ନନ୍ଦିଘୋଷ ବ୍ୟୁରୋ : ଜିଲ୍ଲା ବୁଲିବେ ଏଡିଜି ଓ ଆଇଜି । ଆଇନଶୃଙ୍ଖଳା ପରିସ୍ଥିତି ସହ ଥାନାରେ ଘଟୁଥିବା ଥାର୍ଡଡିଗ୍ରୀ ଅଭିଯୋଗର କରିବେ ତଦନ୍ତ । ଡିଜିପିଙ୍କୁ ଦେବେ ରିପୋର୍ଟ । କ୍ରାଇମବ୍ରାଞ୍ଚ୍ ଡିଜି ଓ ଏଡିଜି ମାଓ ଅପରେସନ ସହ ଅନ୍ୟ ୧୩ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଛି। କିଛି ଦିନ ଧରି ରାଜ୍ୟରେ ଏକାଧିକ ହାଜତ ମୃତ୍ୟୁ ଅଭିଯୋଗ, ଭିଡ଼ ହିଂସା, ଥାନାରେ କଏଦୀଙ୍କୁ ‘ଥାର୍ଡ ଡିଗ୍ରୀ’ ଅଭିଯୋଗ ପାଇଁ ପୋଲିସ ବିବାଦୀୟ ହୋଇ ପଡ଼ିଛି। ଅପରାଧୀମାନେ ଖୁଲମଖୁଲା ଆଇନକୁ ହାତକୁ ନେବା ମଧ୍ୟ ରାଜ୍ୟରେ ଆଇନଶୃଙ୍ଖଳାର ପରିସ୍ଥିତିକୁ ବିପର୍ଯ୍ୟସ୍ତ କରିଦେଇଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନାର ଶିକାର ହେଉଛନ୍ତି। ଏହାକୁ ସଜାଡ଼ିବା ପାଇଁ ପୋଲିସ ମୁଖ୍ୟାଳୟ ପକ୍ଷରୁ ବରିଷ୍ଠ ଅଫିସରମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଆଇପିଏସ୍ ଅଫିସର ଜିଲ୍ଲା ଗସ୍ତ କରି ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ଥାନାର କାର୍ଯ୍ୟକାରୀତା ଦେଖିବେ। କୋଭିଡ ପୂର୍ବରୁ ଠିକ ସମାନ ଢଙ୍ଗରେ ଆଇପିଏସ ମାନଙ୍କୁ ଜିଲ୍ଲା ଦାୟିତ୍ୱ ମିଳିଥିଲା। କ୍ରାଇମବ୍ରାଂଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା, ସ୍ପେଶାଲ ଅପରେସନ୍ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଅନ୍ୟ ୧୩ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂହପୁର, ରେଳବାଇ ଏଡିଜି ଅରୁଣ ବୋଥ୍ରାଙ୍କୁ ଅନୁଗୁଳ, ଆଇନ ଓ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାରଙ୍କୁ ସମ୍ବଲପୁର, ଏଡିଜି ରାଜେଶ କୁମାରଙ୍କୁ ନୟାଗଡ଼, ଏଡିଜି ପ୍ରତୀକ ମହାନ୍ତିଙ୍କୁ ଯାଜପୁର, ଏଡିଜି ଯତୀନ୍ଦ୍ର କୋଏଲଙ୍କୁ କଳାହାଣ୍ଡି, ଏଡିଜି ଏସ.ସାଇନିଙ୍କୁ ବଲାଙ୍ଗୀର ଜିଲ୍ଲାର ତଦାରଖ ଦାୟିତ୍ୱ ଦିଆଯାଇଛି। ସେହିପରି ଆଇଜି ଏସ.ପ୍ରବୀଣ କୁମାରଙ୍କୁ କନ୍ଧମାଳ, ଆଇଜି ଗଜଭିୟେ ସତୀଶ କୁମାର ଈଶ୍ୱର ଦାସଙ୍କୁ ଢେଙ୍କାନାଳ, ଆଇଜି ଦୀପକ କୁମାରଙ୍କୁ ମାଲକାନଗିରି, ଆଇଜି ଅନୁପ କୁମାର ସାହୁଙ୍କୁ ପୁରୀ, ଆଇଜି ଅବିନାଶ କୁମାରଙ୍କୁ ମୟୂରଭଞ୍ଜ ଓ ଆଇଜି ସାର୍ଥକ ଷଡ଼ଙ୍ଗୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଜିଲ୍ଲା ଯାଇ ନିରୀକ୍ଷଣ ଶେଷ କରିବାର ୧୫ଦିନ ମଧ୍ୟରେ ଡିଜିପିଙ୍କୁ ରିପୋର୍ଟ ଦେବାକୁ ଦିଆଯାଇଛି ନିର୍ଦ୍ଦେଶ।

