spot_img

Latest Posts

ଇରାନ ବିରୋଧରେ ଟ୍ରମ୍ପଙ୍କ ମାଷ୍ଟର ପ୍ଲାନ୍: ଜବତ ସମ୍ପତ୍ତିରେ ହେବ…

ନନ୍ଦିଘୋଷ ବ୍ୟୁରୋ : ଇରାନ ବିରୋଧରେ ଏକ ବଡ଼ ଏବଂ ଆଗ୍ରେସିଭ୍ ଆର୍ଥିକ ରଣନୀତି ଉପରେ କାମ କରୁଛି ଆମେରିକା। ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରେଜେରୀ ବିଭାଗ ଜବତ ହୋଇଥିବା ଇରାନୀ ସମ୍ପତ୍ତିକୁ ବ୍ୟବହାର କରିବାକୁ ଯୋଜନା କରୁଛି। ସଂଘର୍ଷ ଏବଂ ଆକ୍ରମଣ ଯୋଗୁଁ କ୍ଷତି ସହିଥିବା ଉପସାଗରୀୟ (Gulf) ଦେଶଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଏହି ଅର୍ଥ ବ୍ୟବହାର କରାଯିବ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଏକ ବିଶେଷ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିବା କୁହାଯାଉଛି। ଆମେରିକାର ସ୍ପଷ୍ଟ ଆଭିମୁଖ୍ୟ ହେଉଛି ଯେ, ଇରାନ ଦ୍ୱାରା ଅନ୍ୟ ଦେଶଗୁଡ଼ିକର ଯେଉଁ କ୍ଷତି ହୋଇଛି, ତାର ଆର୍ଥିକ ମୂଲ୍ୟ ଇରାନକୁ ହିଁ ଦେବାକୁ ପଡ଼ିବ।

ସୂଚନା ଅନୁଯାୟୀ, ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଏହି ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମରାମତି ଏବଂ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଜବତ ଇରାନୀ ସମ୍ପତ୍ତିକୁ କିପରି ଉପଯୋଗ କରାଯାଇପାରିବ, ସେଥିପାଇଁ ସମସ୍ତ ଆଇନଗତ ଏବଂ ପ୍ରଶାସନିକ ବିକଳ୍ପ ଅନୁସନ୍ଧାନ କରିବାକୁ ସେ କହିଛନ୍ତି। ଏଥିପାଇଁ, ଅର୍ଥ ବିଭାଗ ପକ୍ଷରୁ ଉପସାଗରୀୟ ଦେଶଗୁଡ଼ିକୁ ଯୁଦ୍ଧ ଏବଂ ଆକ୍ରମଣ ଯୋଗୁଁ ହୋଇଥିବା କ୍ଷତିର ସମ୍ପୂର୍ଣ୍ଣ ହିସାବ ମଗାଯାଇଛି। ରାସ୍ତାଘାଟ, କୋଠାବାଡ଼ି, ଶକ୍ତି ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକର ମରାମତି ପାଇଁ କେତେ ଖର୍ଚ୍ଚ ହେବ ଆମେରିକା ତାହାର ସଠିକ୍ ଆକଳନ ଜାଣିବାକୁ ଚାହୁଁଛି।

ତେବେ ଇରାନର କେଉଁ କେଉଁ ସମ୍ପତ୍ତିକୁ ଟାର୍ଗେଟ କରାଯିବ ତାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ। ତେବେ ଏଥିରେ ବିଦେଶରେ ଫ୍ରିଜ୍ ହୋଇ ରହିଥିବା ବ୍ୟାଙ୍କ ଆକାଉଣ୍ଟ, ନଗଦ ଟଙ୍କା କିମ୍ବା ଜବତ ହୋଇଥିବା ତୈଳ ଟ୍ୟାଙ୍କର୍ ଭଳି ସମ୍ପତ୍ତି ଅନ୍ତର୍ଭୁକ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଆଲୋଚନା ମଧ୍ୟରେ ବଢ଼ିଲା ଚାପ:
ବଡ଼ କଥା ହେଉଛି, ଆମେରିକାର ଏହି ନୂଆ ରଣନୀତି ଏପରି ଏକ ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଉଭୟ ଦେଶ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି। ଇରାନ ଦାବି କରିଆସୁଛି ଯେ, ଯେକୌଣସି ଚୁକ୍ତି ପାଇଁ ତା’ ଉପରୁ ପ୍ରତିବନ୍ଧକ ହଟାଯାଉ ଏବଂ ବିଦେଶରେ ଗଚ୍ଛିତ ଥିବା କୋଟି କୋଟି ଡଲାରର ଇରାନୀ ପାଣ୍ଠିକୁ ମୁକ୍ତ କରାଯାଉ। ପ୍ରାୟ ୨୪ ବିଲିୟନ ଡଲାରର ଜମା ସମ୍ପତ୍ତି ଫେରସ୍ତ ପାଇଁ ଇରାନ ଅଡ଼ି ବସିଛି।

ସୂଚନାଯୋଗ୍ୟ ଯେ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କୁଏତ, ବାହାରିନ, କତାର ଏବଂ ଓମାନ ଭଳି ଅନେକ ଉପସାଗରୀୟ ଦେଶ ଉପରେ ଇରାନ ପକ୍ଷରୁ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଉଥିବା ନେଇ ଅଭିଯୋଗ ହୋଇଆସୁଛି। ଏବେ ଆମେରିକାର ଏହି ପଦକ୍ଷେପ ଇରାନ ଉପରେ ଆର୍ଥିକ ସଙ୍କଟ ଆହୁରି ବଢ଼ାଇଦେବ ବୋଲି ଆଶଙ୍କା କରାଯାଉଛି।

Latest Posts

Don't Miss