spot_img

Latest Posts

ଦେଉଳଖମଣ ଗାଁକୁ ନା ଅଛି ପକ୍କା ରାସ୍ତା ନା ପାନୀୟ ଜଳର ସୁବିଧା

ଛେଣ୍ଡିପଦା : ନାହିଁ ନାହିଁର ଗାଁ । ମୌଳିକ ସୁବିଧାରୁ ବଞ୍ଚିତ । ଗାଁକୁ ନା ଅଛି ପକ୍କା ରାସ୍ତା ନା ପାନୀୟ ଜଳର ସୁବିଧା। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଦେଉଳଖମଣ ଗାଁରେ ପହଞ୍ଚିନି ବିକାଶ। ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ପିଇବା ପାଣି, ବିଦ୍ୟୁତ, ଭତ୍ତା ଭଳି ମୌଳିକ ସୁବିଧା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ ।ଏଠାରେ ଦୀର୍ଘ ବର୍ଷ ଧରି ୬୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ଗାଁକୁ ପକ୍କା ରାସ୍ତା ନଥିବାବେଳେ ମନରେଗା ଯୋଜନାରେ ନିର୍ମାଣ କରାଯାଇଛି ରାସ୍ତା l କିନ୍ତୁ ଅସରାଏ ବର୍ଷା ହେଲେ ଗାଁକୁ ପଶି ପାରୁନି ଆମ୍ବୁଲାନ୍ସ l ମେଗା ପାନୀୟ ଜଳ ଯୋଗାଣରେ ପ୍ରତ୍ୟେକ ଘରେ ଟ୍ୟାପ ଲାଗିଛି, କିନ୍ତୁ ଆସୁନି ପାଣି l ଭରସା ଏକମାତ୍ର ନଳକୂପ । ବିଦ୍ୟୁତ ସୁବିଧା ଥିଲେ ମଧ୍ୟ ଅଧିକାଂଶ ଘରକୁ ସଂଯୋଗ ହୋଇନି l ଅଙ୍ଗନବାଡ଼ି କଥା ନ କହିବା ଭଲ। ସ୍ୱାଧୀନତାର ୭୮ ବର୍ଷ ପରେ ବି ବିକାଶ ପହଞ୍ଚି ପାରିନି ଦେଉଳଖମଣରେ।

ଗାଁର ସମସ୍ତେ ଦିନ ମଜୁରି କରି ଗୁଜୁରାଣ ମେଣ୍ଟାଉଛନ୍ତି । ପୁରୁଷମାନେ ପେଟ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ମହିଳାମାନେ ବାଉଁଶରେ ଟୋକେଇ, ପାଛିଆ, କୁଲା ତିଆରି କରି ହାଟରେ ବିକ୍ରି କରି ପରିବାର ଚଳାନ୍ତି। ନିର୍ବାଚନ ବେଳେ ନେତା ମନ୍ତ୍ରୀଙ୍କ ସୁଅ ଛଟେ। ପ୍ରତିଶ୍ରୁତିର ବର୍ଷା ହୁଏ । ହେଲେ ଭୋଟ ସରିଲେ କଥା ସରିଲା। ସମସ୍ୟା ସମ୍ପର୍କରେ ବ୍ଲକ ଓ ପଞ୍ଚାୟତରେ ବାରମ୍ବାର ଗୁହାରି କଲେ ବି ଫଳ ଶୂନ।

Latest Posts

Don't Miss