ନନ୍ଦିଘୋଷ ବ୍ୟୁରୋ: ଭେନେଜୁଏଲାରେ ପ୍ରକୃତିର ତାଣ୍ଡବଲୀଳା ଦେଖିବାକୁ ମିଳିଛି । ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ଘଟିଯାଇଛି ଏକ ଭୟଙ୍କର ଭୂକମ୍ପ। ପରସ୍ପର ସହ ଜଡ଼ିତ ଲାଗ୍ ଲାଗ୍ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକାରେ ସମ୍ପୂର୍ଣ୍ଣ ସହର ଓ ଗାଁ ଥରି ଉଠିଛି। ରିକ୍ଟର ସ୍କେଲରେ ଏହି ଦୁଇଟି ଭୂକମ୍ପର ତୀବ୍ରତା ଯଥାକ୍ରମେ ୭.୨ ଏବଂ ୭.୫ ରେକର୍ଡ କରାଯାଇଛି।
ଭୂପୃଷ୍ଠର ମାତ୍ର ୧୩ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ମୋଣ୍ଟାଲବାନ ବୋଲି ଜଣାପଡ଼ିଛି।
. ବର୍ତ୍ତମାନ ସୁଦ୍ଧା ୩୨ ଜଣ ପ୍ରାଣ ହରାଇଥିବା ବେଳେ ୭୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।
. ଭୂକମ୍ପର ଭୟାବହତାକୁ ଦେଖି ମୃତ୍ୟୁ ସଂଖ୍ୟା ୧୦ ହଜାରରୁ ଅଧିକ ହେବାର ଆଶଙ୍କା କରାଯାଉଛି।
. ହଜାର ହଜାର କୋଠାବାଡ଼ି ଓ ସରକାରୀ ସମ୍ପତ୍ତି ସମ୍ପୂର୍ଣ୍ଣ ଧ୍ୱଂସସ୍ତୂପରେ ପରିଣତ ହୋଇଛି।
ଭୂକମ୍ପ ପରେ ସ୍ଥିତିକୁ ସାମ୍ନା କରିବା ପାଇଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି ରାଷ୍ଟ୍ରପତି ଡେଲସି ରଡ୍ରିଗଜ।
ରାଜଧାନୀ କାରାକାସରେ ଭୂକମ୍ପର ତୀବ୍ରତା ସବୁଠାରୁ ଅଧିକ ଅନୁଭୂତ ହୋଇଛି। ଭୂକମ୍ପ ଝଟକା ପରେ ଲୋକମାନେ ଭୟ ଓ ଆତଙ୍କରେ ନିଜ ନିଜ ଘରୁ ବାହାରକୁ ଚାଲି ଆସିଥିଲେ। କେବଳ ଭେନେଜୁଏଲା ନୁହେଁ, ବରଂ ପଡ଼ୋଶୀ ଦେଶ କଲମ୍ବିଆରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ଓ ସେଠାରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ଆଶ୍ଚର୍ଯ୍ୟଜନକ ଭାବେ, ଭାରତର ଆସାମ ଓ ମେଘାଳୟରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି।
ସୁନାମୀ ଆଲର୍ଟ ଜାରି:
ଏହି ଭୟଙ୍କର ଭୂକମ୍ପ ପରେ ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକ ପାଇଁ ସୁନାମୀ ଆଲର୍ଟ ଜାରି କରାଯାଇଛି। ଭେନେଜୁଏଲା ସମେତ ପୁଏର୍ଟୋରିକୋ, ଆମେରିକା ଏବଂ ବ୍ରିଟିଶ ଭିର୍ଜିନ ଆଇଲ୍ୟାଣ୍ଡସରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି।
ବର୍ତ୍ତମାନ ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

