାଁ ଲିଭିଯିବାକୁ ବସିଥିବାବେଳେ ବିପଦରେ ଆଉ ୧୨ଟି ଗାଁ । ବଢ଼ୁଥିବା କୂଳକ୍ଷୟ ସହ ବଢ଼ୁଛି ଲୋକଙ୍କ ଭୟ । ସ୍ଥାୟୀ ପ୍ରତିକାର ଦାବିରେ ସରକାରଙ୍କୁ ଗୁହାରି କରୁଛନ୍ତି ସ୍ଥାନୀୟ ବାସିନ୍ଦା ।
କୂଳ ଖାଉଛି ସମୁଦ୍ର । ଉଜୁଡୁଛି ଗାଁ । ସମୁଦ୍ରରେ ଲୀଲ ହେଲାଣି ଗୋଟିଏ ପରେ ଗୋଟିଏ ଘର । ଗାଁ ଭିତରେ ଲହଡ଼ି ମାରୁଛି ଲୁଣାଜଳ । ଜନଶୂନ୍ୟ ହେଲାଣି ଗଞ୍ଜାମ ଜିଲ୍ଲାର ପୋଡ଼ମପେଟା । ବଢ଼ୁଛି ବିପଦ ବଢ଼ୁଛି ଚିନ୍ତା । ଏବେ ସମୁଦ୍ର ଆଁରେ ଆହୁରି ଉପକୂଳ ୧୨ଟି ଗାଁ । ଇଏ ହେଉଛି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ପୋଡ଼ମପେଟାର ଛାତିଥରା ଚିତ୍ର । ଦିନେ ଶହ ଶହ ମତ୍ସ୍ୟଜୀବୀ ପରିବାରଙ୍କ କୋଳାହଳରେ ଫାଟି ପଡୁଥିବା ଗାଁ ଏବେ ପ୍ରାୟ ଜନଶୂନ୍ୟ । ବାରମ୍ବାର ଲଘୁଚାପ, ବାତ୍ୟା ଓ ସମୁଦ୍ର କୂଳ ଲଙ୍ଘିବା ଯୋଗୁଁ ଗାଁର ଗୋଟିଏ ପରେ ଗୋଟିଏ ସାହି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି । ଯେଉଁଠି ଏକଦା ୫ଶହ ରୁ ଅଧିକ ପରିବାର ବସବାସ କରୁଥିଲେ, ସେଠାରେ ଏବେ ହାତଗଣତି କେତେକ ପରିବାର ଭୟରେ ଜୀବନ ବିତାଉଛନ୍ତି । ଭଙ୍ଗା ଘର, ଖାଲି ପଡ଼ିଥିବା ବସ୍ତି ଓ ସମୁଦ୍ରର ଗର୍ଜନ କହୁଛି ପୋଡମପେଟାର ଦୁଃଖର କାହାଣୀ ।
ଏକଦା ପୋଡମପେଟା ଗାଁଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିଲା ସମୁଦ୍ର। ହେଲେ ଏବେ କେବଳ ପୋଡମପେଟା ନୁହେଁ, ସମୁଦ୍ର କୂଳ କ୍ଷୟର ଭୟ କଣ୍ଟିଆଗଡ଼ ସମେତ ପାଳିବନ୍ଧ ପଞ୍ଚାୟତର ୧୨ଟି ଆଖପାଖ ଗାଁ ଉପରେ ପଡ଼ିଛି । ଗତ ୧୦ ଦିନ ମଧ୍ୟରେ ସମୁଦ୍ର ପ୍ରାୟ ୫୦ ମିଟର ଆଗକୁ ମାଡ଼ି ଆସିଥିବା ସ୍ଥାନୀୟ ଲୋକ କହୁଛନ୍ତି । ଉଚ୍ଚ ଜୁଆର ମାଡ଼ରେ ଗାଁର ମନ୍ଦିର ସମେତ ୨୦ରୁ ଅଧିକ ଘର ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି । ସ୍ଥାୟୀ ପ୍ରତିକାର ଓ ପଥର ବନ୍ଧ ନିର୍ମାଣ ପାଇଁ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦ । ତେବେ ସ୍ଥାୟୀ ସମାଧାନ ପାଇଁ ଜଳସମ୍ପଦ ବିଭାଗ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

