ଯାଜପୁର : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଗହୀରପାଟୁଳି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ନିର୍ମାଣ ହେଉଥିବା ପାଚେରୀ ପୂର୍ତ୍ତ ବିଭାଗ ଅଧୀନରେ ଚାଲୁ ରହିଛି । ହେଲେ ଠିକାଦାରଙ୍କ ମୁନାଫାଖୋର ମନୋଭାବ ଯୋଗୁଁ ଅତି ନିମ୍ନମାନର ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି । ଉପଯୁକ୍ତ ପରିମାଣର ସିମେଣ୍ଟ ଓ ଲୁହାଛଡ଼ ଦିଆଯାଉନଥିବା ବେଳେ ସଠିକ୍ ଭାବେ ପିଲର କରାଯାଉନାହିଁ । ଏଥିସହିତ କାମ ସରିବା ପରେ ମଧ୍ୟ ପାଣି ଦିଆଯାଉନାହିଁ । ଠିକା ସଂସ୍ଥା ଅଧିକ ଲାଭ ଆଶାରେ ଏଭଳି କାର୍ଯ୍ୟ କରୁଥିବା କୁହାଯାଉଛି । ସ୍ଥାନୀୟ ଲୋକେ ଏହାକୁ ବିରୋଧ କଲେ ଠିକାଦାର ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି । ତେଣୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
କେବଳ ନିମ୍ନମାନର ନିର୍ମାଣ କାର୍ଯ୍ୟ ନୁହେଁ, ଏଠାରେ ପ୍ରକଳ୍ପ ବିବରଣୀ ବା ସୂଚନାଫଳକ ମଧ୍ୟ ନାହିଁ। ପୂର୍ତ୍ତ ବିଭାଗର ପାଣିକୋଇଲି ଡିଭିଜନ ଅଧିନରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ବିଭାଗୀୟ ଯନ୍ତ୍ରୀ ଏଠାକୁ ଆସୁନାହାନ୍ତି। ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁଁ ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଏପରି ନିମ୍ନମାନର କାର୍ଯ୍ୟ କରୁଥିବା ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସେପଟେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ସରକାରଙ୍କ ପକ୍ଷରୁ ସ୍କୁଲ ପାଚେରୀ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ଅନୁଦାନ ହୋଇଛି । ହେଲେ ଠିକାଦାରଙ୍କ ମୁନାଫାଖୋର ମନଭାବ ଯୋଗୁଁ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି । ସରକାରଙ୍କ ପକ୍ଷରୁ ଏହାର ତଦନ୍ତ କରାଯିବା ଜରୁରୀ ହୋଇପଡ଼ିଛି ।

