spot_img

Latest Posts

ବିଶ୍ୱାସଘାତକ ଦାଦା: ଚାକିରି ପ୍ରଲୋଭନ ଦେଖାଇ ଓୟୋ ହୋଟେଲରେ ଦୁଷ୍କର୍ମ!

ନନ୍ଦିଘୋଷ ବ୍ୟୁରୋ: ସମ୍ପର୍କୀୟ ଦାଦା ସାଜି ବିଶ୍ୱାସ ଜିତିଲା, ଓୟୋ (OYO) ହୋଟେଲକୁ ଡାକି ଦୁଷ୍କର୍ମ କଲା। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯାଜପୁରରୁ ଅଭିଯୁକ୍ତ ଜିତୁ ସାମଲକୁ ଗିରଫ କରିଛି ପୋଲିସ। ଯୁବତୀଙ୍କ ଅଭିଯୋଗ ପରେ ଧଉଳି ଥାନା ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାମଲା ରୁଜୁ ହେବାର କିଛି ସମୟ ମଧ୍ୟରେ ହିଁ ଅଭିଯୁକ୍ତକୁ ଗିରଫ କରାଯାଇଛି।

ପ୍ରଲୋଭନ ଦେଖାଇ ଘଟାଇଥିଲା କାଣ୍ଡ:
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ମାଆଙ୍କ ପରିଚିତ ଜଣେ ବ୍ୟକ୍ତି ଥିଲେ ଜିତୁ ସାମଲ। ସେହି ପରିଚୟକୁ ଆଧାର କରି ସେ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଥିଲା। ପରେ ବିଶ୍ୱାସର ସୁଯୋଗ ନେଇ ଏବଂ ଚାକିରି ଦେବାର ପ୍ରଲୋଭନ ଦେଖାଇ ତାଙ୍କୁ ହୋଟେଲକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଗତ ୫ ତାରିଖ ରାତିରେ ପିପିଲି ଥାନା ଅଞ୍ଚଳ ଗୁଡ଼ିଆପୋଖରୀ ନିକଟସ୍ଥ ଏକ ଓୟୋ ହୋଟେଲରେ ଏହି ଘଟଣା ଘଟିଥିବା ନେଇ ଯୁବତୀ ଜଣକ ଗତକାଲି ଅଭିଯୋଗ କରିଥିଲେ। ଘଟଣା ପରେ ସେ ଧଉଳି ଥାନାରେ ଏତଲା ଦେଇଥିଲେ।

ପ୍ରାଥମିକ ତଦନ୍ତରେ ଘଟଣାସ୍ଥଳ ପିପିଲି ଥାନା ଅଞ୍ଚଳରେ ଥିବା ଜଣାପଡ଼ିଥିଲେ ମଧ୍ୟ, ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଧଉଳି ଥାନାରେ ତୁରନ୍ତ ଏଫ୍‌ଆଇଆର୍‌ ରୁଜୁ କରାଯାଇଥିଲା। ଜିରୋ ଏଫ୍‌ଆଇଆର୍‌ ପ୍ରକ୍ରିୟାକୁ ଅପେକ୍ଷା ନକରି ପୋଲିସ ଏକ ମାନବିକ ଆଭିମୁଖ୍ୟ ଗ୍ରହଣ କରିଥିଲା। ମାମଲା ରୁଜୁ ହେବା ସଙ୍ଗେ ସଙ୍ଗେ ଧଉଳି ପୋଲିସ ଅଭିଯୁକ୍ତର ଖୋଜଖବର ଆରମ୍ଭ କରି ଶେଷରେ ଯାଜପୁରରୁ ଜିତୁ ସାମଲକୁ ଗିରଫ କରିବାରେ ସଫଳ ହୋଇଛି।

ଘଟଣାକୁ ନେଇ ପୋଲିସର ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତ ବିରୋଧରେ ଅପହରଣ, ଅଟକ ରଖିବା, ଦୁଷ୍କର୍ମ, ଠକେଇ ଓ ଧମକ ଭଳି ଏକାଧିକ ଗୁରୁତର ଏବଂ ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇଛି।

ଭାରତୀୟ ନ୍ୟାୟ ସଂହିତା (BNS) ର 140(3), 127(2), 64(1), 318(4), 351(2) ଓ 3(5) ଧାରାରେ ଏହି ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଧଉଳି ପୋଲିସ ଘଟଣାର ପ୍ରତ୍ୟେକ ଦିଗକୁ ତୀକ୍ଷ୍ଣ ଭାବେ ଛାନବିନ କରୁଛି।

Latest Posts

Don't Miss