ଭୁବନେଶ୍ୱର: ରାଜଧାନୀରେ ପୁଣି ଦେଖିବାକୁ ମିଳିଛି ‘କଳା ସ୍କର୍ପିଓ’ର ଆତଙ୍କ। ଏଥର କୌଣସି ଉପାନ୍ତ କିମ୍ବା ନିଛାଟିଆ ଅଞ୍ଚଳ ନୁହେଁ, ବରଂ ସହିଦନଗର ସ୍ଥିତ INOX ମଲ୍ ସମ୍ମୁଖ ଜନଗହଳିପୂର୍ଣ୍ଣ ରାସ୍ତାରେ ଘଟିଛି ଏକ ଅଭାବନୀୟ କାଣ୍ଡ। ଏକ ଦ୍ରୁତଗାମୀ ସ୍କର୍ପିଓ ଗାଡ଼ି ସ୍କୁଟି ଆରୋହୀ ଜଣେ ଯୁବତୀଙ୍କ ଉପରେ ମାଡ଼ି ଯାଇଛି।
ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ସ୍କର୍ପିଓ ଗାଡ଼ିର ଚାଳକ ଜଣକ ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଥିଲେ। ଗାଡ଼ି ଚଲାଇବା ସମୟରେ ସେ ହଠାତ୍ ବ୍ୟାକ୍ ଗିୟର୍ ପକାଇ ପଛରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ ଜୋରରେ ଧକ୍କା ଦେଇଥିଲେ। ଧକ୍କା ଏତେ ଜୋର ଥିଲା ଯେ ଯୁବତୀଙ୍କ ସ୍କୁଟିଟି ସ୍କର୍ପିଓ ଗାଡ଼ିର ଚକା ତଳେ ଫସି ରହିଯାଇଥିଲା।
ରାସ୍ତା ଉପରେ ଏଭଳି ଦେଖି ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଲୋକେ ସଙ୍ଗେ ସଙ୍ଗେ ସ୍କର୍ପିଓ ଗାଡ଼ିକୁ ଅଟକାଇ ଚାଳକଙ୍କୁ କାବୁ କରିଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକେ ମଦ୍ୟପ ଚାଳକଙ୍କୁ ସେଠାରେ ନିସ୍ତୁକ ମାଡ଼ ମାରିଥିଲେ। ପରେ ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚିବା ପରେ ଲୋକେ ଚାଳକଙ୍କୁ ପୋଲିସ ଜିମା ଦେଇଛନ୍ତି।
ଏହି ଦୁର୍ଘଟଣାରେ ଯୁବତୀ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ଗାଡ଼ିକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।

