spot_img

Latest Posts

ଭଦ୍ରକରେ ଚାଞ୍ଚଲ୍ୟ: ମା’କୁ କୁରାଢ଼ୀରେ ହାଣିଲା ପିଶାଚ ପୁଅ…

ଭଦ୍ରକ: ସାରା ଓଡ଼ିଶା ଯେତେବେଳେ ଆଜି ରଜ ପର୍ବର ଆନନ୍ଦ ଉଲ୍ଲାସରେ ବୁଡ଼ି ରହିଛି, ଠିକ୍ ସେତିକି ବେଳେ ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଖବର। ପାରିବାରିକ କଳହର ଏକ ଭୟଙ୍କର ରୂପ ଦେଖିବାକୁ ମିଳିଛି, ଯେଉଁଠି ଜଣେ ପୁଅ ନିଜ ଜନ୍ମକଲା ମା’ର ଜୀବନ ନେବାକୁ ପଛାଇ ନାହିଁ। ବନ୍ତ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ।

ପାରିବାରିକ କଳହ ସାଜିଲା କାଳ!
ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ ଗଦାଧର ସାହୁଙ୍କ ପତ୍ନୀ ମମତା ସାହୁଙ୍କୁ ତାଙ୍କ ନିଜ ପୁଅ ପ୍ରିତମ ସାହୁ ନିର୍ମମ ଭାବେ ହତ୍ୟା କରିଛି। ଅଭିଯୁକ୍ତ ପୁଅ ପ୍ରିତମର ବୟସ ମାତ୍ର ୨୫ ବର୍ଷ। ସୂଚନାରୁ ଜଣାପଡ଼ିଛି ଯେ, ଘରେ କୌଣସି କାରଣକୁ ନେଇ ପାରିବାରିକ କଳହ ସୃଷ୍ଟି ହୋଇଥିଲା। ଏହି ଗଣ୍ଡଗୋଳ ଏତେ ଉଗ୍ର ରୂପ ନେଇଥିଲା ଯେ, ପ୍ରିତମ ଉତ୍ତ୍ୟକ୍ତ ହୋଇ ଏକ କୁରାଢ଼ୀ ସାହାଯ୍ୟରେ ମା’ଙ୍କୁ ଆକ୍ରମଣ କରିଥିଲା, ଯାହା ଫଳରେ ଘଟଣାସ୍ଥଳରେ ହିଁ ମମତା ସାହୁଙ୍କ ମୃତ୍ୟୁ ହୋଇଛି।

ତେବେ ଘଟଣା ସମ୍ପର୍କରେ ଖବର ପାଇ ବନ୍ତ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଅଭିଯୁକ୍ତ ପୁଅ ପ୍ରିତମ ସାହୁକୁ କାବୁ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ୀକୁ ଜବତ୍ କରିଛି। ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଗିରଫ କରି ଥାନାରେ ଅଧିକ ପଚରାଉଚରା ଜାରି ରଖିଛି।

ତେବେ ଉତ୍ସବର ମାହୋଲ ଭିତରେ ଏଭଳି ଏକ ନିଷ୍ଠୁର ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। କେଉଁ ପରିସ୍ଥିତି ପାଇଁ ଜଣେ ପୁଅ ନିଜ ମା’ର ରକ୍ତର ପିପାସୁ ସାଜିଲା, ତାହା ଏବେ ସ୍ଥାନୀୟ ଅଞ୍ଚଳରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି।

Latest Posts

Don't Miss