ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ହାଇ-ସିକ୍ୟୁରିଟି ଜୋନରେ ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚ୍ୟାଲେଞ୍ଜ। ଜୟଦେବ ଭବନ ପରିସରରୁ ସାମ୍ନାକୁ ଆସିଛି ଏକ ସନ୍ଦେହଜନକ ଚୋରି ମାମଲା। ବିଳମ୍ବିତ ରାତିରେ ଜୟଦେବ ଭବନ ଭିତରୁ ଏକ ମୂଲ୍ୟବାନ ଚନ୍ଦନ ଗଛ କାଟି ନେଇଛନ୍ତି ଦୁର୍ବୁତ୍ତ।
ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସାରା ସହର ଶୋଇପଡ଼ିଥିବା ବେଳେ, ଜୟଦେବ ଭବନ ପରିସର ଶୂନଶାନ ଥିବାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ଭିତରକୁ ପ୍ରବେଶ କରିଥିଲେ। ସେମାନେ ଚତୁରତାର ସହ ସେଠାରେ ଥିବା ଚନ୍ଦନ ଗଛକୁ କାଟି ସାଙ୍ଗରେ ନେଇ ଚମ୍ପଟ ମାରିଛନ୍ତି। ଆଜି ସକାଳେ କର୍ମଚାରୀମାନେ ଆସିବା ପରେ ଗଛଟି କଟା ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ ଏବଂ ଏହା ପରେ ଚୋରି ସମ୍ପର୍କରେ ଜଣାପଡ଼ିଥିଲା।
ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ:
ଭୁବନେଶ୍ୱରର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରେକ୍ଷାଳୟ ପରିସରରୁ ଚନ୍ଦନ ଗଛ ଚୋରି ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ସହ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।
ଜୟଦେବ ଭବନର କର୍ମଚାରୀଙ୍କ କହିବା ଅନୁସାରେ, ଯେଉଁ ସ୍ଥାନରୁ ଗଛଟି କଟାଯାଇଛି, ତା’ ନିକଟରେ କୌଣସି ସିସିଟିଭି (CCTV) କ୍ୟାମେରା ଲାଗିନାହିଁ। ଏହାର ଫାଇଦା ଉଠାଇ ଚୋରମାନେ ସହଜରେ କାଣ୍ଡ ଘଟାଇ ଖସିଯିବାରେ ସଫଳ ହୋଇଛନ୍ତି।
ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ସ୍ଥାନୀୟ ପୋଲିସ ଜୟଦେବ ଭବନ ପରିସରରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ଆଖପାଖ ଅଞ୍ଚଳରେ ଲାଗିଥିବା ଅନ୍ୟ କ୍ୟାମେରାର ଫୁଟେଜ୍କୁ ଆଧାର କରି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା ଚଳାଇଛି। ତେବେ ଏତେ ସୁରକ୍ଷା ବଳୟ ଭିତରେ ଚୋରମାନେ କେମିତି ପଶିଲେ ଏବଂ ଗଛ କାଟି ନେଇଗଲେ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ।

