ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଭାଷାରେ ଭର୍ତ୍ସନା କଲେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଗତକାଲି ଫୋନରେ କଥା ହେବା ବେଳେ ଟ୍ରମ୍ପ ଭଲ କରି ନେତାନ୍ଯାହୁଙ୍କୁ ଶୁଣାଇଥିବା ଜଣାପଡ଼ିଛି। ଲେବାନନ ଉପରେ ଆକ୍ରମଣକୁ ନେଇ ଟ୍ରମ୍ପ କଡ଼ା ଭାଷାରେ ନେତାନ୍ୟାହୁଙ୍କୁ ଭର୍ତ୍ସନା କରିଛନ୍ତି। ଶାନ୍ତି ବଦଳରେ ଯୁଦ୍ଧକୁ ପ୍ରାଥମିକତା ଦେଉଛନ୍ତି ନେତାନ୍ୟାହୁ। ଏହାକୁ ନେଇ ବର୍ଷିଛନ୍ତି ଟ୍ରମ୍ପ। କହିଛନ୍ତି, ଆପଣଙ୍କ ପାଇଁ ଏବେ ସାରା ବିଶ୍ଵରେ ଇସ୍ରାଏଲ ନିନ୍ଦିତ ହେଉଛି। ଆପଣଙ୍କ କାହଁକି ଏମିତି ପାଗଳାମି କରୁଛନ୍ତି । କୃତଘ୍ନ ବୋଲି ମଧ୍ୟ କହିଛନ୍ତି ଟ୍ରମ୍ପ । କେବଳ ସେତିକି ନୁହେଁ, ଟ୍ରମ୍ପ କହିଛନ୍ତି, ମୁଁ ସମର୍ଥନ କରିନଥିଲେ ଆପଣ ଏବେ ଜେଲରେ ଥାଆନ୍ତେ ।
କେତେକ ଅନ୍ତର୍ଜାତୀୟ ଗଣମାଧ୍ଯମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ବେରୁତ ଉପରେ ଆକ୍ରମଣ ନକରିବା ପାଇଁ ମଧ୍ୟ ସେ ନେତାନ୍ୟାହୁଙ୍କୁ ଚେତାବନୀ ଦେଇଛନ୍ତି । ନହେଲେ ଇସ୍ରାଏଲ ସାରା ବିଶ୍ଵରେ ଏକୁଟିଆ ହୋଇଯିବ ବୋଲି ଚେତାଇ ଦେଇଛନ୍ତି ଟ୍ରମ୍ପ । ଲେବାବନକୁ ଇସ୍ରାଏଲ ସେନା ପଠାଇବ ନାହିଁ ବୋଲି ମଧ୍ୟ କହିଛନ୍ତି ଟ୍ରମ୍ପ । ସେ ରାଗିବାର କାରଣ ହେଲା ଲେବାନନ ଉପରେ ଇସ୍ରାଏଲ ଘନ ଘନ ଆକ୍ରମଣ କରୁଥିବାରୁ ଇରାନ ସହିତ ଆମେରିକାର ଶାନ୍ତି କଥାବାର୍ତ୍ତା ହୋଇପାରୁନି । ପୂରା ମଧ୍ୟପ୍ରାଚ୍ୟ ସ୍ଥିତି ବିଗୁଡୁଛି । ଇରାନ ଆଗରୁ ହିଁ ସର୍ତ୍ତ ରଖିଛି ଯେ, ଲେବାନନ ଉପରେ ଆକ୍ରମଣ ବନ୍ଦ ନ ହେଲେ ଶାନ୍ତି ଆଲୋଚନା ହୋଇପାରିବ ନାହିଁ।
ଟ୍ରମ୍ପଙ୍କ ଏହି ଫୋନ୍ କଲ୍ ପରେ ଲେବାନନ ଉପରେ ଆକ୍ରମଣ ବନ୍ଦ ରଖିଛି ଇସ୍ରାଏଲ। ନେତାନ୍ୟାହୁଙ୍କ ସହିତ କଥା ହେବା ଆଗରୁ ହେଜବୁଲ୍ଲାର ନେତାଙ୍କ ସହିତ ମଧ୍ୟ ଟ୍ରମ୍ପ କଥା ହୋଇଥିଲେ। ଇସ୍ରାଏଲ ଉପରେ ଆକ୍ରମଣ ନ କରିବାକୁ ହେଜବୁଲ୍ଲା ରାଜି ହୋଇଥିବା କହିଛନ୍ତି ଟ୍ରମ୍ପ। ଯୁଦ୍ଧ ବିରତି ଓ ଶାନ୍ତି ଉଦ୍ୟମ ପାଇଁ ନିଜ ସୋସିଆଲ ମିଡିଆରେ ଉଭୟ ଇସ୍ରାଏଲ ଓ ହେଜବୁଲ୍ଲାକୁ ପ୍ରଶଂସା କରିଛନ୍ତି ଟ୍ରମ୍ପ। ଏହା ସହିତ ସେ ଆଶା ପ୍ରକାଶ କରିଛନ୍ତି ଆସନ୍ତା ସପ୍ତାହରେ ମଧ୍ୟପ୍ରାଚ୍ୟ ଡିଲ୍ ହୋଇପାରେ। ହର୍ମୁଜ ମଧ୍ୟ ଖୋଲିବା ନେଇ ସେ ଆଶାବାଦୀ। ଇରାନ ସହିତ ଆଲୋଚନାରେ ଅନେକ ଅଗ୍ରଗତି ହୋଇଥିବା ଆମେରିକା ପକ୍ଷରୁ କୁହାଯାଇଛି।

