୨୭ ଲକ୍ଷ ଟଙ୍କା ଦେଇ କିଣାଗଲା ଡାକ୍ତର ଡିଗ୍ରି, ୩ ଗିରଫ
ନନ୍ଦିଘୋଷ ବ୍ୟୁରୋ: ସାବଧାନ ! କୌଣସି ବେମାରୀ ନେଇ ମେଡିକାଲ ଗଲେ ପଡିପାରନ୍ତି ନକଲି ଡାକ୍ତର ହାବୁଡ଼ରେ । ଯଦି ଏମିତି ହୁଏ, ରୋଗ ଭଲ ହେବ କ’ଣ, ସିଧା ଜମପୁରକୁ ଟିକେଟ୍ କାଟିବେ । ଦେଶରେ ନକଲି ଡାକ୍ତର ରାକେଟର ପର୍ଦ୍ଦାଫାସ ପରେ ଏମିତି ଆଶା ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି । କାରଣ, ଟଙ୍କା ଦେଲେ ମିଳିଯାଉଛି ନକଲି ଡାକ୍ତରୀ ଡିଗ୍ରି । ବିନା ପାଠପଢ଼ି, ପରୀକ୍ଷା ନ ଦେଇ ଟଙ୍କା ଦେଇ ଡାକ୍ତର ହୋଇଯାଉଛନ୍ତି । ଏମିତି ସ୍ଥିତିରେ ପ୍ରଶ୍ନ ଉଠୁଛି, ପାଠ ପଢ଼ି ନଥିବା ଏହି ନକଲି ଡାକ୍ତର ରୋଗୀ ସେବା କେମିତି କରିବେ ?
ରାଜସ୍ଥାନରେ ନକଲି ଏଫ୍ଏମ୍ଜିଇ ପ୍ରମାଣପତ୍ର ବ୍ୟବହାର କରୁଥିବା ଡାକ୍ତରଙ୍କ ନେଟୱାର୍କର ଗୁମର ଖୋଲିବାରେ ଲାଗିଛି । ଏହି ମାମଲାରେ ଏସଓଜି ଆଉ ୩ ଜଣ ନକଲି ଡାକ୍ତରଙ୍କୁ ଗିରଫ କରିଛି । ତଥ୍ୟ ଅନୁସାରେ, ବିଦେଶରୁ ଏମ୍ବିବିଏସ୍ କରିଥିବା କିଛି ଛାତ୍ରଙ୍କ ପାଖରୁ କୋଟି କୋଟି ଟଙ୍କା ଦେଇ ନକଲି ସାର୍ଟିଫିକେଟ୍ କିଣାଯାଉଛି । ଏହାକୁ ରାଜସ୍ଥାନ ମେଡିକାଲ କାଉନସିଲ (ଆର୍ଏମ୍ସି)ରେ ନାମ ପଞ୍ଜୀକରଣ କରି ଇଣ୍ଟର୍ନସିପ୍ ଓ ଡାକ୍ତରୀ ଅଭ୍ୟାସ କରୁଛନ୍ତି । ଏହା ପୂର୍ବରୁ ମଧ୍ୟପ୍ରଦେଶରେ ୯ ଜଣ ଡାକ୍ତର ନକଲି ବୋଲି ଜଣାପଡ଼ିଛନ୍ତି ।
ଏସ୍ଓଜି ଅନୁସାରେ ଧରାପଡ଼ିଥିବା ଲୋକମାନେ ହେଲେ ଜୟପୁରର ଦୀପକ ଯାଦବ, ଡିଗ୍ର ରାଜୁ ଗୁର୍ଜର ଏବଂ ଅଲୱରର ନରେଶ ଗୁର୍ଜର । ଏହି ତିନି ଜଣ କାଜାକିସ୍ତାନରୁ ଏମ୍ବିବିଏସ୍ ପଢ଼ିଥିଲେ, କିନ୍ତୁ ଭାରତରେ ଡାକ୍ତର ଭାବେ ପଞ୍ଜୀକରଣ ପାଇଁ ଦରକାର ଏଫ୍ଏମ୍ଜିଇ ପରୀକ୍ଷା ପାସ୍ କରି ପାରି ନଥିଲେ । ତା’ପରେ ସେମାନେ କଥିତ ଦଲାଲ ଓ ମାଷ୍ଟରମାଇଣ୍ତଙ୍କ ସହାୟତାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନକଲି ସାର୍ଟିଫିକେଟ୍ ତିଆରି କରିଥିଲେ । ତଦନ୍ତରୁ ଜଣାପଡ଼ିଛି, ଦୀପକ ଯାଦବ ପ୍ରାୟ ୨୪ ଲକ୍ଷ ଟଙ୍କା, ରାଜୁ ଗର୍ଜର ପ୍ରାୟ ୨୭ ଲକ୍ଷ ଟଙ୍କା ଓ ନରେଶ ଗର୍ଜର ପ୍ରାୟ ୨୩ ଲକ୍ଷ ଟଙ୍କା ଦେଇ ଏଫ୍ଏମ୍ଜିଇ ସାର୍ଟିଫିକେଟ୍ ହାସଲ କରିଛନ୍ତି । ଏହି ପ୍ରମାଣପତ୍ର ଆଧାରରେ ସରକାରୀ ମେଡିକାଲ କଲେଜରେ ଇଣ୍ଟର୍ନସିପ୍ ମଧ୍ୟ କରୁଥିଲେ । ଏସ୍ଓଜିର ଅତିରିକ୍ତ ମହାନିର୍ଦ୍ଦେଶକ ବିଶାଳ ବଂଶଲଙ୍କ ଅନୁସାରେ ବିଦେଶରୁ ଏମ୍ବିବିଏସ୍ କରିଥିବା ୧୦୦ରୁ ଅଧିକ ଛାତ୍ର ଚିହ୍ନଟ ହୋଇଛନ୍ତି । ଯେଉଁମାନେ ନକଲି ସାର୍ଟିଫିକେଟ୍ ଦେଇ ଡାକ୍ତରୀ କ୍ଷେତ୍ରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୂର୍ବରୁ ଏହି ମାମଲାରେ ୧୭ ଜଣ ଡାକ୍ତର, ରାଜସ୍ଥାନ ମେଡିକାଲ କାଉନ୍ସିଲର ତତ୍କାଳୀନ ରେଜିଷ୍ଟାର ଡକ୍ଟର ରାଜେଶ ଶର୍ମା, ୟୁଡିସି ଅଖିଳେଶ ମାଥୁର, ଏଲଡିସି ଫରହାନ ହାସନ, ମୁଖ୍ୟ ଅଭିଯୁକ୍ତ ଭାନାରାମ ମାଲି ଏବଂ ଜଣେ ଦଲାଲ ଗିରଫ ହୋଇଥିଲେ । ମୁଖ୍ୟ ଅଭିଯୁକ୍ତ ଭାନାରାମ ମାଲି ପ୍ରତ୍ୟେକ ପ୍ରାର୍ଥୀଙ୍କ ଠାରୁ ୨୦ରୁ ୩୦ ଲକ୍ଷ ଟଙ୍କା ନେଇ ନକଲି ପ୍ରମାଣପତ୍ର ପ୍ରସ୍ତୁତ କରୁଥିଲା ଓ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରୁଥିଲା ।
ସୂଚନାଯୋଗ୍ୟ, ବିଦେଶରୁ ଏମ୍ବିବିଏସ୍ କରିଥିବା ଛାତ୍ରମାନଙ୍କୁ ଭାରତରେ ଡାକ୍ତରୀ ଅଭ୍ୟାସ ଆରମ୍ଭ କରିବାକୁ ହେଲେ ନ୍ୟାସନାଲ ବୋର୍ଡ ଅଫ୍ ପରୀକ୍ଷା ଦ୍ୱାରା ପରିଚାଳିତ ଏଫ୍ଏମ୍ଜିଇ ପରୀକ୍ଷା ଉତ୍ତୀର୍ଣ୍ଣ ହେବାକୁ ପଡିବ । ଏହି ପରୀକ୍ଷା ଡାକ୍ତରଙ୍କ ଯୋଗ୍ୟତା ଏବଂ ଦକ୍ଷତା ମୂଲ୍ୟାଙ୍କନ କରିବା ପାଇଁ କରାଯାଇଥାଏ । ଏସ୍ଓଜିର ତଦନ୍ତ ଅନୁସାରେ, କିଛି ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ନହୋଇ ନକଲି ଏଫ୍ଏମ୍ଜିଇ ସାର୍ଟିଫିକେଟ୍ ହାସଲ କରି ରାଜସ୍ଥାନ ମେଡିକାଲ କାଉନ୍ସିଲରେ ପଞ୍ଜୀକରଣ କରିଥିଲେ ଓ ମେଡିକାଲ କଲେଜରେ ଇଣ୍ଟର୍ନସିପ୍ ମଧ୍ୟ ସମାପ୍ତ କରିଥିଲେ ।
ଏମିତି ସ୍ଥିତିରେ ଯୋଗ୍ୟତା ନଥାଇ ମଧ୍ୟ ଏମାନେ ନକଲି କାଗଜପତ୍ର ଆଧାରରେ ଡାକ୍ତର ହୋଇ ରୋଗୀଙ୍କ ଚିକିତ୍ସା କରିବା ସ୍ଥିତିକୁ ପହଞ୍ଚିଥିଲେ । ଯାହା ସାଧାରଣ ଲୋକଙ୍କ ଜୀବନକୁ ମରଣ ମୁହଁକୁ ଠେଲିଦେବା କହିଲେ ଅତ୍ୟକ୍ତି ହେବ ନାହିଁ । ଏହା ନା କେବଳ ଏକ ଭୁଲ, ବରଂ ସାଂଘାତିକ ଅପରାଧ । ଅଭିଯୁକ୍ତମାନଙ୍କୁ ଏସଓଜି ପଚରାଉଚରା ଚଲାଇଛି, ଶୀଘ୍ର ଏହି ନେଟୱାର୍କ ସହିତ ଜଡ଼ିତ ଅନ୍ୟମାନେ ପଦାକୁ ଆସିବେ ।
କେବଳ ରାଜସ୍ଥାନରେ ନୁହେଁ ମଧ୍ୟପ୍ରଦେଶରେ ମଧ୍ୟ ଏନ୍ଏଚ୍ଏମ୍ ଡାକ୍ତର ନିଯୁକ୍ତିରେ ଏକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି । ୮୧ ଜଣ ଡାକ୍ତରଙ୍କ ନିଯୁକ୍ତି ପ୍ରକ୍ରିୟାର ତଦନ୍ତ ବେଳେ ୯ ଜଣ ପ୍ରାର୍ଥୀଙ୍କ କାଗଜପତ୍ର ନକଲି ବୋଲି ଜଣାପଡିଛି । ପ୍ରାଥମିକ ତଦନ୍ତ ପରେ ଏନ୍ଏଚ୍ଏମ୍ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ଏମାନେ କେତେ ସମୟ ଧରି ସ୍ୱାସ୍ଥ୍ୟସେବା ସହିତ ଜଡ଼ିତ ଥିଲେ ଓ ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଚିକିତ୍ସାରେ କୌଣସି ରୋଗୀଙ୍କ କିଛି କ୍ଷତି ହୋଇଛି କି ନାହିଁ ତାହାର ତର୍ଜମା କରାଯାଉଛି ।

