spot_img

Latest Posts

ଶ୍ରୀମନ୍ଦିରରେ ରତ୍ନ ଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ

ପୁରୀ : ଶ୍ରୀମନ୍ଦିରରେ ରତ୍ନ ଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ। ଦିନ ୧୨ଟା ୦୯ରୁ ଅପରାହ୍ନ ଗୋଟାଏ ୪୫ ଭିତରେ ମାହେନ୍ଦ୍ର ବେଳା ରହିଛି। ଗଣତିମଣତି ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜଷ୍ଟିସ ବିଶ୍ବନାଥ ରଥ, ଜିଲ୍ଲାପାଳ ଓ ଏସପି ପ୍ରମୁଖ ମନ୍ଦିର ଭିତରକୁ ଯାଇଛନ୍ତି। ଭଣ୍ଡାର ମେକାପ, ଆରବିଆଇ ଅଧିକାରୀ, ଜେମୋଲୋଜିଷ୍ଟ ପ୍ରମୁଖ ମନ୍ଦିର ପ୍ରବେଶ କରିଛନ୍ତି। ଏସଓପି ଅନୁଯାୟୀ ପ୍ରକ୍ରିୟାରେ ଦୁଇଟି ଟିମ୍ କାର୍ଯ୍ୟ କରିବ। ସୁପରଭାଇଜିଂ ଟିମ୍ ଓ ହ୍ୟାଣ୍ଡେଲିଂ ଟିମ୍ ଦ୍ୱାରା ଭଣ୍ଡାର ମେକାପଙ୍କ ସହଯୋଗରେ ସମସ୍ତ ପ୍ରକ୍ରିୟା କରାଯିବ। ପ୍ରଥମେ ଚଳନ୍ତି ଭଣ୍ଡାର ଘରେ ଥିବା ଅଳଙ୍କାରଗୁଡିକର ଗଣତି ମଣତି କରାଯିବ। ପରେ ବାହାର ଭଣ୍ଡାର ଓ ଶେଷରେ ଭିତର ଭଣ୍ଡାରର ଅଳଙ୍କାର ଗଣତି ମଣତି କରାଯିବ। ଏସଓପି ଅନୁଯାୟୀ ସ୍ୱର୍ଣ୍ଣ ଅଳଙ୍କାରକୁ ହଳଦିଆ, ରୁପା ଅଳଙ୍କାରକୁ ଧଳା ଓ ଅନ୍ୟ ଅଳଙ୍କାରଗୁଡିକୁ ନାଲି ରଙ୍ଗର କନାରେ ରଖି ପ୍ରଥମେ ବାକ୍ସରେ ରଖାଯିବା କ୍ରମାନ୍ୱୟରେ ସେଗୁଡିକୁ ସିନ୍ଦୁକରେ ରଖାଯିବ। ଶନିବାର,ରବିବାର ସହ ବିଶେଷ ନୀତିକାନ୍ତି ଦିନରେ ଗଣତିମଣତି ବନ୍ଦ ରହିବ। ଗଣତି ମଣତି ଦିନ ଭକ୍ତମାନେ ବାହାର କାଠରୁ ଦର୍ଶନ କରିବେ। ଶ୍ରୀମନ୍ଦିର ବଣିଆ,ସରକାରୀ ବ୍ୟାଙ୍କର ବଣିଆ, ଜେମୋଲୋଜିଷ୍ଟ ଏବଂ ଆରବିଆଇ ଅଧିକାରୀମାନଙ୍କ ଦ୍ୱାରା ସୁନା,ରୁପା,ହୀରା, ମୋତି ଅଳଙ୍କାରର ଗଣତି ଓ ଓଜନ କରାଯିବ। କିନ୍ତୁ ମୂଲ୍ୟାୟନ କରାଯିବ ନାହିଁ ।

୧୯୭୮ ମସିହାରେ ହୋଇଥିବା ୭୦ଦିନ ବ୍ୟାପି ଗଣତି ମଣତି ରିପୋର୍ଟ ସହ ବର୍ତ୍ତମାନ ସମୟରେ ମେଳକ କରାଯାଇ ଅଳଙ୍କାର ଗୁଡିକୁ ଟାଗିଙ୍ଗ କରାଯିବ। ଅଳଙ୍କାରଗୁଡିକୁ ସ୍ୱତନ୍ତ୍ର ଭାବେ ରଖାଯିବା ସହ ଫୋଟୋଗ୍ରାଫି, ଭିଡିଓଗ୍ରାଫି ଓ 3D ମ୍ୟାପିଙ୍ଗ କରାଯିବ। ରତ୍ନଭଣ୍ଡାର ଅଳଙ୍କାରାଦି ଗଣତି ପ୍ରକ୍ରିୟାରେ ନୀତି ସଂପାଦନ ଓ ଦର୍ଶନ ବ୍ୟବସ୍ଥା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିବା ସହ ଗଣତି କାର୍ଯ୍ୟ କଡା ସୁରକ୍ଷା ମଧ୍ୟରେ କରାଯିବ।ଶ୍ରୀଜିଉଙ୍କର ନୀତି ସଂପାଦନ ଅବ୍ୟାହତ ରଖାଯିବା ସହ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସ୍ୱଚ୍ଛନ୍ଦ ଦର୍ଶନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଗଣତି ପ୍ରକ୍ରିୟାର ସୁରକ୍ଷା ଦୃଷ୍ଟିରୁ ଭକ୍ତ ଗଣଙ୍କ ପାଇଁ କେବଳ ବାହାର କାଠ ନିକଟରେ ଦର୍ଶନ ସୁବିଧା ଉପଲବ୍ଧ ହେବ।ସେହିପରି ଆଜି ର ଗଣତି ମଣତି ପ୍ରକ୍ରିୟା ନେଇ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୦ ସେକ୍ସନ ପୋଲିସ ଫୋର୍ସ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ସୁରକ୍ଷା ନେଇ ଶ୍ରୀମନ୍ଦିର ଭିତରେ ଓ ବାହାରେ ନିୟୋଜିତ କରାଯାଇଛି।ବାଇଶି ପାହାଚ ଓ ସିଂହଦ୍ୱାର ନିକଟରେ ଷ୍ଟ୍ରାଇକିଙ୍ଗ ଫୋର୍ସ ସମେତ ଆଣ୍ଟି ସାବୋଟେଜ ଟିମ ନିୟୋଜିତ ରହିବେ। ଯାଞ୍ଚ ପ୍ରକ୍ରିୟାକୁ କଡାକଡି ଭାବେ କରାଯିବା ନେଇ ବ୍ୟବସ୍ଥା କରାଯାଇଥିବା ବେଳେ ମେଟାଲ ଡିଟେକ୍ଟର ଟିମ ମଧ୍ୟ ନିୟୋଜିତ କରାଯାଇଥିବା ଜଣାପଡ଼ିଛି ।

Latest Posts

Don't Miss