ନନ୍ଦିଘୋଷ ବ୍ୟୁରୋ: ଦେଶର ଚର୍ଚ୍ଚିତ ତଥା ଲୋକପ୍ରିୟ ଶିକ୍ଷକ ଖାନ୍ ସାର୍ ଓରଫ୍ ଫୈଜଲ୍ ଖାନ୍ ଏବେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି । କୋଚିଂ ସେଣ୍ଟରରେ ହୋଇଥିବା ଗୁଳିକାଣ୍ଡ ଓ ଭଙ୍ଗାରୁଜା ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଏବେ ତାଙ୍କ ମୁଣ୍ଡରେ ଗିରଫଦାରୀ ଭୟ ଝୁଲୁଛି । ପାଟନା ପୁଲିସ ତାଙ୍କୁ କ୍ରମାଗତ ଭାବେ ଖୋଜୁଥିବା ବେଳେ ଶୁକ୍ରବାର ସାରା ରାତି ପୁଲିସ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା, ହେଲେ ଖାନ୍ ସାର୍ଙ୍କର କୌଣସି ପତ୍ତା ମିଳିନଥିଲା ।
ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି ଯେ, ଗିରଫଦାରୀରୁ ବର୍ତ୍ତିବା ପାଇଁ ଖାନ୍ ସାର୍ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ନିଜ ଓକିଲଙ୍କ ସହ ଖାନସାର ଆଜି ପାଟଣା ସିଭିଲ୍ କୋର୍ଟରେ ପହଞ୍ଚିଥିଲେ ଏବଂ ବେଲ୍ ପାଇଁ ଆବେଦନ କରିଛନ୍ତି । କିନ୍ତୁ କୋର୍ଟ ତାଙ୍କ ବେଲ୍ ଆବେଦନକୁ ଏପର୍ଯ୍ୟନ୍ତ ଗ୍ରହଣ କରିଛନ୍ତି କି ନାହିଁ ସେନେଇ କୌଣସ୍ ସ୍ଫଷ୍ଟ ସୂଚନା ମିଳିପାରି ନାହିଁ ।
ତେବେ ସୂଚନା ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ବିବାଦ ‘ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍’ର ସଞ୍ଚାଳକ ଫୈଜଲ୍ ଖାନ୍ ଏବେ ‘ଜ୍ଞାନ ବିନ୍ଦୁ କୋଚିଂ’ର ନିର୍ଦ୍ଦେଶକ ରୌଶନ ଆନନ୍ଦଙ୍କ ମଧ୍ୟରେ ସୃଷ୍ଟି ହୋଇଛି । କୋଚିଂ ସେଣ୍ଟର ବାହାରେ ହୋଇଥିବା ଗୁଳିକାଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଏହାର ତଦନ୍ତ କରିଥିଲା । ଏହାପରେ ପାଟନା ପୁଲିସ ଖାନ୍ ସାର୍ଙ୍କ ବିରୋଧରେ ସଙ୍ଗୀନ ଦଫାରେ ଏଫଆଇଆର୍ ରୁଜୁ କରିଥିଲା।
ଏହି ସମଗ୍ର ମାମଲାରେ ଖାନ୍ ସାର୍ଙ୍କ ଉପରେ ସବୁଠାରୁ ବଡ଼ ଅଭିଯୋଗ ତାଙ୍କ ବଡିଗାର୍ଡମାନଙ୍କୁ ନେଇ ଲାଗିଛି । ହିଂସାତ୍ମକ ସଂଘର୍ଷ ସମୟରେ ଖାନ୍ ସାର୍ଙ୍କ ବଡିଗାର୍ଡମାନେ ସର୍ବସାଧାରଣରେ ଖୋଲାଖୋଲି ଭାବେ ବନ୍ଧୁକ ଧରି ଫାୟାରିଂ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ପୁଲିସ ଏବେ ଏହାର ତଦନ୍ତ କରୁଛି ଯେ, ସେମାନେ କାହା ଆଦେଶରେ ଏବଂ କେଉଁ ପରିସ୍ଥିତିରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଫାୟାରିଂ କଲେ ?
ତେବେ ଏହି ହାଇପ୍ରୋଫାଇଲ୍ ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପାଟନା ପୁଲିସ ପ୍ରଶାସନ ପକ୍ଷରୁ ଏକ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଗଠନ କରାଯାଇଥିଲା । ଏହି ସ୍ୱତନ୍ତ୍ର ଟିମ୍ ଖାନ୍ ସାର୍ଙ୍କୁ ଖୋଜୁଥିବା ବେଳେ ଗିରଫଦାରୀରୁ ବର୍ତ୍ତିବା ପାଇଁ ଖାନ୍ ସାର୍ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ନିଜ ଓକିଲଙ୍କ ସହ ଖାନ ସାର ଆଜି ପାଟଣା ସିଭିଲ୍ କୋର୍ଟରେ ପହଞ୍ଚି ବେଲ୍ ପାଇଁ ଆବେଦନ କରିଛନ୍ତି ।

