ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଛି। ଜି-୭ (G7) ସମ୍ମିଳନୀରେ ମେଲୋନି ଏକ ଫଟୋ ଉଠାଇବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ ବୋଲି ଟ୍ରମ୍ପ ଦାବି କରିବା ପରେ, ମେଲୋନି ଏହାର କଡ଼ା ଜବାବ ଦେଇଛନ୍ତି । ଟ୍ରମ୍ପଙ୍କ ଏହି ଦାବିକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହିବା ସହ ଇଟାଲୀ ଏବଂ ମୁଁ କେବେ କାହା ଆଗରେ ଭିକ ମାଗୁନାହୁଁ ବୋଲି ମେଲୋନି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଜବାବ ସହ ମିଛୁଆ କହିଛନ୍ତି ଇଟାଲୀୟ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି।
ନିକଟରେ ଫ୍ରାନ୍ସରେ ଶେଷ ହୋଇଥିବା ଜି-୭ ଶିଖର ସମ୍ମିଳନୀରେ ଉଭୟ ଯୋଗ ଦେଇଥିଲେ। ଏହି ସମୟରେ ମେଲୋନି ତାଙ୍କ ସହ ଫଟୋ ଉଠାଇବାକୁ ନେହୁରା ଓ ବିକଳ ହୋଇଥିଲେ ବୋଲି ଟ୍ରମ୍ପ ଦାବି କରିଛନ୍ତି। ତେବେ ଟ୍ରମ୍ପଙ୍କ ଏପରି ବୟାନ ପରେ ମେଲୋନି ଭିଡିଓ ଜାରି କରି ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କିମ୍ବା ଇଟାଲୀ କେବେ ହେଲେ କାହାକୁ ନେହୁରା ହୁଏନାହିଁ ବୋଲି ମେଲୋନି କହିଛନ୍ତି । ଟ୍ରମ୍ପଙ୍କ ବୟାନ ସେ ଅତିରିଞ୍ଜ ବୋଲି କହିବା ସହ ସହଯୋଗୀଙ୍କ ସହ ଆମେରିକା ରାଷ୍ଟ୍ରପତିଙ୍କ ଏପରି ବ୍ୟବହାର ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ମତ ରଖିଛନ୍ତି ମେଲୋନି ।
ଦୁଇ ନେତା ପରସ୍ପରକୁ ସର୍ବସମ୍ମୁଖରେ ଟାର୍ଗେଟ କରିବା ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଆହୁରି ତିକ୍ତ କରିଛି । ଜ୭ ସମ୍ମିଳନୀରେ ଉଭୟ ନେତାଙ୍କ ସମ୍ପର୍କରେ ସୁଧାର ଆସୁଥିବା ଭଳି ଲାଗୁଥିଲା । ହେଲେ ଏବେ ସମ୍ପର୍କରେ ଫାଟ ଦେଖିବାକୁ ମିଳିଛି। ଇଟାଲୀର ଟେଲିଭିଜନ୍ ଚ୍ୟାନେଲ ଲା୭କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ ଯେ ସେ ଜି୭ ସମ୍ମିଳନୀରେ ମେଲୋନିଙ୍କ ସହ କଥା ହୋଇଥିବାରୁ ସେ (ମେଲୋନି) ବୋଧହୁଏ ବହୁତ ଖୁସି ହୋଇଥିବେ। ଟ୍ରମ୍ପ କହିଥିଲେ, ମୁଁ ତାଙ୍କ ସହ କଥା ହୋଇଥିବାରୁ ବୋଧହୁଏ ସେ ଖୁସି। କିନ୍ତୁ ମୋର ତାଙ୍କ ସହ କଥା ହେବାର କୌଣସି ଆବଶ୍ୟକତା ନଥିଲା। ସେ ମୋ ସହ ଫଟୋ ଉଠାଇବାକୁ ବହୁତ ନେହୁରା ହୋଇଥିଲେ। ସେ ମୋ ସହ ଫଟୋ ଉଠାଇବାକୁ ଅତ୍ୟନ୍ତ ବିକଳ ଥିଲେ।
ମୁଁ ଫଟୋ ଉଠାଇବାକୁ ଚାହୁଁନଥିଲି। କିନ୍ତୁ ତାଙ୍କ ପ୍ରତି ଦୟା ଲାଗିବାରୁ ଫଟୋ ଉଠାଇଥିଲି। ତେବେ ଟ୍ରମ୍ପଙ୍କ ବୟାନକୁ ନେଇ ପୂରା ଇଟାଲୀରେ ହଇଚଇ ସୃଷ୍ଟି ହେବାରୁ ଶୁକ୍ରବାର ମେଲୋନି ଗୋଟିଏ ଭିଡିଓ ଜାରି କରି ଏହାର ଜବାବ ଦେଇଛନ୍ତି।
ସେ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ସମ୍ପୂର୍ଣ୍ଣ ମନଗଢ଼ା। ଏହା ଶୁଣି ମୁଁ ସତରେ ଆଶ୍ଚର୍ଯ୍ୟଚକିତ। ନିଜର ସହଯୋଗୀ ଦେଶଗୁଡ଼ିକ ସହ ଆମେରିକାର ରାଷ୍ଟ୍ରପତି କାହିଁକି ଏଭଳି ବ୍ୟବହାର କରୁଛନ୍ତି, ମୁଁ ବୁଝି ପାରୁନି। ଏହା ପ୍ରଥମ ଘଟଣା ନୁହେଁ। ଏଭଳି ଅନେକ ଘଟଣା ରହିଛି। ପଶ୍ଚିମ ଦେଶ ଓ ଆମେରିକାର ଶତ୍ରୁମାନଙ୍କ ପ୍ରତି ସେ ଏଭଳି ଆଚରଣ ପ୍ରଦର୍ଶନ କରିବା ଅତ୍ୟନ୍ତ ନିରାଶାଜନକ।
ଟ୍ରମ୍ପଙ୍କୁ ସିଧାସଳଖ ଇଙ୍ଗିତ କରି ମେଲୋନି କହିଛନ୍ତି ଯେ “ସେ ଗୋଟିଏ କଥା ମନେ ରଖିବା ଉଚିତ—ନା ମୁଁ, ନା ଇଟାଲୀ କେବେ କାହା ପାଖରେ ଭିକ୍ଷା ମାଗେ ନାହିଁ।” ମେଲୋନିଙ୍କ ବୟାନ ପରେ ଇଟାଲୀୟ ବିଦେଶ ମନ୍ତ୍ରୀ ନିଜର ଆମେରିକା ଗସ୍ତ ବାତିଲ କରି ଦେଇଛନ୍ତି।
ତେବେ ଜୁନ ୨୧ ଓ ୨୨ ଦୁଇ ଦିନ ଧରି ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା। କିନ୍ତୁ ଟ୍ରମ୍ପ ଓ ମେଲୋନିଙ୍କ ତିକ୍ତତା ଯୋଗୁ ଏହା ବାତିଲ ହୋଇଯାଇଛି।

