ନୟାଗଡ: ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କମିଶନ ସମ୍ପର୍କିତ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାୟବ ହେବା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ଆଜି ନୟାଗଡ଼ ବିଜୁ ଜନତା ଦଳ (BJD) କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ। ସେ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଏହାକୁ ଏକ ହାସ୍ୟସ୍ପଦ ଘଟଣା ବୋଲି ଅଭିହିତ କରିଛନ୍ତି।
ବିଧାୟକ ଅରୁଣ ସାହୁ ପ୍ରେସମିଟ୍ରେ ସୂଚନା ଦେଇ କହିଛନ୍ତି ଯେ, ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ସୁରକ୍ଷିତ ନାହାନ୍ତି, ସେଠି ଫାଇଲ୍ କେମିତି ସୁରକ୍ଷିତ ରହିବ? ଏହି ଘଟଣାକୁ “ଦୀପ ତଳ ଅନ୍ଧାର” ଏବଂ “ଚୋର କହୁଛି ଚୋର ପଳେଇଲା” ଭଳି ପରିସ୍ଥିତି ସହ ତୁଳନା କରି ସେ କହିଛନ୍ତି ଯେ ସରକାର କେବଳ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।
ସତରେ ଫାଇଲ୍ ହଜିଛି ନା ଜାଣିଶୁଣି ହଜେଇ ଦିଆଯାଇଛି? ଏତେ ସାରା CCTV କ୍ୟାମେରା ଥାଇ ମଧ୍ୟ ଯଦି ଲୋକସେବା ଭବନ ଭିତରୁ ଫାଇଲ୍ ଚୋରି ହେଉଛି, ତେବେ ଓଡ଼ିଶାର ଜନସାଧାରଣ କେତେ ସୁରକ୍ଷିତ? ବୋଲି ଅରୁଣ ସାହୁ ପ୍ରଶ୍ନ କରିଛନ୍ତି।
ବିଧାୟକ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ନିଜେ ସ୍ୱୀକାର କରିଛନ୍ତି ଯେ ଫାଇଲ ହଜିବା ଘଟଣା ସତ୍ୟ ଏବଂ ଏଥିରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ସରକାର ତୁରନ୍ତ ନିଜ ପ୍ରତିଶ୍ରୁତି ପୂରଣ କରନ୍ତୁ।
. ବିଜେଡି ବିଧାୟକ ଅରୁଣ ସାହୁଙ୍କ ମୁଖ୍ୟ ଦାବି ହେଉଛି, ଫାଇଲ ଗାୟବ ଘଟଣାରେ ସମ୍ପୃକ୍ତ ଅସଲ ଅପରାଧୀଙ୍କୁ ତୁରନ୍ତ ସାମ୍ନାକୁ ଅଣାଯାଉ।
. ଯଦି ସରକାର ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ତେବେ ବିରୋଧୀ ଦଳ ହିସାବରେ ବିଜେଡି ଖୁବଶୀଘ୍ର ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବ ଏବଂ ଓଡ଼ିଶାର ଜନସାଧାରଣ ଏହାର ଉଚିତ୍ ଜବାବ ଦେବେ।

