ନନ୍ଦିଘୋଷ ବ୍ୟୁରୋ : ରାୟଗଡ଼ା କଲ୍ୟାଣସିଂହପୁରରେ ଦିଲ୍ଲୀର ଛାତ୍ରୀଙ୍କ ସହ ଘଟିଥିବା ବର୍ବର ଘଟଣାକୁ ନେଇ ଘୋର ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏପରି ଏକ ଜଘନ୍ୟ, ବର୍ବରୋଚିତକାଣ୍ଡ ସାରା ଓଡ଼ିଶାକୁ ବିଚଳିତ, ଲଜ୍ଜିତ ଓ ଚିନ୍ତିତ କରିଛି । ଏପରି ଦୁଃସ୍ଥିତିର ସାମ୍ନା କରିଥିବା ଛାତ୍ରୀଙ୍କୁ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣାଇଛନ୍ତି ।
ସର୍ବସମ୍ମୁଖରେ ଛାତ୍ରୀଙ୍କ ସହ ଘଟିଥିବା ବୀଭତ୍ସ, ନାରକୀୟ କାଣ୍ଡ ମାନବିକତା ଓ ଓଡିଆ ଅସ୍ମିତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବାବେଳେ ସରକାର ତୁରନ୍ତ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ନେବା ଦରକାର । କାହିଁକି ଓଡ଼ିଶାର ଛବି କଳୁଷିତ ହେବାକୁ ଛାଡିଦିଆଯାଇଛି ବୋଲି ନବୀନ ପ୍ରଶ୍ନ କରିଛନ୍ତି ।
ଏ ସରକାର ଏ ପୋଲିସ ଏତେ ଅସହାୟ କଣ ପାଇଁ ? ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା କଣ ଏ ସରକାରଙ୍କ ଉତ୍ତରଦାୟିତ୍ବ ନୁହେଁ କି ? ସମ୍ବେଦନଶୀଳ ଘଟଣାରେ ସରକାରଙ୍କ ସ୍ଥାଣୁତା ଓ ଅସମ୍ଭବ ନିରବତା ଏପରି ବୀଭତ୍ସକାଣ୍ଡକୁ ଘଟିବାକୁ ପ୍ରଶ୍ରୟ ଦେଉନାହିଁ କି ?
ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଓଡିଶା ସାରା ବିଶ୍ୱରେ ନିନ୍ଦିତ ହେଉଥିବାବେଳେ ସରକାର କେଉଁ ମୁହଁରେ ବିକାଶର ଧାରା ଓଡିଶା ସାରା କହି ଉତ୍ସବରେ ମାତିଛନ୍ତି ? ସରକାର ତୁରନ୍ତ କଠୋରରୁ କଠୋର ପଦକ୍ଷେପ ଗ୍ରହଣ କରି ରାଜ୍ୟରେ ମାଆ ଭଉଣୀଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ସୁନିଶ୍ଚିତ କରିବାକୁ ନବୀନ ଦାବି କରିଛନ୍ତି ।

